ଗୋଟିଏ ରାତିର ବର୍ଷା : ନର୍ଦ୍ଦମା ପାଣିରେ ଉବୁଟୁବୁ କଟକ, ହାତ ଟେକିଦେଲେ ସିଏମସି କମିଶନର

Published By : Prameya-News7 Bureau | July 06, 2019 IST

କଟକ ୬|୭: ପ୍ରଶାସନର ସବୁ ପ୍ରତିଶ୍ରୁତି ପାଣିରେ ଭାସିଗଲା । ଗଲା ରାତିର ଲଗାଣ ବର୍ଷାରେ ବେହାଲ୍ କଟକ ସହର । ଚାରିଆଡେ ଛୁଟୁଛି ପାଣିର ସୁଅ ।ଘରେ ଘରେ ପାଣି ପଶିଥିବାରୁ ଖିଆ ପିଆ ବି ବନ୍ଦ । ସ୍ଥାୟୀ ପ୍ରତିକାର ଛାଡନ୍ତୁ କଟକର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଜଳବନ୍ଦୀରୁ ସାମୟିକ ଆଶ୍ବସ୍ଥି ଦେବାରେ ସକ୍ଷମ ହେଲାନି କଟକ ମହାନଗର ନିଗମ । ବର୍ଷା ଆଉ ନର୍ଦ୍ଦମା ଜଳରେ କଟକବାସୀ ଉବୁଟୁବୁ ହେଉଥିବା ବେଳେ, ସି ଏମ୍ ସି କମିଶନର ହାତ ଟେକି ଦେଇଛନ୍ତି ।

{"id":131061}

ଲଗାଣ ବର୍ଷାରେ ଉବୁଟୁବୁ କଟକ । ସହରର ବିଭିନ୍ନ ସାହି ବସ୍ତିରେ ଲହଡି ମାରୁଛି ପାଣି । କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ପାଣି ଚାଲିଛି । ଡ୍ରେନ ପାଣି ବର୍ଷା ପାଣି ସବୁ ଏକାକାର । ରାସ୍ତାରେ ଗାଡି ଚଲାଇବା ବି କଷ୍ଟକର । ବିଶେଷ କରି ତଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଘରେ ଘରେ ପଶିଛି ପାଣି । ଚୁଲି ଜାଳ ସବୁ ଓଦା । ରୋଷେଇ ବାସ ଖିଆ ପିଆ ସବୁ ବନ୍ଦ । ଖଟ ଓ ଟେବୁଲ ଉପରେ ଜିନିଷପତ୍ର ଥୋଇ ବସିଛନ୍ତି ଲୋକେ ।

{"id":131062}

ପଟ୍ଟାପୋଲ ଅଞ୍ଚଳରେ ଅବସ୍ଥା ଅତ୍ୟନ୍ତ ସାଙ୍ଘାତିକ । ଦୁଃଖ ବଖାଣିବା ବେଳକୁ ଲୋକଙ୍କ ଆଖିରେ ଲୁହ ଆସିଯାଉଛି । ବର୍ଷା ଯୋଗୁଁ ପାଖାପାଖି ୧୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଶାସନ ପ୍ରଶାସନ ସମସ୍ତେ ନିର୍ବିକାର । ଗୋପଦ ଅଭିଯାନରେ ଗଳି କନ୍ଦି ବୁଲୁଥିବା କମିସନର ଓ ଜିଲ୍ଲାପାଳଙ୍କ କିନ୍ତୁ  ଦେଖା ମିଳିନଥିଲା । ସି ଏମ୍ ସି କମିଶନର କଟକର ଅବସ୍ଥା ଦେଖି  ଏକ ପ୍ରକାର ହାତ ଟେକି ଦେଇଛନ୍ତି ।

{"id":131063}

ବର୍ଷା ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ ସହରର ତଳିଆ ଅଞ୍ଚଳ ବୁଲିଲେ । ସିଏମସି କମିଶନର ଓ ଜିଲ୍ଲାପାଳ ଗୋପଦ ଯୋଜନାରେ ସହରର ଗଳିକନ୍ଦି ବୁଲିଲେ । ଡ୍ରେନ୍ ସଫା କରାଯିବ ଆଉ ଏଥର ବର୍ଷାରେ ଜଳବନ୍ଦୀ ଅବସ୍ଥା ଲୋକଙ୍କୁ ଏତଟା ହଇରାଣ କରିବନି ବୋଲି ପ୍ରତିଶ୍ରୁତି ବି ଦେଲେ ସମସ୍ତେ । କିନ୍ତୁ ମାତ୍ର ୨୪ ଘଣ୍ଟାର ବର୍ଷାରେ ବେହାଲ୍ ହୋଇଯାଇଛି କଟକ । ଆଗକୁ ସ୍ଥିତି କଣ ହେବ ତାକୁ ଭାବି ଭାବି ଲୋକେ ଏବେଠୁ ଆତଙ୍କିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.