ଜାତୀୟ ବିପତ୍ତିରେ ବାତ୍ୟା ସାହାଯ୍ୟ ମାଗି ଦେଶର ବୋଝ ବଢାଇବାକୁ ଚାହେଁନି ଓଡିଶା, ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌ର ଜବରଦସ୍ତ ଟ୍ରେଣ୍ଡ, ଇଣ୍ଟରନେଟ୍ ୟୁଜର କହିଲେ- 'ନବୀନ ପ୍ରକୃତ ଜନନାୟକ'

Published By : Prameya-News7 Bureau | May 28, 2021 IST

ଭୁବନେଶ୍ଵର ୨୮।୦୫: ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ମୁକାବିଲା କରୁଛି, ଏଭଳି ପରିସ୍ଥିତିରେ ଆମେ କେନ୍ଦ୍ର ଉପରେ କୌଣସି ଆର୍ଥିକ ବୋଝ ଲଦିବାକୁ ଚାହୁଁନୁ । ସେଥିପାଇଁ ବାତ୍ୟା ୟାସର କ୍ଷୟକ୍ଷତି ପାଇଁ ତତ୍କାଳ ଆର୍ଥିକ ସାହାଯ୍ୟ ଦାବି କରିନାହୁଁ । ନବୀନଙ୍କ ଏଭଳି ଚିନ୍ତାଧାରାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର । ସୋସିଆଲ ମିଡିଆରେ ନବୀନଙ୍କ ଏହି ଟୁଇଟ୍ ଜବରଦସ୍ତ ଟ୍ରେଣ୍ଡ କରୁଛି । ନବୀନ ଜଣେ ଷ୍ଟେଟସ୍ ମ୍ୟାନ ଭଳି ନିଜର ପରିଚୟ ଦେଇଛନ୍ତି ବୋଲି ଏବେ ଆଲୋଚନା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ତାଙ୍କର ଶାସନ ବା ରେକର୍ଡ ବିଜୟ ପାଇଁ ଚର୍ଚ୍ଚିତ ନୁହନ୍ତି। ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ବିପର୍ଯ୍ୟୟ ପରିଚାଳନ ତାଙ୍କ ଶାସନରେ ରାଜ୍ୟର ବିକାଶର ରୋଡ୍ ମ୍ୟାପକୁ ଅଧିକ ଆଖି ଦୃଶିଆ କରିଛି। ଠିକ୍ ସେହି ଭଳି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିନ୍ତଧାରା ଠାରୁ ମଧ୍ୟ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା  ବେଶ ନିଆରା। ତାହା  କେତେ ଉପରେ ତାକୁ ନେଇ ସୋସିଆଲ ମିଡିଆରେ ଏକ ତୁଳନାତ୍ମକ ଚିତ୍ର ଦେଉଛନ୍ତି ଅନେକ ୟୁଜର୍ସ ବା ନେଟିଜେନ୍ସ।

ନେଟିଜେନ୍ସଙ୍କ ମତରେ ନବୀନଙ୍କ ଏପରି କଥାରୁ ସ୍ପଷ୍ଟ ଯେ , ଆଞ୍ଚଳିକ ରାଜନୀତିରୁ ଉର୍ଦ୍ଧକୁ ଉଠି ବି ଦେଶ କଥା ଆଗ ଚିନ୍ତା କରାଯାଇପାରିବ । କେବଳ ଓଡିଶା ନୁହେଁ ସାରା ଦେଶ ଆଜି କୋଭିଡ ମହାମାରୀ ସ୍ଥିତିକୁ ମୁକାବିଲା କରୁଛି । ଏହି ସମୟରେ ବାତ୍ୟା ୟାସ ୩ଟି  ରାଜ୍ୟ ଓଡିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ଅନେକ କ୍ଷୟକ୍ଷତି କରିଛି।  ଓଡିଶାର ୪ ଜିଲ୍ଲା ପ୍ରଭାବିତ ହୋଇଛି । ହେଲେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଓଡିଶା ସରକାର ବାତ୍ୟା କ୍ଷୟକ୍ଷତି ପାଇଁ କୌଣସି ଆର୍ଥିକ ଅନୁଦାନ ଦାବି କରିନାହାଁନ୍ତି । ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରି ଦିଲ୍ଲୀ ଫେରିବା ପରେ ଓଡିଶା ପାଇଁ ୫୦୦ କୋଟି ଟଙ୍କା ବାତ୍ୟା ସହାୟତା ମଞ୍ଜୁର କରିଛନ୍ତି ।

wp:html /wp:html

କିନ୍ତୁ ସମୀକ୍ଷା ବୈଠକରେ ରାଜ୍ୟ ସରକାର ସ୍ପଷ୍ଟ କରିଥିଲେ ଯେ, ୟାସ ଜନିତ ସମସ୍ତ କ୍ଷତିର ଭରଣା ସରକାର ନିଜସ୍ବ ପାଣ୍ଠିରୁ କରିବେ ।  ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ଟୁଇଟ୍ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଟ୍ୱିଟ୍ ଖୁବ କମ ସମୟରେ ଭାଇରାଲ ହେବାରେ ଲାଗିଥିଲା । ନବୀନଙ୍କ ଏହି ଟ୍ୱିଟକୁ ଅନେକ ରିଟ୍ୱିଟ୍ କରିଥିଲେ । କେହି କେହି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ କମେଣ୍ଟ୍ କରି ତାଙ୍କୁ ମହାନ ଏବଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଜନନାୟକ ବା ଷ୍ଟେଟ୍ସ ମ୍ୟାନ ବୋଲି ବର୍ଣ୍ଣନା କରିଛନ୍ତି । କିଛି ଟୁଇଟର ବ୍ୟବହାରକାରୀ ତ ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ଶିଖନ୍ତୁ ବୋଲି  ପରାମର୍ଶ ଦେଇଛନ୍ତି ।

ତେବେ ଏହା ନବୀନଙ୍କ ପାଇଁ ପ୍ରଥମ କଥା ନୁହେଁ । ଧାରା ୩୭୦ ଉଛେଦ ଠାରୁ ଆରମ୍ଭ କରି ଦେଶରେ ଏକକ GST ବ୍ୟବସ୍ଥା ପ୍ରଚଳନ ପର୍ଯ୍ୟନ୍ତ ଜାତୀୟ ସ୍ଵାର୍ଥ ଜଡିତ  ଅନେକ ବଡବଡ ନିଷ୍ପତ୍ତିରେ ନବୀନ କେନ୍ଦ୍ର ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ଠିକ୍ ସେହିଭଳି ରାଜ୍ୟର ସ୍ଵାର୍ଥ୍ୟ ପାଇଁ ସାଲିସ ନକରି ହକ୍ ପାଇଁ କେନ୍ଦ୍ର ସହ ମୁକାବିଲା କରିବାକୁ ପଛାଇ ନାହାଁନ୍ତି । ସେଥିପାଇଁ ସାରାଦେଶରେ ନବୀନ ନିଜ ମୁଖ୍ୟମନ୍ତ୍ରୀତ୍ବ କାଳରେ ନିଜପାଇଁ ଏକ ସ୍ବତନ୍ତ୍ର ଛବି ତିଆରିକରିଛନ୍ତି । ସାରା ଦେଶରେ ଏଥିପାଇଁ ନବୀନଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ବି କିଛି କମ୍ ନାହିଁ ।…. 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.