ଭୁବନେଶ୍ବର (ଅମର ପଟ୍ଟନାୟକ) ୧୦|୫: ଫୋନି ପ୍ରଭାବରେ ରାଜଧାନୀ ଭୁବନେଶ୍ବର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ୍ ଓ ଜଳଯୋଗାଣ ଦିନ ଦିନ ଧରି ବନ୍ଦ ରହିବା କାରଣରୁ ଭୁବନେଶ୍ବରବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘରେ ଘରେ ବୋରୱେଲ ଥାଇ ମଧ୍ୟ ଟାଙ୍କିକୁ ପାଣି ଉଠାଇବା ସମ୍ଭବ ହେଲାନାହିଁ । ଜେନେରେଟର ଲଗାଇ ଘଣ୍ଟାକୁ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଛନ୍ତି ଜେନେରେଟର ବ୍ୟବସାୟୀ ।
ରାଜଧାନୀର ଏଭଳି ସ୍ଥିତିରେ ଯେତେବେଳେ ପିଏଚ୍ଇଡି ପାଣି ଯୋଗାଣ ହେଲା ଲୋକେ ଆଶ୍ବସ୍ତ ହେଲେ । ଖାଲି ସେତିକି ନୁହେଁ ସାହିପଡିଶାଙ୍କୁ ଡାକି ଲୋକେ ପାଣି ବାଣ୍ଟିବା ଭଳି କାମ କଲେ । ଠିକ୍ ଏତିକି ବେଳେ ମନେ ପଡିଛି ରାଜଧାନୀ ବାସିନ୍ଦାଙ୍କ ଦ୍ବାରା ସାଧାରଣ ସମୟରେ ଜଳ ଅପଚୟର କଥା । ଘର ଉପରେ ଟାଙ୍କିକୁ ପାଇପ୍ ସଂଯୋଗ ସିଧାସଳଖ ଦେଇ ଲୋକେ ବେଧଡକ ବସିଯାଆନ୍ତି । ଟାଙ୍କି ପୂରିବା ପରେ ଓଭରଫ୍ଲୋ ପାଣି ରାସ୍ତାରେ ସୁଅ କାଟେ । କେହି କହିଲେ ମଧ୍ୟ ସଂପୃକ୍ତ ଘରମାଲିକ ଓ ଭଡାଟିଆ ଓଲଟା ଉତ୍ତର ଦିଅନ୍ତି । ରାଜଧାନୀର ଅଧିକାଂଶ ଅଞ୍ଚଳରେ ପାଇପ୍ ଜଳ ନଷ୍ଟ ହେବାର ହଜାର ହଜାର ଉଦାହରଣ ଦେଖିବାକୁ ମିଳିବ ।
ତେବେ ବାତ୍ୟା ଫୋନି ଜଳ ସଂରକ୍ଷଣ ଓ ପରିଚାଳନା ନେଇ ଚିନ୍ତା କରିବାକୁ ଏକ ପ୍ରକାର ବାଧ୍ୟ କରିଛି । ଭୁବନେଶ୍ବରରେ ପ୍ରାୟ ୮ ଲକ୍ଷ ଜନସଂଖ୍ୟାକୁ ଚାହିଁ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି, ତେବେ ରାଜଧାନୀର ଜନସଂଖ୍ୟା ଏବେ ୧୨ ଲକ୍ଷରୁ ଅଧିକ । ମୁଖ୍ୟତଃ ଦିନକୁ ୬୯ ମିଲିୟନ ଲିଟର ଏବଂ ୮୩ ମିଲିୟନ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ବୃହତ ଜଳ ବିଶୋଧନ ପ୍ରକଳ୍ପ ଦ୍ବାରା ଭୁବନେଶ୍ବର ମହାନଗର ନିଗମ ବାସିନ୍ଦାଙ୍କୁ ପାଣି ଯୋଗାଇଦିଆଯାଉଛି ।
ବର୍ତ୍ତମାନ କ୍ରମବର୍ଦ୍ଧିଷ୍ଣୁ ଜନତାଙ୍କୁ ପାନୀୟ ଜଳ ଯୋଗାଣ ସରକାରଙ୍କ ପାଇଁ ବଡ ଆହ୍ବାନ ହୋଇଛି । ସରକାର ଏ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ମୁଖ୍ୟତଃ କୁଆଖାଇ ଓ ନରାଜରୁ ମହାନଦୀର ଜଳକୁ ଅଣାଯାଇ ବିଶୋଧନ କରି ଭୁବନେଶ୍ବର ବାସିନ୍ଦାଙ୍କ ଚାହିଦା ମେଣ୍ଟାଯାଉଛି ।
ସବୁଠାରୁ ବିଡମ୍ବନାର ବିଷୟ ହୋଇଛି ରାଜଧାନୀର ପାଇପ ଜଳ ଉପଭୋକ୍ତାଙ୍କ ଦାୟିତ୍ବହୀନତା । ରାଜଧାନୀର ସମ୍ଭ୍ରାନ୍ତ ଅଞ୍ଚଳ ବୁଲିଲେ ଦେଖିବାକୁ ମିଳୁଛି କ୍ବାର୍ଟର୍ସ ଗୁଡିକର ଟାଙ୍କିରୁ ଅନବରତ ଉଦ୍ବୃତ୍ତ ଜଳ ବାହାରେ ପଡୁଛି ।
ଅନେକ ସ୍ଥାନରେ ଏହି ଓଭରଫ୍ଲୋ ପାଣି ଯୋଗଁ କଲୋନୀର ରାସ୍ତାଘାଟ ଖରାପ ହେଉଛି । ରାସ୍ତାରେ ପାଣି ଭାସୁଥିବା ବେଳେ ଘରମାଲିକ ଓ ଉପଭୋକ୍ତାଙ୍କର ଚିନ୍ତା ନାହିଁ । ଯେଭଳି ବିଦ୍ୟୁତ ବିଲ୍ ଆଦାୟ ଓ ମିଟର ଯାଞ୍ଚକୁ କଡାକଡି କରାଯିବା ପରେ ଉପଭୋକ୍ତା ଅଧିକ ସଚେତନ ହେବା ସହିତ ବିଦ୍ୟୁତ ଅପଚୟ ବାବଦରେ ସଚେତନ ହୋଇଛନ୍ତି ସେହିପରି ପାଣି ମିଟର ବାଧ୍ୟତାମୂଳକ କଲେ ପାଇପ ଜଳ ଅପଚୟକୁ ରୋକିବା ସମ୍ଭବ ହୋଇପାରିବ ।
ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ ହାଇଦ୍ରାବାଦ ଓ ବାଙ୍ଗାଲୋର ଭଳି ମହାନଗରୀରେ ପାଇପ୍ ଜଳରେ ମିଟର ବାଧ୍ୟତାମୂଳକ। ଫଳରେ ସେଠାକାର ବାସିନ୍ଦା ପାଣିର ବ୍ୟବହାର ନେଇ ଯଥେଷ୍ଟ ସଚେତନ । ଭୁବନେଶ୍ବରରେ ଯେତେ ପରିମାଣର ଜଳ ଅପଚୟ ହୋଇ ଡ୍ରେନ୍ରେ ବହିଯାଉଛି ତାକୁ ସଂଚୟ କରାଯାଇପାରିଲେ ଆହୁରି ୪ରୁ ୫ ଲକ୍ଷ ଲୋକଙ୍କ ଜଳକଷ୍ଟ ଦୂର ହୋଇପାରିବ । ସେପଟେ ପାଇପ୍ ଜଳ ସବୁ ଅଞ୍ଚଳକୁ ଠିକ୍ ଭାବରେ ଯାଇପାରୁନଥିବାରୁ ରାଜଧାନୀର ଅଧିକାଂଶ ଲୋକ ଏବେ ଭୂତଳ ଜଳ ଉତ୍ସ ଉପରେ ନିର୍ଭରଶୀଳ ।
ପ୍ରତି ପ୍ଲଟରେ ଏଥିପାଇଂ ଲୋକେ ଖୋଳି ଚାଲିଛନ୍ତି ବୋରୱେଲ ଆଉ ମନଇଚ୍ଛା ବ୍ୟବହାର କରୁଛନ୍ତି ଭୂତଳ ଜଳ । ଏହା ଉପରେ କୌଣସି ନିୟମ କିମ୍ବା କଟକଣା ନାହିଁ ।ଖାଲି ସେତିକି ନୁହେଁ ରାଜଧାନୀରେ ଛତୁଫୁଟିଲା ଭଳି ନିର୍ମାଣ ହେଉଥିବା ଆପାର୍ଟମେଣ୍ଟ ଗୁଡିକ ମଧ୍ୟ ଡିପ୍ ବୋରୱେଲ ଖୋଳି ବେଆଇନ ଭାବେ ଭୂତଳ ଜଳର ବ୍ୟବହାର କରୁଛନ୍ତି । ଭୂତଳ ଜଳର ଅବିଚାରିତ ବ୍ୟବହାର ଯୋଗୁଁ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନ ରାଜଧାନୀ କୁ ଭୂକମ୍ଫ ବିପଦ ଆଡକୁ ଟାଣି ନେଉଛି । ଏବେ ଠାରୁ ଏ ନେଇ ସଚେତନ ନହେଲେ ଆଗକୁ ରାଜଧାନୀବାସୀ ବଡ ବିପଦର ସମ୍ମୁଖୀନ ହେବା ନିଶ୍ଚିତ
ତେବେ ଉଦ୍ବେଗର ବିଷୟ ଯେ ନିଜର ମିଠା ପାଣି ପାଇଁ ସାରା ଦେଶରେ ପରିଚିତ ଥିବା ଭୂବନେଶ୍ବରରେ ଭୂତଳ ଜଳସ୍ତର ଏବେ ଚିନ୍ତାଜନକ ଭାବେ ତଳକୁ ଖସିଗଲାଣି । ରାଜଧାନୀରେ ପୁରୁଣା ପୋଖରୀ ମଧ୍ୟରୁ ଅନେକ ପୁନୋରୁଦ୍ଧାର ହୋଇପାରୁନାହିଁ । ଖାଲି ସେତିକି ନୁହେଁ ଅନେକ ପୋଖରୀକୁ ପୋତି ଲୋକେ ବାସସ୍ଥାନ କରିସାରିଲେଣି ।
ଖୋଲା ସ୍ଥାନର ଅଭାବ ଓ ଗଛକଟା ଯୋଗୁଁ ଭୂତଳ ଜଳ ବୃଦ୍ଧି କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି । ଭୀମଟାଙ୍ଗୀ ଭଳି ଅଞ୍ଚଳରେ ଜଳସ୍ତର ସାଢେ ୪ ଫୁଟ ଖସି ଯାଇଥିବା ବେଳେ ଗଙ୍ଗନଗର ଭଳି ଅଞ୍ଚଳରେ ଏହା ୭ ଫୁଟକୁ ଖସିଯାଇଛି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସି.ଜି.ଡବ୍ଲୁ.ବି)ର ୨୦୧୮ ବର୍ଷା ପୂର୍ବର ପରୀକ୍ଷଣ ଏହି ଉଦ୍ବେଗକୁ ଅଧିକ ସ୍ପଷ୍ଟ କରୁଛି ।
ସେପଟେ ରାଜଧାନୀରେ ଆଇନ ସମ୍ମତ ଭାବେ ଯେତେ ଲୋକ ପାଣି ପାଇପ୍ କନେକ୍ସନ ନେଇଛନ୍ତି ବେଆଇନ ବ୍ୟବହାରକାରୀଙ୍କର ସଂଖ୍ୟା ତା ଠାରୁ ଢେର ଅଧିକ । ପ୍ରତିଦିନ ରାଜଧାନୀର ବିଭିନ୍ନ ଅଞ୍ଚଳରେ ରାତିଅଧିଆ ପାଇପ୍ କନେକ୍ସନ ନିଆଯାଉଛି । ତାର ହିସାବ ବିଭାଗ ପାଖରେ ନାହିଁ ଏଥିରେ କିଛି ଅସାଧୁ ପାଇପ୍ କର୍ମଚାରୀଙ୍କ ହାତ ରହୁଥିବାର ଅଭିଯୋଗ ଆସୁଛି । ବିଏମ୍ସି କର୍ତ୍ତୃପକ୍ଷ ବିଭିନ୍ନ ବସ୍ତିରେ ଆଇନ ସମ୍ମତ ଭାବେ ପାଇପ୍ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି । କିନ୍ତୁ ରାଜଧାନୀରେ ଛତୁ ଫୁଟିଲା ଭଳି ଗଢିଉଠୁଥିବା ନୂଆ ବସ୍ତି ଗୁଡିକରେ ବେଆଇନ ପାଣି ସଂଯୋଗ ମଧ୍ୟ ଉଦ୍ବେଗର କାରଣ ହୋଇଛି ।
ଜଳ ଯୋଗାଣ ବ୍ୟବସ୍ଥାକୁ ସୁଚାରୁ ଢଙ୍ଗରେ ପରିଚାଳନା କରାଯାଇପାରିଲେ ସରକାରଙ୍କ ରାଜସ୍ବ ବୃଦ୍ଧି ହୋଇପାରିବ । ଅନ୍ୟପକ୍ଷରେ ଜଳକଷ୍ଟରେ ରହୁଥିବା ହଜାର ହଜାର ରାଜଧାନୀ ବାସିନ୍ଦାଙ୍କ ନିକଟରେ ପାଇପ୍ ଜଳ ପହଞ୍ଚିପାରନ୍ତା । ବେଳ ଥାଉଁ ଥାଉଁ ପ୍ରଶାସନ ସଜାଗ ହେବା ସହିତ ରାଜଧାନୀ ଭୁବନେଶ୍ବରରେ ପାଇପ୍ ଜଳ ଯୋଗାଣ ବେଳେ ପାଣି ମିଟରକୁ କଡାକଡି ଭାବେ ଲାଗୁ କରିବାର ଆବଶ୍ୟକତା ଦେଖାଦେଇଛି ।