ଆଗାମୀ ୨ ମାସ ଆମେ ଅଧିକ ସତର୍କ ରହିବା: ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 06, 2021 IST

ଭୁବନେଶ୍ବର୬/୧: ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ଲକ୍‌ ଡାଉନ ମଧ୍ୟ ପୁଣି ଲାଗୁ କରାଗଲାଣି । ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ସହଯୋଗରେ ଆମେ କୋଭିଡ ସଂକ୍ରମଣକୁ ସଫଳ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିଛୁ । ଅଧିକାଂଶ ଜିଲ୍ଲା ଗ୍ରୀନ ଜୋନ୍‌ରେ ରହିଥିବା ବେଳେ ତୀଗ୍ର ସଂକ୍ରମଣ ପର୍ଯ୍ୟାୟ ଆମ ପାର୍‌ ହୋଇଯାଇଛୁ। ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ଏବଂ ଆଗଧାଡିରେ ରହି କାମ କରୁଥିବା ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ ଖୁବ୍‌ଶୀଘ୍ର ଏ ପରିସ୍ଥିତିରୁ ଆମେ ମୁକୁଳି ପାରିବା ବୋଲି ଆଶାବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଟୀକା ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର କରିଛି। ଏହି ଟୀକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ହୋଇଛି । ଏହି ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.