ଅନୁକୂଳ ପାଗ ସହ ଆଗକୁ ବଢିବାରେ ଲାଗିଛି ମୌସୁମି, ଦେଶର ଅନେକ ଭାଗରେ ବର୍ଷା ସମ୍ଭାବନା
7/06/2020 at 4:41 PM

ନୂଆଦିଲ୍ଲୀ ୦୭।୦୬: ଦେଶରେ ଏମିତି ପ୍ରଥମ ଥର ଘଟୁଛି ଯେବେ ଜୁନ୍ ମାସରେ ପାରଦ ୪୦ ଡିଗ୍ରୀରୁ କମ ରହୁଛି। ଶନିବାର ଦେଶର ଅନେକ ଅଞ୍ଚଳରେ ବର୍ଷା ହୋଇଛି। ପାଣିପାଗ ବିଭାଗର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ମଧ୍ୟ ଆରବ ସାଗରର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମି ପାଇଁ ଅନୁକୂଳ ସ୍ଥିତି ରହିଛି। ଯଦି ଏମିତି ରହେ ତେବେ ଦେଶର ଅନେକ ଅଞ୍ଚଳରେ ବର୍ଷା ହୋଇପାରେ।
ଏହି ସବୁ ଅଞ୍ଚଳରେ ହୋଇପାରେ ବର୍ଷା
ଦକ୍ଷିଣ-ପଶ୍ଚିମ ମୌସୁମି ଯେଉଁଭଳି ଗତିରେ ଆଗକୁ ବଢୁଛି ଏହା ଅନୁଯାୟୀ ଗୋଆ, କୋଙ୍କଣ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ, ରାୟଲସୀମା ଓ ପୂର୍ବାଞ୍ଚଳ କ୍ଷେତ୍ରର ଅନେକ ଭାଗରେ ଆଗାମୀ ଦୁଇ ତିନି ଦିନରେ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମି ଆଗାମୀ ୨୩ ଘଣ୍ଟାରେ କର୍ଣ୍ଣାଟକର କିଛି ଅଞ୍ଚଳ, ପୂରା ତାମିଲନାଡୁ, ରାୟଲସୀମାର କିଛି ଅଂଶ, ଆନ୍ଧ୍ର ପ୍ରଦେଶରେ ଉପକୂଳବର୍ତ୍ତୀ ଅଞ୍ଚଳ, ପୂରା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ପୂର୍ବାଞ୍ଚଳ ଭାରତର କିଛି ଅଞ୍ଚଳରେ ଆଗକୁ ବଢିବା ଲାଗି ସ୍ଥିତି ଅନୁକୂଳ ରହିଛି।
ରାଜଧାନୀ ଦିଲ୍ଲୀରେ ମୌସୁମି ପାଇଁ ଅନୁକୂଳ ପାଗ
ରାଜଧାନୀ ଦିଲ୍ଲୀରେ ଜୁନ୍ ମାସରେ ମଧ୍ୟ ପାଣିପାଗ ଅନୁକୂଳ ରହିଛି। ରବିବାର ସକାଳେ ମଧ୍ୟ ଦିଲ୍ଲୀ-ଏନସିଆରରେ ହାଲୁକା ବର୍ଷା ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ୫ ଦିନ ଦିଲ୍ଲୀରେ ପାଣିପାଗ ଭଲ ରହିପାରେ। ଜୁନ ୧୨ ପର୍ଯ୍ୟନ୍ତ ଆଗକୁ ବର୍ଷା ନହେଲେ ବି ପାରଦ ୪୧ ଡିଗ୍ରୀରୁ ଉପରକୁ ଯିବ ନାହିଁ। ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ରହି ରହି ବର୍ଷା ହେବା ସହତି ଘଡଘଡି ହେବାର ସମ୍ଭାବନା ରହିଛି। ଜୁନ ୮ରେ ପୂର୍ବ-ମଧ୍ୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଜୁନ ୮, ୯ ଓ ୧୦ ତାରିଖରେ ଜୋରରେ ପବନ ବହିପାରେ। ଏହି ସମୟରେ ତାପମାତ୍ରା ୪୧ ଡିଗ୍ରୀରୁ କମ୍ ରହିପାରେ। କିନ୍ତୁ ଏହି ତିନି ଦିନରେ ବର୍ଷା ହେବାର ଆଶଙ୍କା ନଥିବା କୁହାଯାଇଛି। ଏହାପରେ ଜୁନ ୧୧ ଓ ୧୨ରେ ଆକାଶ ମେଘୁଆ ରହିବ ସହିତ ବର୍ଷା ହେବାର ସମ୍ଭାବନା ରହିଛି।