‘ନିଆଁ ଝରଣା’: ଦେଖିଲେ ଲାଗିବ ସତେ ଯେମିତି ପାହାଡ ଉପରୁ ଖସୁଛି ଜ୍ୱାଳାମୁଖୀ
17/01/2021 at 7:44 PM

କାଲିଫର୍ନିଆ ୧୭/୦୧ : ଆପଣ ଅନେକ ଝରଣା ବା ୱାଟରଫଲ୍ ଦେଖିଥିବେ। କିନ୍ତୁ କେବେ ଫାୟାରଫଲ୍ ଦେଖିଛନ୍ତି କି ? ଆଶ୍ଚର୍ଯ୍ୟ ହୁଅନ୍ତୁନି। ଏହା ସତରେ ନିଆଁ ଝରଣା ନୁହେଁ। ଏହି ଝରଣା କାଲିଫର୍ନିଆରେ ଅଛି। Yosemite ଝରଣା ଏମିତି ଏକ ଝରଣା ଯେଉଁଠାରେ ସୂର୍ଯ୍ୟ କିରଣ ସିଧାସଳଖ ପଡିଥାଏ।

ସୂର୍ଯ୍ୟ ଅସ୍ତ ବେଳେ ଏଠାରେ ପ୍ରକୃତିର ମନୋରମ ଦୃଶ୍ୟ ଦେଖିବାକୁ ମିଳିଥାଏ। ସୂର୍ଯ୍ୟ କିରଣ ଯେତେବେଳେ ଝରଣା ପାଣି ଉପରେ ପଡିଥାଏ ଝରଣା ପାଣି ନିଆଁ ଭଳି ଚକ ଚକ କରିଥାଏ। ଏହି ଦୃଶ୍ୟ ଦେଖି ଏମିତି ଜଣାପଡେ ଯେପରି ଜ୍ୱାଳାମୁଖୀ ବା ଲାଭା ପାହାଡରୁ ତଳକୁ ଖସୁଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ପ୍ରତି ବର୍ଷ ଫେବୃଆରୀ ମାସ ପାଖାପାଖି ଏହି ୱାଟରଫଲ୍ ନାଲି ଓ ନାରଙ୍ଗୀ ରଙ୍ଗରେ ଚମକିବା ନଜର ଆସିଥାଏ। ଏହାକୁ ୟୋସେମିଟି ୱାଟରଫଲ ମଧ୍ୟ କୁହାଯାଏ। ଏହି ୱାଟରଫଲ୍ ୨ ହଜାର ଫୁଟ ଉଚ୍ଚ। ଏହି ଝରଣା ଏତେ ସୁନ୍ଦର ଯେ ତାକୁ ଦେଖିବାକୁ ବହୁ ଦୂରରୁ ଲୋକେ ଆସିଥାନ୍ତି।

ଏହି ରାଷ୍ଟ୍ରୀୟ ପାର୍କ ବିଶ୍ୱର ସବୁଠାରୁ ଆକର୍ଷଣୀୟ ଜାଗାମାନଙ୍କ ମଧ୍ୟରୁ ଗୋଟିଏ। ଏହି ଝରଣାକୁ ଦେଖିବାକୁ ବର୍ଷକୁ ପ୍ରାୟ ୩୫ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି।