ଏହି ଦେଶରେ ଧନୀ ଲୋକଙ୍କ ଶିଶୁଙ୍କୁ କରାଯାଉଛି ଅପହରଣ: ଅପହରଣକାରୀ ମାନୁଛନ୍ତି ଦୋଷ, କାରଣ ଜାଣି ହୋଇଯିବେ ଚକିତ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୦୮/୦୯ : ଉତ୍ତର କୋରିଆ ଓ ଏଠାକାର ତାନାଶାହଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ଗତ କିଛି ଦିନ ଦେଶରେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଛି। ଫଳରେ ଆର୍ଥିକ ସ୍ଥିତି ଲଗାତାର ବିଗିଡ଼ିବାରେ ଲାଗିଛି। କରୋନା ମହାମାରୀ ଓ ଝଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉତ୍ତର କୋରିଆରେ ଭୟଙ୍କର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ଇତି ମଧ୍ୟରେ ଆଉ ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ଅନାହାର ଓ ଅଭାବ ଯୋଗୁଁ ପରିସ୍ଥିତି ଏମିତି ହୋଇପଡିଛି ଯେ ଲୋକେ ପେଟ ପୋଷିବାକୁ ପିଲାଙ୍କୁ ଅପହରଣ କରୁଛନ୍ତି। ଏପରିକି ଅପହରଣକାରୀ ସ୍ୱୀକାର ମଧ୍ୟ କରୁଛନ୍ତି ଯେ ଏସବୁ ସେମାନେ ବାଧ୍ୟ ହୋଇ କରୁଛନ୍ତି।

ଉତ୍ତର କୋରିଆରେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଛି। ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ସ୍ଥିତି ଏମିତି ହୋଇପଡିଛି ଯେ ଦୈନଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଦାମ ମଧ୍ୟ ଆକାଶଛୁଆଁ। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଏଠାରେ ଏକ ଛୋଟ ଚା' ପତି ପ୍ୟାକେଟ କିଣିବାକୁ ୭୦ ଡଲାର (ପ୍ରାୟ ୫ ହଜାର ଟଙ୍କା) ଓ କଫି ପ୍ୟାକେଟ ପାଇଁ ୧୦୦ ଡଲାର (ପ୍ରାୟ ସାଢେ ୭ ହଜାର ଟଙ୍କା) ଦେବାକୁ ପଡୁଛି। ଗୋଟିଏ ଡଜନ କଦଳୀ ପାଇଁ ୪୫ ଡଲାର ଅର୍ଥାତ ୩୩୦୦ ଟଙ୍କା ଦେବାକୁ ପଡୁଛି।

ରିପୋର୍ଟ ଅନୁଯାୟୀ, ପିଲାମାନଙ୍କୁ ଛାଡିବା ବଦଳରେ ଅପହରଣକାରୀମାନେ ସେମାନଙ୍କ ଖର୍ଚ୍ଚ ପୂରଣ ପାଇଁ ବିପୁଳ ପରିମାଣର ଟଙ୍କା ଦାବି କରୁଛନ୍ତି। ଗତ ସପ୍ତାହରେ ଏହି ଦେଶରେ ଅନେକ ଶିଶୁ ଅପହରଣ ହୋଇଥିବା ସୂଚନା ମିଳିଛି। ତଦନ୍ତ ସମୟରେ ସମସ୍ତ ଅପହରଣ ସମାନ ଢାଞ୍ଚାରେ ହୋଇଥିବା ପୋଲିସ ଜାଣିବାକୁ ପାଇଛି। କେବଳ ଏତିକି ନୁହେଁ ଅପହରଣକାରୀମାନେ ଟଙ୍କା ପାଇବା ପରେ ପିଲାମାନଙ୍କୁ ଛାଡି ଦେଉଛନ୍ତି।

ନିକଟରେ 'ରେଡ଼ିଓ ଫ୍ରି ଏସିଆ' ଏକ ରିପୋର୍ଟରେ କହିଥିଲା ଯେ ପ୍ୟୋଙ୍ଗୟାଙ୍ଗର ଉତ୍ତରରେ ସୋଙ୍ଗଚୋନ କାଉଣ୍ଟିରେ ନିଜ ଘର ବାହାରେ ଖେଳୁଥିବା ଜଣେ ୬ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲା। ଶିଶୁକୁ ଯିଏ ଅପହରଣ କରିଥିଲା, ସେ ଏକ ଦୂର ଗାଁରୁ ଆସିଥିଲା। ସେ ଏହି ଶିଶୁକୁ ବନ୍ଧକ କରି ରଖିଥିଲା। ଅପହରଣକାରୀ ଜାଣିଥିଲା ଯେ ଶିଶୁର ପରିବାର ଧନୀ ଶ୍ରେଣୀର। ଟଙ୍କା ଦାବି କରିବା ପୂର୍ବରୁ ସେ ଶିଶୁର ବାପା-ମା'ଙ୍କ ନମ୍ବର ହାସଲ କରିଥିଲା।

ତେବେ ଏହି ମାମଲାରେ ପୋଲିସ ଏହି ବ୍ୟକ୍ତି ବ୍ୟବହାର କରୁଥିବା ଫୋନରୁ ତାର ଠିକଣା ପତ୍ତା କରିଥିଲା ଓ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲା। ଶିଶୁଟି ନିରାପଦରେ ନିଜ ଘରେ ପହଞ୍ଚିଯାଇଛି। ଏପରି ଅନେକ ଘଟଣା ଘଟିଛି ଯେଉଁଥିରେ ଧନୀ ଲୋକଙ୍କ ପିଲାମାନଙ୍କୁ ଅପହରଣ କରାଯାଉଛି ଏବଂ ପରେ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ଦାବି କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.