ନିଜ ଇଚ୍ଛାରେ ନୁହେଁ କୁଣ୍ଡଳୀ ହିସାବରେ ଧାରଣ କରିବା ଉଚିତ ଧାତୁ: ରହିଛି ଅନେକ ଲାଭ

Published By : Prameya-News7 Bureau | September 18, 2021 IST

ଭୁବନେଶ୍ୱର ୧୮/୦୯ : ମନୁଷ୍ୟ ଶରୀରରେ ଅନେକ ଧାତୁର ସମାବେଶ ରହିଛି ବୋଲି କୁହାଯାଏ। ଲୁହା, ତମ୍ବା, ରୁପା ଭଳି ଅନେକ ଧାତୁ ମନୁଷ୍ୟ ଶରୀରକୁ ସନ୍ତୁଳିତ ରଖିଥାଏ। ଧାତୁ କମ କିମ୍ବା ବେଶୀ ହେଲେ ଶରୀରରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ସବୁ ଧାତୁ ସବୁ ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ। ଗ୍ରହର ପ୍ରଭାବ କମ କରିବାରେ ମଧ୍ୟ ଧାତୁ ସାହାଯ୍ୟ କରିଥାଏ। ସେଥିପାଇଁ କୌଣସି ବ୍ୟକ୍ତିକୁ ମନ ଇଚ୍ଛା ଧାତୁ ଧାରଣ କରିବା ଉଚିତ ନୁହେଁ। କୁଣ୍ଡଳୀ ହିସାବରେ ସୁନା, ରୁପା, ତମ୍ବା, ଲୁହା ଆଦି ଧାରଣ କରିବା ଉଚିତ। କେଉଁ ବ୍ୟକ୍ତି ପାଇଁ କେଉଁ ଧାତୁ ଧାରଣ କରିବା ଉଚିତ ଆସନ୍ତୁ ଜାଣିବା :

ରୁପା - ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ରୁପାରେ ଚନ୍ଦ୍ରଦେବଙ୍କ ପ୍ରଭାବ ରହିଥାଏ। ଯେଉଁମାନଙ୍କ ମନ ବିଚଳିତ ରହେ, ମାନସିକ ସ୍ଥିତି ଠିକ ରହେନି ସେମାନେ ରୁପା ମୁଦି କିମ୍ବା ଚେନ ପିନ୍ଧିବା ଉଚିତ। ହାତରେ ରୂପା ମୁଦି ପିନ୍ଧିବା ଦ୍ୱାରା ଶରୀରରେ ହରମୋନର ସନ୍ତୁଳନ ଠିକ ରହେ। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଚନ୍ଦ୍ରର ଗ୍ରହଦଶା ଚାଲିଥାଏ, ତେବେ ତାଙ୍କୁ ରୂପା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ତାଛଡା କାଳସର୍ପ ଦୋଶ ଥିବା ବ୍ୟକ୍ତି ମଧ୍ୟ ରୁପା ପିନ୍ଧିବା ଉଚିତ୍।

ସୁନା - ସୁନା ପିନ୍ଧିବା ଦ୍ୱାରା ବ୍ୟକ୍ତି ଶରୀରରେ ଫୁର୍ତି ଆସିଥାଏ। ମୁହଁର ଚମକ ବଢିଥାଏ। ସୁନା ବୃହସ୍ପତିର ଆଧିପତ୍ୟ ବୋଲି କୁହାଯାଏ। ସେଥିପାଇଁ କୁଣ୍ଡଳୀରେ ବୃହସ୍ପତି ଦୁର୍ବଳ ଥିଲେ ସୁନା ଧାରଣ କରିବା ଉଚିତ।

ତମ୍ବା - ତମ୍ବା ଶରୀରରେ ରକ୍ତ ସଞ୍ଚାଳନ କରିବାରେ ପ୍ରଭାବୀ। ତମ୍ବାରେ ମଙ୍ଗଳ ଗ୍ରହର ପ୍ରଭାବ ରହିଥାଏ। ଏହା ମହିଳାଙ୍କ ପାଇଁ ଅଧିକ ଲାଭକାରୀ। ଏହାଦ୍ୱାରା ମାସିକ ଧର୍ମ ସମସ୍ୟାରୁ ମୁକ୍ତି ମିଳିବ ସହ ବ୍ରଣ ଭଳି ତ୍ୱଚା ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯେଉଁମାନଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ହୁଏ ସେମାନେ ମଧ୍ୟ ତମ୍ବା ପିନ୍ଧିବା ଉଚିତ। ମଙ୍ଗଳଙ୍କ ପ୍ରତିନିଧି ରତ୍ନ ମୁଙ୍ଗାର ଗଣେଶ ତମ୍ବା ଚେନରେ ଧାରଣ କଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ, ଋଣ ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ଲୁହା - ଲୁହା ଶନିଙ୍କ ଧାତୁ। କୌଣସି ବ୍ୟକ୍ତି ବାରମ୍ବାର ଆଘାତ ହେଉଥିଲେ, ହଠାତ ଧାନ ଖର୍ଚ୍ଚ ହେଉଥିଲା, ରୋଗରେ ପଡୁଥିଲେ, ବ୍ୟବସାୟରେ କ୍ଷତି ହେଉଥିଲେ ଲୁହା ମୁଦି ପିନ୍ଧିବା ଉଚିତ। ଏହିସବୁ ସମସ୍ୟାରୁ ମୁକ୍ତି ମିଳିଥାଏ।

ବ୍ରୋଞ୍ଜ - ବ୍ରୋଞ୍ଜର ଆଭୂଷଣ ପିନ୍ଧାଯାଏ ନାହିଁ। କିନ୍ତୁ ଏହା ଶରୀରର ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ବ୍ୟକ୍ତିର ସ୍ନାୟୁ ପ୍ରଣାଳୀ ଉପରେ ବ୍ରୋଞ୍ଜର ପ୍ରଭାବ ପଡିଥାଏ। ଏହି ଦ୍ୱାରା ବ୍ୟକ୍ତିର ସ୍ନାୟୁ ଏବଂ ମାଂସପେଶୀ ସଂପୂର୍ଣ୍ଣ ଭଲ ରହିଥାଏ। ଏହା ଦୁର୍ବଳ ସ୍ନାୟୁକୁ ମଜବୁତ କରେ। କୁହାଯାଏ ସପ୍ତାହରେ ଅତି କମରେ ଦୁଇ ଦିନ ବ୍ରୋଞ୍ଜ ଗ୍ଲାସରେ ପାଣି ପିଇବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.