ଲକଡାଉନ୍ ପରେ ହାତରୁ ପଇସା ଖସାଉ ନାହାନ୍ତି ବିତ୍ତଶାଳୀ ଆମେରିକୀୟ, ଚିନ୍ତାରେ ଦେଶ

Published By : Prameya-News7 Bureau | June 18, 2020 IST

ନ୍ୟୁୟର୍କ : କରୋନା ଭାଇରସ ମହାମାରୀ ଲକଡାଉନ୍‌ରୁ ମୁକ୍ତ ହେବା ପରେ ଆମେରିକୀୟଙ୍କ ଖର୍ଚ୍ଚରେ ତାରତମ୍ୟ ଦେଖା ଦେଇଛି। ଯାହା ଏବେ ଦେଶର ଆର୍ଥିକ ପୁନରୁଦ୍ଧାର ଲାଗି ବିପଦଜନକ ହେବ ବୋଲି ଆଶଙ୍କା କରାଗଲାଣି। ଏକ ଅଧ୍ୟୟନରୁ କରୋନା ଲକଡାଉନ ସମାପ୍ତି ପରେ ଧନୀ ଆମେରିକୀୟମାନେ ସେମାନଙ୍କ ଖର୍ଚ୍ଚ ହ୍ରାସ କରିଛନ୍ତି। ଅନ୍ୟପକ୍ଷରେ ସ୍ୱଳ୍ପ ଆୟକାରୀବର୍ଗର ଲୋକେ ଏବେ ହାତ ଖୋଲାଖର୍ଚ୍ଚ କରୁଛନ୍ତି। 

କରୋନା ପରବର୍ତ୍ତି ଆର୍ଥିକ ସୁଧାର ନେଇ ହାଭାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏହି ତଥ୍ୟ ମିଳିଛି। ଲୋକଙ୍କ କ୍ରେଡିଟ୍ କାର୍ଡ ଡାଟାକୁ ଅନୁଧ୍ୟାନ କରିବା ବେଳେ ଧନୀ ପରିବାର ଲୋକେ ଏବେ ସେମାନଙ୍କ ପର୍ସକୁ ଜାବୁଡି ବସିଥିବା ଜଣାପଡିଛି। ଅନ୍ୟପକ୍ଷରେ ଆୟକାରୀ ବର୍ଗଙ୍କ ସିଡିର ସଭା ତଳେ ଥିବା ଲୋକେ ଦେଶରେ କରୋନା ଭାଇରସ ମହାମାରୀ ପୂର୍ବରୁ ଯେତିକି ଖର୍ଚ୍ଚ କରୁଥିଲେ ଏବେ ବି ପାଖାପଖି ସେତିକ ଖର୍ଚ୍ଚ କରୁଛନ୍ତି। 

ହାଭାର୍ଡ ଅର୍ଥନୀତିଜ୍ଞ ତଥା ଅପରଚ୍ୟୁନିଟି ଇନସାଇଟ୍ ରିସର୍ଚ୍ଚ ଟିମ୍‌ର ସଂସ୍ଥାପକ ନାଥନ ହେଣ୍ଡ୍ରେନ୍‌ କହିଛନ୍ତି ଯେ ଅଧ୍ୟୟନ ବେଳେ ସ୍ୱଳ୍ପ ଆୟକାରୀ ପରିବାରଙ୍କ ଖର୍ଚ୍ଚ ବେଶ ଉତ୍ସହାଜନକ ଥିବା ଦେଖାଯାଇଛି। ତେବେ ସେମାନଙ୍କ ଖର୍ଚ୍ଚ ସହ ଉଚ୍ଚଆୟକାରୀ ବର୍ଗ ତାଳ ଦେଇ ଖର୍ଚ୍ଚ କରୁନାହାନ୍ତି। ଏପରିକି ଦେଶରେ କୋଭିଡ-୧୯ ମହାମାରୀ ସଂକ୍ରମଣ ପୂର୍ବରୁ ସେମାନଙ୍କର ଖର୍ଚ୍ଚ ଯାହା ଥିଲା ଲକଡାଉନ୍‌ ହଟିବା ପରେ ତାହା ଆହୁରି ହ୍ରାସ ହୋଇଥିବା ହେଣ୍ଡ୍ରେନ କହିଛନ୍ତି।  

ଦେଶର ଅର୍ଥନୈତିକ କାର୍ଯ୍ୟକଳାପରେ ଉପଭୋକ୍ତାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଏଥିରୁ ଧନିକ ବର୍ଗଙ୍କ ଖର୍ଚ୍ଚର ପରିମାଣ ଉପରେ ଦେଶର ଅର୍ଥନୀତି ଅଧିକ ନିର୍ଭରଶୀଳ ଥିବାବେଳେ ଗତ ଜାନୁୟାରୀମାସରୁ ସେମାନଙ୍କ ବ୍ୟୟ ପରିମାଣ କ୍ରମାଗତ ହ୍ରାସ ହୋଇ ଚାଲିଛି। ଏହିସମୟରେ ସେମାନଙ୍କର ଖର୍ଚ୍ଚ ଦୁଇ ତୃତୀୟାଂଶରୁ ବି କମ ଥିବା ହିଣ୍ଡ୍ରେନଙ୍କ ଅଧ୍ୟୟନ କୁହେ। 

ଦେଶର ଧନିକବର୍ଗର ଲୋକେ ପାଖରେ ଟଙ୍କା ରଖନ୍ତିନି। ଏଣୁ ସେମାନେ ଖର୍ଚ୍ଚ ବି କରୁନାହାନ୍ତି। ମୋଟାମୋଟି ଭାବେ ସେମାନଙ୍କୁ ଘରଭଡା ଦେବାର ଚିନ୍ତା ନଥିବା ବେଳେ କରୋନା ମହାମାରୀରେ ଜୀବିକା ହରାଇବାର ପରିସ୍ଥିତିର ସମ୍ମୁଖୀନ ହୋଇ ନାହାନ୍ତି। ଏଣୁ ସେମାନେ  ଲକଡାଉନ୍‌ ହଟିବା ପରେ କିଣାକିଣିରେ ବୃଥା ଅର୍ଥ ବ୍ୟୟ କରୁନାହାନ୍ତି। ଅପର ପକ୍ଷରେ କରୋନା ମହାମାରୀ ବ୍ୟାପିବା ପୂର୍ବରୁ ଏପରି ଲୋକଙ୍କ ଚଳଣୀ ଯାହା ଥିଲା ତାହା ଏବେ ଆଉ ସେପରି  ରହି ନାହିଁ। ଏଣୁ ସେମାନଙ୍କର ଖର୍ଚ୍ଚ ଅପେକ୍ଷାକୃତ ହ୍ରାସ ହୋଇଛି।

ମହାମାରୀ ପୂର୍ବରୁ ସାଧାରଣ ଲୋକଙ୍କ ଗତାଗତ ନଥିବା ଦାମୀ ହୋଟେଲ ଓ ରେଷ୍ଟୁରାଣ୍ଟକୁ ସେମାନେ ଯାଉଥିଲେ। ସେହିପରି ମନୋରଞ୍ଜନ ଲାଗି ଭଲ ଥିଏଟର ଯାଉଥିଲେ। ହେଲେ ଏହି ସବୁ ସ୍ଥାନରେ ଏବେବି କଟକଣା ବଳବତ୍ତର ରହିବା ସେମାନଙ୍କ ଖର୍ଚ୍ଚ ହ୍ରାସର କାରଣ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏଭଳି ଲୋକଙ୍କୁ ଦୀର୍ଘ ବର୍ଷରୁ ସେବା ଯୋଗାଇଆସିଥିବା କ୍ଷେତ୍ରଗୁଡିକ ଏବେ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ନିଜ ଅସ୍ତିତ୍ୱ ବଞ୍ଚାଇବା ଲାଗି ସଂଗ୍ରାମ କରୁଥିବା ହିଣ୍ଡ୍ରେନଙ୍କ ରିପୋର୍ଟରୁ ଜଣାପଡିଛି। 

ଅନ୍ୟପକ୍ଷରେ ଦାରିଦ୍ର୍ୟଗ୍ରସ୍ତ ଅଞ୍ଚଳରେ ଥିବା ଛୋଟ ରେଷ୍ଟୁରାଣ୍ଟ ଓ ରିଟେଲ ଷ୍ଟୋରମାନେ ଖୁବ୍ ଶୀଘ୍ର ସେମାନଙ୍କ ପୂର୍ବ ସ୍ଥିତିକୁ ଫେରିଥିବା ହିଣ୍ଡ୍ରେନ ଓ ତାଙ୍କ ସାଥୀମାନେ ଅଧ୍ୟନରୁ ଜାଣିବାକୁ ପାଇଛନ୍ତି। ମାର୍ଚ୍ଚ ଓ ଏପ୍ରିଲ ମାସରେ ଖୁଚୁରା ବିକ୍ରୟ ହ୍ରାସ ହୋଇଥିଲା। ତେବେ ମେ ମାସରେ ପରିସ୍ଥିତିରେସୁଧାର ଆସିଥିବା ବେଳେ ଫେଡେରାଲ ରିଜର୍ଭ ଚେୟାରମ୍ୟାନ୍‌ ଜେରୋମୀ ପାୱେଲ୍ ଆର୍ଥିକ ପୁନରୁଦ୍ଧାର ଲାଗି ନିଆଯାଇଥିବା ପଦକ୍ଷେପ ସଫଳ ହେଉଥିବା କହିଥିଲେ। ତେବେ ନିକଟରେ ସିନେଟ୍ ବ୍ୟାଙ୍କିଙ୍ଗ କମିଟିକୁ ସମ୍ବୋଧିତ କରିବା ବେଳେ ବ୍ୟକ୍ତିଗତ ସେବା ପ୍ରଦାନକାରୀ ବ୍ୟବସାୟ ନିକଟ ଭବିଷ୍ୟତରେ ସୁଧୁରି ନ ପାରେ ବୋଲି କହିବା ଏବେ ଚିନ୍ତାର କାରଣ ପାଲଟିଛି।  

କରୋନା ମହାମାରୀ ଯୋଗୁ ଦେଶରେ ସ୍ୱଳ୍ପ ଆୟକାରୀ ବର୍ଗଙ୍କ ଏକ ବଡ ଗୋଷ୍ଠୀ ଜୀବିକା ହରାଇଥିଲେ। ଏମାନଙ୍କ ମଧ୍ୟରେ ଅନେକ ଉଚ୍ଚ ଆୟକାରୀଙ୍କ କ୍ଷେତ୍ରରେ କାର୍ଯ୍ୟରତ ଥିଲେ। ତେବେ ଲକଡାଉନ୍‌ ଯୋଗୁ ପରିସ୍ଥିତିରେ ସୁଧାର ଆସିବା ସହ ଅନେକ କର୍ମକ୍ଷେତ୍ରକୁ ଫେରିଥିବା ବେଳେ କିଛି କିନ୍ତୁ ଏବେବି ଜୀବିକା ସନ୍ଧାନରେ ଅଛନ୍ତି। ହୁଏତ ସେମାନେ କାମ କରୁଥିବା କ୍ଷେତ୍ରରେ ଏତେ ଶୀଘ୍ର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ନ ପାରେ ତେବେ ସେ ପର୍ଯ୍ୟନ୍ତ ସେମାନଙ୍କୁ ସଂଘର୍ଷ କରିବାକୁ ପଡିବ ବୋଲି ହିଣ୍ଡ୍ରେନ ଓ ତାଙ୍କ ସାଥୀମାନେ କହିଛନ୍ତି।

ଯେହେତୁ ମହାମାରୀ ମୁକାବିଲା ଲାଗି ଏପର୍ଯ୍ୟନ୍ତ ଔଷଧ ଅଥବା ଚିକିତ୍ସା ବିକଶିତ ହୋଇ ପାରିନି, ଏଣୁ ଜୀବିକା ହରାଇଥିବା ଲୋକେ ସରକାରଙ୍କ ନିକଟରେ ଅତିରିକ୍ତ ସହାୟତା ନିମନ୍ତେ ନିବେଦନ କରିପାରନ୍ତି ବୋଲି ଉଭୟ ପାୱେଲ ଏ ହିଣ୍ଡ୍ରେନ ପରାମର୍ଶ ଦେଇଛନ୍ତି। ତେବେ ଏପରି ଲୋକଙ୍କ ଲାଗି ଖୁବ ଶୀଘ୍ର ଯୋଜନା ଆଶିପାରେ ବୋଲି ମଧ୍ୟ ସେମାନେ ଆଶା ବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.