ଡବଲ୍‌ ବିପଦ: ବାତ୍ୟା ‘ୟାସ୍‌’ ଚାଲିଯିବା ପରେ ଏବେ ବନ୍ୟା ଭୟ, ବଢ଼ୁଛି ବୈତରଣୀ ଜଳସ୍ତର

Published By : Prameya-News7 Bureau | May 27, 2021 IST

ଭଦ୍ରକ ୨୭/୫: ଚାଲିଯାଇଛି ବାତ୍ୟା ୟାସ୍‌ ।  କିନ୍ତୁ ଏବେ ପର୍ଯ୍ୟନ୍ତ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ । କିନ୍ତୁ ବାତ୍ୟା ୟାସ୍‌ର ପ୍ରକୋପ ଛାଡି ନଥିବା ବେଳେ ପୁଣି ଅନ୍ୟପଟେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି  । ଆଖୁଆପଦା ଆନିକଟ ଠାରେ ବୈତରଣୀ ନଦୀ ବିପଦ ସଂକେତ ଟପିଛି ।  ବିପଦ ସଙ୍କେତ ୧୭.୮୩ ମିଟର  ଥିବା ବେଳେ ବିପଦ ସଙ୍କେତ ଉର୍ଦ୍ଧ୍ବରେ ଚାଲିଛି ବନ୍ୟା ଜଳ । କେନ୍ଦୁଝର , ସୋମପାଟଣା ଓ ଆନନ୍ଦପୁର ଠାରେ ବର୍ଷାର ପରିମାଣ ଅଧିକ ହୋଇଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ଭଣ୍ଡାରୀପୋଖରୀ ବ୍ଲକ ପ୍ରଶାସନ ଓ ଧାମନଗର ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ୟା ସ୍ଥିତିକୁ ନେଇ ଘୋଷଣା କରୁଛନ୍ତି ।

ସମସ୍ତ ତଳିଆ ଅଞ୍ଚଳର ଲୋକେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମୁଲ୍ୟବାନ ସାମଗ୍ରୀକୁ ସାଙ୍ଗରେ ନେଇ ଘର ଛାଡିବା ପାଇଁ ଅନୁରୋଧ କରାଯାଇଛି । ତଳିଆ ଅଞ୍ଚଳବାସୀ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ କିମ୍ବା ପଞ୍ଚାୟତ ତରଫରୁ ହୋଇଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ପଳାଇ ଆସି ରହିବା ପାଇଁ କହିଛି ପ୍ରଶାସନ । ବାତ୍ୟା ୟାସ୍‌ର ପ୍ରକୋପରେ ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକ  ଅଞ୍ଚଳରେ ମଧ୍ୟ ପବନ ଓ ବର୍ଷା ହୋଇଥିଲା । ଫଳରେ ଖାଲଖମା ଓ ସମସ୍ତ ଗାଡିଆ ଓ ପୋଖରୀ ସବୁ ବର୍ଷା ପାଣିରେ ଭର୍ତ୍ତି ହୋଇ ରହିଛି । ଏବେ ମଧ୍ୟ ଆକାଶ ମେଘାଛନ୍ନ ରହିଥିବାରୁ ବର୍ଷାର ଆଶଙ୍କା ରହିଛି । ତେବେ ଏମିତି ସ୍ଥିତିରେ ବର୍ଷା ଓ ବୈତରଣୀ ନଦୀର ବନ୍ୟାଜଳ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି । ତେବେ ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁଯାୟୀ ଚାନ୍ଦବାଲିରେ ସର୍ବାଧିକ ବର୍ଷା ହୋଇଛି ।

ବାସୁଦେବପୁରରେ ପ୍ରବଳ ବର୍ଷା ହୋଇଛି ।  ଜିଲ୍ଲାର ଅନ୍ୟ ୫ ବ୍ଲକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବାତ୍ୟା ପାଇଁ ବାସୁଦେବପୁର ଓ ଚାନ୍ଦବାଲି ୨୪ ପଞ୍ଚାୟତ ର ୧୨୨ ଗାଁରେ ରିଲିଫ ମିଳିବ । ଏବେ ବୈତରଣୀରେ ବନ୍ୟା ପାଇଁ ଜଳବନ୍ଦୀ ଓ ପ୍ରଭାବିତ ପଞ୍ଚାୟତ ଗୁଡିକର ସଂଖ୍ୟା ବଢିବ । ବୈତରଣୀରେ ବିପଦ ସଂକେତ ୧୭.୮୩ ମିଟର ହୋଇଥିବା ବେଳେ ଜଳସ୍ଥର ୧୯.୫୦ ମିଟର ହୋଇପାରେ ବୋଲି  ଆକଳନ ହୋଇଛି ଓ ଜିଲ୍ଲା ପ୍ରଶାସନ ଏ ନେଇ ସ୍ପଷ୍ଟ କରିଛି । ବୈତରଣୀରେ ବନ୍ୟା ପାଇଁ ୧୪ ପଂଚାୟତର ୩୧ ଗ୍ରାମ ପ୍ରଭାବିତ ହେବ ଓ ସଂଖ୍ୟା ମଧ୍ୟ ବଢ଼ିପାରେ । ସନ୍ଧ୍ୟା ସୁଦ୍ଧା ସରିବ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ।  ତେବେ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ବୈତରଣୀ ନଦୀର ବନ୍ୟାଜଳ କଣ୍ଟି ଘାଇ ଏସକେ୍‌ପ ଦେଇ ଚାଷ ଜମିକୁ ପ୍ରବେଶ କରିଛି । ଏହି ବନ୍ୟା ଜଳ ପରେ ଜନବସତିକୁ ପ୍ରବେଶ କରିବା ସହ ପୁଣି ଧାମନଗର ବ୍ଲକକୁ ମଧ୍ୟ ପ୍ରବେଶ କରିବ ।

ବନ୍ୟା ପାଣିରେ ଭଦ୍ରକ ଓ ଯାଜପୁରର ମୁଖ୍ୟ ରାସ୍ତାରେ ୨ ଟି ପୋଲ ମାଳଦାର ସରତା ପୋଲ ଓ ମଣିନାଥପୁର୍ର ଜୋର ପୋଲ ନିର୍ମାଣ କାର୍ଯ୍ୟ ଚାଲୁଥିବା ଅବସ୍ଥାରେ ଡାଇବର୍ସନ୍ ରୋଡ ବନ୍ୟାରେ ଭାସି ଭଦ୍ରକ ଓ ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ବ୍ଲକର ୭ ପଞ୍ଚାୟତର ୪୦ ଗ୍ରାମର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବେ । ଡାଲୁଅ ଧାନ ଓ ପନିପରିବା ଚାଷ ପ୍ରଭାବିତ ହେବ । ମଣିନାଥପୁର , ବିରୁଳି , ସଠଗାଁ , ଷୋଳମପୁର , ଚତୁର୍ଭୁଜପୁର , ଜଳହରି , ନପଙ୍ଗ , ମାଲଦା , ରହଣିଆ , ରାଢୋ ଭଳି ବହୁ ଗାଁ ପ୍ରଭାବିତ ହେବା ସହ ଏହି ସବୁ  ଅଞ୍ଚଳର ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି । ସେହିପରି ଧାମନଗର ବ୍ଲକର ସୋହଡା, ଖଡ଼ିପଦା,ଆନନ୍ଦପୁର, ଦୋବଲ, ମୁସ୍ତାଫାପୁର, ଦଳାଙ୍ଗ, ରାଧବଲ୍ଲଭପୁର, ନଦୀଗାଁ, ଭଟ୍ଟସାହି, ଧୂଷୁରୀ, ସାହାସପୁର, ରଇପୁର, ପାଳସାହି, ହସନାବାଦ ପଞ୍ଚାୟତ ମଧ୍ୟ ପ୍ରଭାବିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.