୧୨ ତାରିଖ ସୁଦ୍ଧା ପୁରୀକୁ ଛାଡି ସବୁ ସ୍ଥାନକୁ ବିଜୁଳି ଶହେକୁ ଶହେ, ପିଇବା ପାଣି ସବୁ ସ୍ଥାନରେ ପହଞ୍ଚିବା ନେଇ ସରକାରଙ୍କ ଦାବି

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର ୧୦|୫: ସରକାରଙ୍କ ଦାବି ପିଇବା ପାଣି ଯୋଗାଣ ଶହେକୁ ଶହେ ଛୁଇଁଲା । ଆଉ ଦୁଇ ତିନି ଦିନ ଭିତରେ ବିଜୁଳି ବି ମିଳିଯିବ। ଅର୍ଥାତ୍ ଭୁବନେଶ୍ବର, କଟକ ଓ ଖୋର୍ଦ୍ଧାବାସୀ ଖୁସ୍ । ପୁରୀରେ ବି ପିଇବାପାଣି ଲୋକଙ୍କୁ ମିଳିଗଲାଣି । ବିଜୁଳି ୧୨ ତାରିଖରୁ ଆସିବା ଆରମ୍ଭ ହେବ । ସାଇକ୍ଲୋନ ଫୋନି ଯିବାର ୮ ଦିନ ପରେ ଲୋକଙ୍କ ମନକୁ ବୁଝାଇବାକୁ ଏମିତି କିଛି ଚିତ୍ର ଦେଇଛନ୍ତି ସରକାର । ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂ ପ୍ରେସମିଟ୍ କରି କହିଛନ୍ତି ୧୨ ତାରିଖ ସୁଦ୍ଧା ପୁରୀକୁ ଛାଡି ଆଉ ସବୁ ସ୍ଥାନକୁ ବିଜୁଳି ଶହେକୁ ଶହେ । ସେହିଭଳି ପିଇବାପାଣି ସବୁ ସ୍ଥାନରେ ପହଁଚିଗଲା ବୋଲି ସରକାର ଦାବି କରିଛନ୍ତି । ପରିମଳ ପାଇଁ ସରକାରଙ୍କ ଦାବି ଯେ ୬୨୧ ଜଣ ଇଂଜିନିୟର ଓ ମୁନିସପାଲିଟି ଷ୍ଟାଫ ସାଙ୍ଗକୁ ୫୦୦୦ ଲୋକ ଲାଗିଛନ୍ତି ।

ଆଜି ନୁହେଁ ଗତ ୩ଦିନ ତଳୁ ସରକାରଙ୍କ ତରଫରୁ ଏଭଳି କିଛି ଚେଷ୍ଟା ହେଉଛି ଯେମିତି ସବୁ ଜିନିଷ ଠିକ୍ ଠାକ୍ ଚାଲିଛି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା କହୁଛି । ଆଜି ସୁଦ୍ଧା ଭୁବନେଶ୍ବରର ୮୦ ପ୍ରତିଶତ ଅଞ୍ଚଳକୁ ବିଜୁଳି ମିଳିଯିବ ବୋଲି ସରକାର ଦୋହରାଇ ଚାଲିଛନ୍ତି । କିନ୍ତୁ ଭୁବନେଶ୍ବରବାସୀ ଜାଣିଛନ୍ତି ୮୦ ପ୍ରତିଶତ ଅଞ୍ଚଳରେ ବିଜୁଳି ହିଁ ନାହିଁ । ପାଣି ପାଇଁ ଭୁବନେଶ୍ବରର ଗଳିକନ୍ଦି ଚିତ୍ର ବୟାନ କରୁଛି କେମିତି ଲୋକେ ଡହଳ ବିକଳ ହେଉଛନ୍ତି ।

ଯଦି ଭୁବନେଶ୍ବରର ସ୍ଥିତି ଏଇଆ ତାହାଲେ ପୁରୀ ଅବସ୍ଥା କଣ ଥିବ ତାହା ସ୍ପଷ୍ଟ ଅନୁମେୟ । କଟକରେ ବିଜୁଳି ଶତପ୍ରତିଶତ ହୋଇଗଲା ବୋଲି ସରକାର ପ୍ରେସମିଟ୍ କରି କହିସାରିଲେଣି । କିନ୍ତୁ କଟକବାସୀ କହୁଛନ୍ତି ଅବସ୍ଥା ବାସ୍ତବରେ ସୁଧୁରି ନାହିଁ । ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏଁ ସମସ୍ତଙ୍କ ମନରେ ଗୋଟିଏ କଥା ବିଜୁଳି ଆସିବ କେବେ।

ସରକାରଙ୍କ ଦାବି ଅନୁସାରେ ଲୋକ ପିଇବାପାଣି ଓ ବିଜୁଳି ପାଉନାହାଁନ୍ତି, ଏହା ହେଉଛି ଗ୍ରାଉଣ୍ଡ ରିଅଲିଟି । କିନ୍ତୁ ସରକାର ଘୋଷଣାରେ ଡେଡ୍ ଲାଇନ୍ ମିଟ୍ କରିଦେଉଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.