ଜଳବନ୍ଦୀ ଅବସ୍ଥା ତଥାପି ଆହୁରି ୨୪ ଘଣ୍ଟା ବର୍ଷିବ - ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ , ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | September 25, 2019 IST

ଭୁବନେଶ୍ୱର - ଲଗାଣ ବର୍ଷା ଯୋଗୁଁ ହାଲ ବେହାଲ । ଦୁଇ ଦିନର ଲଗାଣ ବର୍ଷାରେ ରାଜ୍ୟର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆହୁରି ୨୪ ଘଣ୍ଟା ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ସତର୍କତାମୂଳକ ପଦକ୍ଷେପ ଭାବେ ୩ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଦିଆଯାଇଛି ।

ପ୍ରବଳ ବର୍ଷାରେ ଶୋଚନୀୟ ସ୍ଥିତି । ଘରେ ପଶିଯାଇଛି ପାଣି । ଖଟ ବୁଡ଼ିଯିବାକୁ ବସିଲାଣି । ରାସ୍ତାରେ ପାଣିର ସୁଅ ଚାଲିଥିବା ବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଲେଶ୍ବର ଗୁଡ଼ିପଦାର ଏମିତି ହୋଇଛି । ୬୦ରୁ ୭୦ଟି ପରିବାର ସମସ୍ୟା ଘେରରେ ରହିଥିବା ବେଳେ ଜଳ ନିଷ୍କାସନ କେମିତି ହେବ ତାହାକୁ ଚାହିଁ ରହିଛନ୍ତି ।

{"id":162652}

ପୁରୀରେ ଲଗାଣ ବର୍ଷା ଯୋଗୁ ସହରର ତଳି ଅଞ୍ଚଳ ଓ ସାହି ବସ୍ତିରେ ବର୍ଷାଜଳ ପଶିଯାଇଛି।  ଶ୍ରୀଲୋକନାଥ ମନ୍ଦିର ସଂପୁର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି । ମନ୍ଦିର ଭିତରେ ୪ ଫୁଟର ପାଣି ପଶିଯିବାରୁ ମନ୍ଦିରରେ ପୂଜା କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଦର୍ଶନ ବ୍ୟବସ୍ଥା ମଧ୍ୟ ଆଂଶିକ ବନ୍ଦ ରହିଥିଲା । ପାଖରେ ଥିବା ପାର୍ବତୀ ସାଗରର ଜଳ ଓ ବର୍ଷାଜଳ ମନ୍ଦିର ପରିସରରେ ଜମି ରହିଥିବା ଦେଖିବାକୁ ମିଳିଛି । ବର୍ଷା ଯୋଗୁ ସହରର ବଳିଆପଣ୍ଡା ବସ୍ତି, ବାଲିଉପର ବସ୍ତି, ମାଟିତୋଟା, ଖଣ୍ଡିଆବନ୍ଧ, ଗୋପିନାଥପୁର, ସୁଜାତା ନଗର, ମୁକୁନ୍ଦ ମିଶ୍ର ନଗର ପ୍ରଭୃତି ଅଂଚଳ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେହିପରି କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଗାଁରେ ଡ୍ରେନ ଭୁଶୁଡ଼ି ପାଣି ପଶିଯାଇଛି । ଚିଲିକା ନାରାୟଣୀ ବିଦ୍ୟାପୀଠ ଓ ମାଲୁଦ ଅଗ୍ନିଶମ କେନ୍ଦ୍ର ମଧ୍ୟ ଜଳବନ୍ଦୀ ଅବସ୍ଥାରେ ଅଛି । …

ଲଗାଣ ବର୍ଷାରେ ବାଙ୍କୀ ଏନ୍‌ଏସିର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିବା ବେଳେ ଲୋକଙ୍କ ଘରେ ବର୍ଷାପାଣି ପଶିଯାଇଛି ।ସେପଟେ ବାଲେଶ୍ବର ଜଳକା ନଦୀ ଜଳସ୍ତର ବଢ଼ିବାରେ ଲାଗିଛି ।ଉପରମୁଣ୍ଡରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷ। ହୋଇଥିବାରୁ ନଦୀର ଜଳସ୍ତର ବଢୁଛି ।ବସ୍ତା ବ୍ଲକର କେତେକ ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିଥିବା ବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।…

ଘୁର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା ।ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ମୟୂରଭଞ୍ଜ, ବାଲେଶ୍ବର, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କେଉଁଝର, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଆଦି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।…

ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ବରର ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ଆହୁରି ୨୪ ଘଣ୍ଟା ବର୍ଷା ହେବାକୁ ଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସ୍ଥିତି ବିଗିଡ଼ିପାରେ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.