୫-ଟି'ରେ ସାମିଲ ହେଲା ଜଳ ସମ୍ପଦ ବିଭାଗ, ଆରମ୍ଭ ହେଲା ଚାରୋଟି ଅନଲାଇନ୍ ସେବା

Published By : Prameya-News7 Bureau | November 09, 2020 IST

ଭୁବନେଶ୍ୱର, ୦୯।୧୧: ୫ଟିରେ ସାମିଲ ହେଲା ଆଉ ଏକ ବିଭାଗ । ରାଜ୍ୟ ଜଳ ସମ୍ପଦ ବିଭାଗ ଏବେ ୫ଟିରେ ସାମିଲ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ୪ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ ମଧ୍ୟ କରିଛନ୍ତି ।  “ସେଚ ସମାଧାନ” ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ  ଆବେଦନ ପୋର୍ଟାଲ ଏହିପରି ୪ଟି ଗୋଟି  ଅନ୍‌ଲାଇନ ସେବା ବ୍ୟବସ୍ଥା ଆରମ୍ଭ ହୋଇଛି ।   ଏବେ ଜଳସେଚନ ସମସ୍ୟା ପାଇଁ ଚାଷ କାମ ଛାଡି ଆଉ  ଚାଷୀକୁ ଅଫିସକୁ ଦୌଡିବାକୁ ଦରକାର ହେବ ନାହିଁ । ଏହି ଅନଲାଇନ୍ ସେବା ଦ୍ୱାରା  ମୋବାଇଲ ଫଟୋରୁ ସମସ୍ୟାର ସମାଧାନ ହେବ।

ଏହି ଅବସରରେ  ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଚାଷୀମାନେ ହେଉଛନ୍ତି ଜଳସଂପଦ ବିଭାଗର ସର୍ବବୃହତ ହିତାଧିକାରୀ। ତେଣୁ ଏହି ଅନ୍‌ଲାଇନ ସେବା ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଶେଷ ସହାୟକ ହେବା ସହିତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ବାରା ବିଭାଗକୁ ଅଧିକ ଉତ୍ତରଦାୟୀ ଓ ସ୍ବଚ୍ଛ ସେବା ପ୍ରଦାନରେ ସହାୟକ ହେବ। ଏହାସହିତ ବିଜୁ କୃଷକ ଯୋଜନାର ଆବେଦନ ପ୍ରକ୍ରିୟାକୁ ମଂଜୁର କରିବାରେ ମଧ୍ୟ  ସମୟୋଚିତ ପଦକ୍ଷେପ ନିଆଯାଇପାରିବ । ସେହିପରି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ପାଇଁ କରାଯାଇଥିବା ଅନ୍ ଲାଇନ  ସେବା ମଧ୍ୟ ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିବା ସହିତ ଲୋକଙ୍କୁ ନିଜ ଘର ପାଖରେ ସରକାରୀ ସେବା ଯୋଗାଇବା ପାଇଁ ଥିବା ଲକ୍ଷ୍ୟ ପୂରଣରେ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।ଏହି ସେବା ବିଷୟରେ ବହୁଳ ଜନସଚେତନତା ଊପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଜଳସଂପଦ ବିଭାଗ ପକ୍ଷରୁ ଅନ୍ୟତମ ୫-ଟି ଲକ୍ଷ୍ୟ ଡିଜିଟାଲ ମଷ୍ଟର ରୋଲ୍‌ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜଳସଂପଦ ତଥା ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଶାସନକୁ ଅଧିକ ଦକ୍ଷ ଓ  ଉତ୍ତରଦାୟୀ କରିବା ପାଇଁ ଜଳସଂପଦ ବିଭାଗ ଡିଜିଟାଲ ଟେକ୍ନୋଲୋଜି ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ୫-ଟି ଲକ୍ଷ୍ୟ ପୂରଣ କରିବା ସହିତ ଚାଷୀ ମାନଙ୍କୁ ଉନ୍ନତ ସେବା ଯୋଗାଇଦେବ ବୋଲି କହିଥିଲେ । ସେହିପରି ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ  ଏବଂ ବିଭାଗୀୟ ଯନ୍ତ୍ରୀମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ବିଭାଗର ପ୍ରମୁଖ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.