ମୁମ୍ବାଇ ପରିବହନ ସେବାରେ ସାମିଲ ହେବ Water taxi, ଡିସେମ୍ବର ସୁଦ୍ଧା ୪ଟି ରୁଟରେ ମିଳିବ ସେବା
7/04/2021 at 9:59 PM

ନୂଆଦିଲ୍ଲୀ ୭।୪: ମୁମ୍ବାଇ ପରିବହନ ସେବାରେ ଖୁବ୍ ଶୀଘ୍ର ନୂଆ ପରିବର୍ତ୍ତନ ଆସିବାକୁ ଯାଉଛି। ବୁଧବାର କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ସୂଚନା ଦେଇଛନ୍ତି। ସଡ଼କ ଉପରେ ଚାପ ହ୍ରାସ ଲାଗି ଆର୍ଥିକ ରାଜଧାନୀରେ ୱାଟର ଟ୍ୟାକ୍ସି ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଡିସେମ୍ବର ସୁଦ୍ଧା ୪ଟି ରୁଟରେ ରୋଲ-ଅନ-ରୋଲ-ଅଫ କମ୍ ପାସେଞ୍ଜର ଫେରି ସର୍ଭିସ୍ ‘ରୋପାକ୍ସ’ ମାଧ୍ୟମରେ ସେବା ଯୋଗାଇ ଦିଆଯିବ ବୋଲି ମାଣ୍ଡବ୍ୟ କହିଛନ୍ତି।

ରୋପେକ୍ସ ସେବା ଏବେ ମୁମ୍ବାଇ-ମାଣ୍ଡବା ମଧ୍ୟରେ ଉପଲବ୍ଧ ଅଛି। ଫଳରେ ୧୧୦ କିଲୋମିଟର ସଡ଼କ ଯାତ୍ରାକୁ ଜଳମାର୍ଗରେ ମାତ୍ର ୧୮ କିଲୋମିଟରରେ ସୀମିତ କରାଯାଇପାରିଛି। ଫଳରେ ଦୈନିକ ଯାତାୟାତ କରୁଥିବା ଲୋକଙ୍କ ଯାତ୍ରା ସମୟ ୩-୪ ଘଣ୍ଟାରୁ ହ୍ରାସ ହୋଇ ମାତ୍ର ୧ ଘଣ୍ଟାରେ ସୀମିତ ହୋଇପାରିଛି। ଏହି ଫେରି ସେବାର ଲାଭକୁ ନଜରରେ ରଖି ଏବେ ଅନ୍ୟ ମାର୍ଗରେ ମଧ୍ୟ ୱାଟର ଟ୍ୟାକ୍ସି ଉପଲବ୍ଧ କରିବା ଲାଗି ନୂଆ ଦିଲ୍ଲୀରେ ଆୟୋଜିକ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।

ମାଣ୍ଡବ୍ୟ ମୁମ୍ବାଇରେ ସହର ଜଳ ପରିବହନ ପ୍ରକଳ୍ପର ସମୀକ୍ଷା ବୈଠକ ଡାକିଥିଲେ। ଏଥିରେ ମନ୍ତ୍ରାଳୟଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ମୁମ୍ବାଇ ବନ୍ଦରର ଅଧ୍ୟକ୍ଷ, ମହାରାଷ୍ଟ୍ର ମେରିଟାଇମ୍ ବୋର୍ଡର ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ। ରୋପେକ୍ସ ଟର୍ମିନାଲ (ଫେରିଜେଟି)ରୁ ନେରୁଲ, କାଶିଦ ଓ ମୋରା ସମେତ କରଞ୍ଜାରୁ ରେବାସ ଲାଗି ସେବା ଯୋଗାଇ ଦିଆଯାଇପାରିବ। ସେହିପରି ୱାଟର ଟ୍ୟାକ୍ସି ଲାଗି ଡୋମେଷ୍ଟିକ୍ କ୍ରୁଜ ଟର୍ମିନାଲରୁ ନେରୁଲ, ବେଲାପୁର, ଭାସୀ, ଏରୋଲୀ, ରେବାସ, କରଞ୍ଜା, ଧରମତର ଓ କାହ୍ନୋଜୀ ଆଗ୍ରେ ଦ୍ୱୀପକୁ ୱାଟର ଟ୍ୟାକ୍ସି ସେବା ମିଳିପାରିବ ବୋଲି ମାଣ୍ଡବ୍ୟ କହିଛନ୍ତି।