ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ
8/03/2021 at 9:14 PM

ଆଠଗଡ଼, ୦୮/୦୩ : ଖରା ଦିନ ନଆସୁଣୁ ପାଣି ପାଇଁ ହାହାକାର । ଦୁଇ ମାସ ହେଲା ଲୋକେ ପିଇବା ପାଣି ଟିକେ ପାଇବାକୁ ଡହଳବିକଳ ହେଉଛନ୍ତି । ନେତା ଠାରୁ ଅଧିକାରୀ ଯାଏ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ କେହି ବି ଶୁଣିବାକୁ ନାରାଜ । ଶେଷରେ ବାଧ୍ୟହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଠଗଡ଼ ବ୍ଲକ କନ୍ଦରପୁର ପଞ୍ଚାୟତର ଲୋକମାନେ ।
କନ୍ଦରପୁର ପଞ୍ଚାୟତର ଟାଙ୍ଗୀ ସାହି ସ୍ୱଜଳଧାରା ପ୍ରକଳ୍ପ ଉପରେ ଚାରୋଟି ସାହିର ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭରଶୀଳ । ଏମିତି ସମୟରେ ଗାଁରେ ଥିବା ଅଧାରୁ ଅଧିକ ନଳକୂପ ଅଚଳ ହୋଇପଡ଼ିଛି । ତେଣୁ ଲୋକମାନେ ଦୁଇ କିଲୋମିଟର ଦୂରରେ ଥିବା ଵଜରକୋଟରୁ ପାଣି ଆଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ।
ଏ ଵାବଦରେ ଆଠଗଡ଼ ଉପ-ଜିଲ୍ଲାପାଳ ଅଜାମ୍ଵର ମହାନ୍ତି କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଡାକି ଏହି ଭଳି ଏକ ସମ୍ବେଦନଶୀଳ ଘଟଣାର ସମାଧାନ ସଙ୍ଗେ ସଙ୍ଗେ କରିବା ପାଇଁ କୁହାଯାଇଛି । ତେବେ ଆଠଗଡ଼ ଜଳଯୋଗାଣ ଓ ପରିମଳ ବିଭାଗର ଉଚ୍ଚ ପଦାଧିକାରୀ ମାନେ ଆଠଗଡ଼ରେ ପ୍ରାୟତଃ ରହୁ ନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।