ପଶ୍ଚିମବଙ୍ଗରେ ରାଜନୈତିକ ହିଂସା, ବିଜେପିର ପ୍ରଚାର ଗାଡି ଭଙ୍ଗାରୁଜା କଲେ ଟିଏମସି କର୍ମୀ ! ଚୋରି କରିନେଲେ ନାମୀଦାମୀ ସାମଗ୍ରୀ
27/02/2021 at 8:46 AM

କୋଲକାତା,୨୭/୦୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଏହା ମଧ୍ୟରେ ସରକାରରେ ଥିବା ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ହିଂସା ବଡିବାରେ ଲାଗିଛି । ରାଜ୍ୟର ସ୍ୱଭୂମିର କଡାପାରାରେ ବିଜେପିର ପାର୍ଟି ଅଫିସ ନିକଟରେ ଛିଡା ହୋଇଥିବା ଏକ ପ୍ରଚାର ଗାଡିକୁ କିଛି ଟିଏମସି କର୍ମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ବିଜେପି ଅଭିଯୋଗ କରିଛି ଯେ, ଟିଏମସିର କିଛି କର୍ମୀ କଡାପାରାରେ ଥିବା ଦଳୀୟ କାର୍ଯ୍ୟାଳୟରେ ଧସେଇ ପସିଥିଲେ । ସେଠାରେ ସେମାନେ ଭଙ୍ଗାରୁଜା କରିବା ସହ ନାମୀଦାମୀ ଜିନିଷ ଚୋରି କରି ନେଇଥିଲେ । ବିଜେପି ସେହି ସମୟରେ ଏହି ଅଭିଯୋଗ କରିଛି ଯେତେବେଳେ ନିର୍ବାଚନ ଆୟୋଗ ମତଦାନ ତାରିଖ ଘୋଷଣା କରିଛନ୍ତି ।

ବିଜେପି ପକ୍ଷରୁ ଏହି ମାମଲାରେ ଥାନାରେ ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଏହି ମାମଲାରେ ଟିଏମସିକୁ ଟାର୍ଗେଟ୍ କରିଛନ୍ତି ।
ନିର୍ବାଚନ ଆୟୋଗଙ୍କ ଅନୁସାରେ, ୮ଟି ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ଏପ୍ରିଲ ୧ରେ ଦ୍ୱିତୀୟ, ଏପ୍ରିଲ ୬ରେ ତୃତୀୟ, ଏପ୍ରିଲ ୧୦ରେ ଚତୁର୍ଥ, ଏପ୍ରିଲ ୧୭ରେ ପଞ୍ଚମ , ଏପ୍ରିଲ ୨୨ରେ ଷଷ୍ଠ, ଏପ୍ରିଲ ୨୬ରେ ସପ୍ତମ ଓ ଏପ୍ରିଲ ୨୯ରେ ଅଷ୍ଟମ ପର୍ଯ୍ୟାୟ ମତଦାନ ହେବ ।