ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

କୋଭିଡ-୧୯ ସଂକ୍ରମଣକୁ ରୋକିବା ନେଇ ପ୍ରସ୍ତୁତି ଓ ପରିଚାଳନାରେ ଓଡ଼ିଶା ଆଗୁଆ, କରୋନା ଯୁଦ୍ଧରେ ଆମକୁ ଜିତିବାକୁ ହେବ-ମୁଖ୍ୟମନ୍ତ୍ରୀ

21/04/2020 at 12:02 PM

ଭୁବନେଶ୍ୱର ୨୧/୪: ରାଜ୍ୟରେ ସୋମବାର ଆଉ ୫ଟି କୋଭିଡ୍‌ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ସୋଆ ବିଶ୍ୱବିଦ୍ୟାଳୟର ‘ଆଇଏମଏସ୍‌ ଓ ସମ୍‌ ହସପିଟାଲ’ ପରିଚାଳନାରେ ଅନୁଗୁଳ ଜିଲ୍ଲା ତାଳଚେରରେ ମଧ୍ୟ ଏକ ୧୫୬ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ୫ଟି ଯାକ ହସପିଟାଲକୁ ଉଦଘାଟନ କରିଥିଲା ବେଳେ ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଲୋକସେବା ଭବନରୁ ନୂଆ କୋଭିଡ୍‌ ହସପିଟାଲ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଯୁଦ୍ଧରେ ଆମକୁ ଯେମିତି ହେଲେ ଜିତିବାକୁ ହେବ । ଏଥିପାଇଁ ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ପୁଲିସ ଓ ଜନସାଧାରଣଙ୍କ ସହଯୋଗର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । କରୋନା ସଂକ୍ରମଣକୁ ଏଡ଼ାଇବାକୁ ପ୍ରସ୍ତୁତି ଓ ପରିଚାଳନାରେ ସମଗ୍ର ଦେଶରେ ଓଡ଼ିଶା ଏବେ ଆଗରେ ରହିଛି । କରୋନା ଲଢ଼େଇରେ ଆମର ନିଶ୍ଚୟ ଜିତାପଟ ହେବ ବୋଲି ନବୀନଦମ୍ଭ ବାଢ଼ିଛନ୍ତି ।

ସୋମବାର ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଜଗତ୍‌ସିଂହପୁର ଓ ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲ ଖୋଲିଛି । ଏହି ୫ଟି ଯାକ ହସପିଟାଲରେ ମୋଟ ୮୨୫ ଶଯ୍ୟା ରହିଛି । ଆଜିର ୫ ହସପିଟାଲକୁ ମିଶାଇଲେ ରାଜ୍ୟରେ ଏବେ ୨୬ ଜିଲ୍ଲାରେ କୋଭିଡ୍‌ ହସପିଟାଲ ଚିକିତ୍ସା ସେବା ପାଇଁ ପ୍ରସ୍ତୁତ ହୋଇଥିଲା ବେଳେ ଶଯ୍ୟା ସଂଖ୍ୟା ୫ ହଜାରରେ ପହଞ୍ଚିଛି ।

କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲାରେ ଏଥିପାଇଁ ଯୁଦ୍ଧକାଳୀନ କାମ ହାତକୁ ନିଆଯାଇଥିଲା । ମାତ୍ର ମାସକ ମଧ୍ୟରେ ରାଜ୍ୟର ୨୬ ଜିଲ୍ଲାରେ ୫ ହଜାର ଶଯ୍ୟା ପ୍ରସ୍ତୁତ ହେବା ଏକ ରେକର୍ଡ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇବା ସହ ଏଥିପାଇଁ ସେ ସବୁ ଜିଲ୍ଲା ପ୍ରଶାସନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଟିପିସି, ଏମସିଏଲ୍‌, ଆଇଓସିଏଲ୍‌, ପିପିଟି ଓ ନାଲ୍‌କୋ ଏ ହସପିଟାଲ ପ୍ରତିଷ୍ଠାରେ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂସ୍ଥାଗୁଡ଼ିକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଏ ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ ହସପିଟାଲ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଭାବ ବିନିମୟ କରି ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ସଂକଟ ସମୟରେ ଚିକିତ୍ସା ସେବା ଯୋଗାଇବାକୁ ସୋଆ ବିଶ୍ୱ ବିଦ୍ୟାଳୟର ଉଦ୍ୟମ ଓ ଦାୟିତ୍ୱବୋଧକୁ ମୁଖ୍ୟମନ୍ତ୍ରୀ ଏ ଅବସରରେ ବେଶ ପ୍ରଶଂସା କରିଥିଲେ । ରାଜ୍ୟର କରୋନା ସଂକ୍ରମିତ ରୋଗୀମାନଙ୍କୁ ଏ ସ୍ୱତନ୍ତ୍ର କୋଭିଡ ହସ୍‌ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସେ ପୁଣି କହିଥିଲେ ।

ଏ ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କରୋନା ମୁକାବିଲାରେ ଓଡ଼ିଶା ସରକାର ହାତକୁ ନେିଥିବା ପଦକ୍ଷେପର ପ୍ରଶଂସା କରିଥିଲେ । ଏ ଯେଉଁ ସଂକଟ କରୋନା ଆଣିଛି କିଛି ଦିନ ମଧ୍ୟରେ ଓଡ଼ିଶା ଓ ଭାରତ ଏଥିରୁ ନିଶ୍ଚୟ ମୁକୁଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ନାଲକୋ ଓ ଏମସିଏଲ୍‌ କର୍ମଚାରୀମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଏ ଅବସରରେ ଶ୍ରୀ ଯୋଶୀ ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଧନ୍ୟବାଦ ଦେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କରୋନା ଲଢ଼େଇରେ ଏ ହସପିଟାଲଗୁଡ଼ିକ ପ୍ରମୁଖ ଭୂମିକା ତୁଲାଇବ ବୋଲି କହିଥିଲେ ।

ତାଳଚେରରେ ସମ୍‌ ହସପିଟାଲ ପରିଚାଳନାରେ କୋଭିଡ ହସପିଟାଲ ଖୋଲିଥିଲା ବେଳେ ଏଥିପାଇଁ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମସିଏଲ୍‌) ସହାୟତା ଯୋଗାଇ ଦେଇଛି । ତାଳଚେର ଏମସିଏଲ୍‌ ହସ୍ପିଟାଲ ପରିସରରେ କୋଭିଡ୍‌ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏମସିଏଲ ଆର୍ଥିକ ସହାୟତା ଦେଉଥିଲା ବେଳେ ସମ୍‌ ପକ୍ଷରୁ ଡାକ୍ତର, ନର୍ସ ଓ ଆନୁଷଙ୍ଗିକ ସମସ୍ତ ଡାକ୍ତରୀ ବ୍ୟବସ୍ଥା ଯୋଗାଇ ଦିଆଯିବ । ଏ ହସପିଟାଲ ପାଇଁ ସମ ହସପିଟାଲ, ଏମସିଏଲ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥଲା ।

ଏଥିରେ ସମ ହସପିଟାଲର ମେଡିକାଲ ସୁପରିନଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଏମସିଏଲ ତାଳଚେରର ଜେନେରାଲ ମ୍ୟାନେଜର ଏନ.ଜି ବ୍ରହ୍ମପୁରକର ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ କୁଳପତି ଅଶୋକ କୁମାର ମହାପାତ୍ର, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ସମ୍‌ର ବରିଷ୍ଠ ଡାକ୍ତର ଈଶ୍ୱର ବେହେରା ଓ ଡାକ୍ତର ବସନ୍ତ କୁମାର ପତି ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ, ସମ୍‌ ପରିଚାଳନାରେ ପୂର୍ବରୁ ଓଡ଼ିଶାର ବୃହତ୍ତମ କୋଭିଡ ହସପିଟାଲ (୫୨୫ ଶଯ୍ୟା) ସୋଆ କ୍ୟାମ୍ପସ ୨ ରେ ଆରମ୍ଭ ହୋଇଥିଲା ବେଳେ ନିକଟରେ କେନ୍ଦ୍ରାପଡ଼ା ଛତାଠାରେ ମଧ୍ୟ ୧୧୦ ଶଯ୍ୟାର ଏକ ହସ୍‌ପିଟାଲ ଖୋଲିଛି ।

ଆଇଓସିଏଲ୍‌ ଆର୍ଥିକ ସହାୟତାରେ ବିକାଶ ମଲ୍ଟି ସ୍ପେଶାଲିଟି ହସପିଟାଲ ସହଯୋଗରେ ଆଜି ବରଗଡ଼ରେ ୨ ଶହ ଶଯ୍ୟାର ଏକ ହସପିଟାଲ ଉଦ୍‌ଘାଟିତ ହୋଇଥିଲା ବେଳେ ସୁନ୍ଦରଗଡ଼ରେ ଡିଏମଏଫ୍‌ ଓ ଏନ୍‌ଟିପିସି ସହାୟତାରେ ୨ ଶହ ଶଯ୍ୟାର ହସ୍‌ପିଟାଲ ଖୋଲିଛି । ସେହିଭଳି ଓଡ଼ିଶା ସରକାର ଓ ପାରାଦୀପ ପୋର୍ଟ ସହାୟତାରେ ପାରାଦୀରେ ୭୫ ଶଯ୍ୟା ଏବଂ ନବରଙ୍ଗପୁରରେ ନାଲକୋର ଆର୍ଥିକ ସହାୟତାରେ ୨ ଶହ ଶଯ୍ୟାର କୋଭିଡ ହସ୍‌ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଗାମୀ ଦିନରେ ଏହି କୋଭିଡ୍‌ ହସପିଟାଲଗୁଡ଼ିକ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇବାରେ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

   Related Posts