ତତଲା କଡେଇ ପାଲଟିଲା ଉତ୍ତର ଭାରତ, ୪୭.୫ ଡିଗ୍ରୀରେ ସିଝିଲା ରାଜସ୍ଥାନର ଚୁରୁ

Published By : Prameya-News7 Bureau | May 25, 2020 IST

ନୂଆଦିଲ୍ଲୀ ୨୫।୦୫: ଦେଶରେ କ୍ରମାଗତ ପାରଦ ବଢିବାରେ ଲାଗିଛି। ଅନ୍ୟପଟେ ଲୁ କାରଣରୁ ପ୍ରବଳ ଗରମରେ ଲୋକେ ବେହାଲ ହୋଇ ପଡିଲେଣି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଏଥିରୁ ତ୍ରାହି ମିଳିବାର ଆଶା କମ ରହିଛି। ମେ ୨୮ ପରେ ହିଁ ଏଥିରୁ ଆଶ୍ଵସ୍ତି ମିଳିବାର ସମ୍ଭାବନା ରହିଛି। ମେ ୨୯ ଓ ୩୦ ତାରିଖରେ ଉତ୍ତର ଭାରତର କିଛି ରାଜ୍ୟରେ ଧୂଳିଭରା ଝଡ ପବନ ବୋହିପାରେ। ଏହି ସମୟରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିରେ ତାପମାତ୍ରା କିଛିଟା ହ୍ରାସ ହୋଇପାରେ। ଲୋକଙ୍କୁ ଭୟଙ୍କର ଲୁରୁ କିଛି ଆଶ୍ଵସ୍ତି ମିଳିପାରେ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ଦେଶରେ ରାଜସ୍ଥାନର ଚୁରୁ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ସୋମବାର ଏଠାରେ ପାରଦ ୪୭.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଅନ୍ୟପଟେ ଦିଲ୍ଲୀରେ ଆଜି ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ରହିଛି।

ଆଜି ଦିନସାରା ରାଜସ୍ଥାନରେ ଅଧିକାଂଶ ସ୍ଥାନରେ ପାରଦ ୪୫ ରୁ ୪୭ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିଛି। ପଞ୍ଜାବ ଓ ହରିୟାଣାରେ ମଧ୍ୟ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗରେ ୪୪ ଡିଗ୍ରୀ, ଲୋଧି ରୋଡରେ ୪୪ ଡିଗ୍ରୀ ଓ ଅୟାନଗରରେ ପାରଦ ୪୫.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଉତ୍ତର ପ୍ରଦେଶର ଆଲ୍ଲାବାଦ ଅର୍ଥାତ ପ୍ରୟାଗରାଜ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତତମ ସହର ପାଲଟିଛି। ଏଠାରେ ପାରଦ ୪୬.୩ ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ମେ ୨୬ରେ ମଧ୍ୟ ଲୁ ସବୁଠୁ ଅଧିକ ରହିବ। ତେଣୁ ଦିନ ବେଳେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପଞ୍ଜାବ, ଛତିଶଗଡ, ଗୁଜରାଟ, ମଧ୍ୟ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର ଓ ଝାରଖଣ୍ଡରେ ମଧ୍ୟ ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ଲୁ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆଞ୍ଚଳିକ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି, ଦିଲ୍ଲୀ, ହରିୟାଣା ଓ ୟୁପିରେ ମେ ୨୯ ଓ ୩୦ରେ ଧୂଳି ଝଡ ସହ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ୫୦ ରୁ ୬୦ କିମି ରହିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.