ଦଶହରାରେ ବର୍ଷା ନାହିଁ, ପାଗ ଶୁଖିଲା ରହିବ, ୨୯ରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

Published By : Prameya-News7 Bureau | October 25, 2020 IST

ଭୁବନେଶ୍ୱର,୨୫|୧୦: ଏଥର ଦଶହରାରେ ପାଗ ପ୍ରାୟତଃ ଶୁଖିଲା ରହିବ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଶନିବାର ରାଜ୍ୟ ତମାମ ପାଗ ଶୁଖିଲା ରହିଥିଲା । ଉପକୂଳ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିଥିଲା। ପ୍ରାୟତଃ ଦିନ ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ଥିଲା ।

ପାଣିପାଗ ବିଭାଗ କହିଛି, ଆଜି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଏହାବାଦ୍‌ କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ହାଲୁକା ବର୍ଷା ସମ୍ଭାବନା ଅଛି । ମାସ ଶେଷ ପର୍ଯ୍ୟନ୍ତ ଏଭଳି ପାଗ ରହିବ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ। ରବିବାର ଉପକୂଳ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିପାରେ। ସ୍ଥାନେ ସ୍ଥାନେ ହାଲୁକା ବର୍ଷା ଛିଞ୍ଚିପାରେ। ସୋମବାର ପାଗ ଶୁଖିଲା ରହିବ । ବର୍ଷା ସମ୍ଭାବନା କ୍ଷୀଣ ।

ଡକ୍ଟର ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତା ୨୯ କିମ୍ବା ୩୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ମିଆଁମାର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ପରବର୍ତ୍ତୀ ସମୟରେ ଏହା ଲଘୁଚାପ ରୂପ ନେଇପାରେ। ଯାହାକି ପୂର୍ବ ଉତ୍ତର ବଙ୍ଗୋପସାଗରକୁ ଆସିବ । ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ ।

ଅପରପକ୍ଷରେ ଆସନ୍ତା ୨୮ ତାରିଖବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ଆସନ୍ତା ନଭେମ୍ବର ପହିଲାବେଳକୁ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦୂରରେ ରହିବ। ଆସନ୍ତା ୨ କିମ୍ବା ୩ ତାରିଖବେଳକୁ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସମ୍ଭାବନା ଅଛି। ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ। ଏହା ପ୍ରାକ୍‌ ଆକଳନ । ଆଉ କିଛି ଦିନ ପରେ ପାଣିପାଗର ଚିତ୍ର ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.