ଆଇନ ରଦ୍ଦ କରିକି ହିଁ ଫେରିବୁ, ସରକାର ଜୋରଜବରଦସ୍ତ କଲେ ହଜାର ହଜାର ଚାଷୀ ପ୍ରାଣଦେବେ:ଟିକୈତ
13/01/2021 at 7:45 PM

ମୁମ୍ବାଇ ୧୩।୧: ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକୈତ ବୁଧବାର ଚାଷୀମାନେ ସୁପ୍ରିମକୋର୍ଟଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି। କୋର୍ଟଙ୍କ ଆଦେଶର ଅକ୍ଷରେ ଅକ୍ଷରେ ପାଳନ ଲାଗି ମଧ୍ୟ ଚାଷୀ ପ୍ରତିବଦ୍ଧ। ତେବେ ସଂସଦରେ ସଂଶୋଧିତ କୃଷି ଆଇନ ୨୦୨୦କୁ ଅକାମୀ କରିବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।
ମୁମ୍ବାଇ ଗସ୍ତରେ ଆସିଥିବା ରାକେଶ ଟିକୈତ କୃଷି ଆଇନ ସଂସଦ ପ୍ରଣିତ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ଆଇନ ପ୍ରଣୟନ କରିନାହାନ୍ତି । ଏଣୁ ଆଇନକୁ ସଂସଦରେ ହିଁ ରଦ୍ଦ କରାଯିବା ଦରକାର ବୋଲି ସେ କହିଛନ୍ତି। ସାରା ଦେଶରେ ଚାଷୀ ଏବେ ଚେତିଛନ୍ତି। ଏଣୁ ବନ୍ଧୁକ ମୁନରେ ଆନ୍ଦୋଳନକୁ ସରକାର ଦବାଇ ପାରିବେନି ବୋଲି କହିଛନ୍ତି ।
ଯଦି ସରକାର ଚାଷୀଙ୍କୁ ଜୋର ଜବରଦସ୍ତ ହଟାଇବାକୁ ଉଦ୍ୟମ କରନ୍ତି ତେବେ ହଜାର ହଜାର ଚାଷୀ ପ୍ରାଣ ହରାଇବେ । ସରକାରଙ୍କ ଆଇନ ବିରୋଧରେ ଚାଷୀମାନେ ସାରା ଦେଶରେ ତିରଙ୍ଗାଯାତ୍ରା ଆୟୋଜନ କରିବାକୁ ଯାଉଥିବା ଟିକୈତ କହିଛନ୍ତି। ଏଣୁ ସରକାର ଚାଷୀଙ୍କ କାର୍ଯ୍ୟକ୍ରମକୁ ନେଇ ଚିନ୍ତା କରିବାର ନାହିଁ। ସଂସଦରେ ଆଇନ କିପରି ବାତିଲ କରେବେ ସେ ବିଷୟରେ ଚିନ୍ତା କରନ୍ତୁ ବୋଲି କହିଛନ୍ତି ଟିକୈତ ।