ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ : ବଢୁଛି ଜଳକା ନଦୀର ଜଳସ୍ତର, ଲୋକେ ଭୟଭୀତ
25/10/2019 at 9:03 AM

ଜଳେଶ୍ବର ୨୫।୧୦: ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁଁ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ୍ ମଧ୍ଯ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ୫.୫୦ମିଟର ରହିଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୦୦ମିଟରରେ ଜଳ ପ୍ରବାହିତ ହେଉଛି । ଘଣ୍ଟା ପ୍ରତି ୦.୧୦ମିଟରରେ ଜଳସ୍ତର ବଢୁଥିବାର ସୂଚନା ମିଳିଛି ।
ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ନଦୀର ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି । ଜଳକା ନଦୀର ଉପର ମୁଣ୍ତରେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଂଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଏବେ ଘଣ୍ଟା ପ୍ରତି ୦.୧୦ମିଟରରେ ଜଳସ୍ତର ବଢିବାରେ ଲାଗିଛି । ଯଦି ଏଭଳି ଭାବରେ ଲଗାଣ ବର୍ଷା ଜାରି ରହିବ ତାହାଲେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ଆସିବାର ମଧ୍ୟ ଆଶଙ୍କା ରହିଛି ।
ଏବେ ମଧ୍ୟ କିଛି ତଳିଆ ଅଂଚଳରେ ପାଣି ପ୍ରବେଶ କଲାଣି । ଚାଷ ଜମି ସବୁ ସମ୍ପୂର୍ଣ୍ଣ ଜଳମଗ୍ନ ହେବାରେ ଲାଗିଛି । ବନ୍ୟା ଆସିଲେ ବସ୍ତା ବ୍ଲକର ୧୨ଟି ପଞ୍ଚାୟତ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ମଧ୍ୟ ଜଳମଗ୍ନ ହେବାର ସମ୍ଭାବନା ରହିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପଶିବା ଦ୍ବାରା ଧାନ ଗଛ ସବୁ ପଚି ମରି ଯିବାର ଆଶଙ୍କା ରହିଛି ।
ବିଶେଷ କରି ପନିପରିବା କ୍ଷେତରେ ପାଣି ପଶିଯିବାରୁ ଶହ ଶହ ଏକର ପରିବା ଚାଷ ମରିବାକୁ ବସିଲାଣି । ଫଳରେ ପରିବା ଚାଷୀମାନଙ୍କ ମୁଣ୍ତରେ ଚଡକ ପଡିଛି । ଲଗାଣ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧିକୁ ନେଇ ନଦୀ ପାର୍ଶ୍ବବର୍ତ୍ତି ପଞ୍ଚାୟତର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।