ଓ୍ୱାଶିଂଟନ ହିଂସା : ବାଚସ୍ପିତଙ୍କ ଅଫିସକୁ କବଜା କଲେ ବିକ୍ଷୋଭକାରୀ, ଆସନରେ ବସିଲେ

Published By : Prameya-News7 Bureau | January 07, 2021 IST

ଓ୍ୱାଶିଂଟନ,୦୭/୦୧:  ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ନିର୍ବାଚନ ଫଳାଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜୟ ବରଣ କରିଥିଲେ । ଜୋ ବାଇଡେନ୍ ଆଗାମୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହାକୁ କିନ୍ତୁ ଟ୍ରମ୍ପଙ୍କ ସମର୍ଥକ ଗ୍ରହଣ କରିବାକୁ ନାରାଜ । ସେମାନେ ନିର୍ବାଚନ ଫଳାଫଳକୁ ଗ୍ରହଣ ନକରିବା ସହ ବ୍ୟାପକ ହିଂସାକାଣ୍ଡ ଘଟାଉଛନ୍ତି । ଗୁରୁବାର ଓ୍ୱାଶିଂଟନରେ ଟ୍ରମ୍ପ ସମର୍ଥକମାନେ ଲଙ୍କାକାଣ୍ଡ ଭିଆଇଛନ୍ତି । ସେମାନଙ୍କର ପୋଲିସ ସହ ଧସ୍ତାଧସ୍ତି ହୋଇଛି । ଏହି ହିଂସାକାଣ୍ଡରେ ଜଣେ ମହିଳାଙ୍କ ସହ ୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

{"id":388419,"sizeSlug":"large","linkDestination":"none"}

ରୟଟର୍ସର ରିପୋର୍ଟ ଅନୁସାରେ, ଆନ୍ଦୋଳନକାରୀମାନେ ଓ୍ୱାଶିଂଟନରେ ଥିବା କ୍ୟାପିଟର ହିଲକୁ କବଜା କରିବାକୁ ବସିଥିଲେ । ସେମାନେ ସିନେଟରେ ମଧ୍ୟ ଧସେଇ ପସିଥିଲେ । ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଘଟଣାକୁ ନିୟନ୍ତ୍ରଣରେ ଆଣିବା ପାଇଁ ଓ୍ୱାଶିଂଟନରେ ୧୫ ଦିନ ପାଇଁ ଜରୁରୀକାଳିନ ସ୍ଥିତି ଜାରି କରାଯାଇଛି ।

ହିଂସାକାଣ୍ଡ ଭିଆଇଥିବା ବ୍ୟକ୍ତିମାନେ ସିନେଟ ବା ଆମେରିକୀୟ ସଂସଦରେ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଘଉଡାଇଥିବା ବେଳେ ଆଉ କିଛି ସିନେଟରେ ପଶି ବାଚସ୍ପତିଙ୍କ ଚେୟାରରେ ବସିଥିବା ନଜର ଆସିଛି । ଆଉ କିଛି ପ୍ରଦର୍ଶନକାରୀ ବାଚସ୍ପତିଙ୍କ ଅଫିସକୁ କବଜା କରିନେଇଥିଲେ । କଥା ଏତିକିରେ ସରିନଥିଲା । ଜଣେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ ବେଳେ ଚିକେନ୍ ଓ ଫ୍ରାଏସ୍ ବିକୁଥିବା ନଜର ଆସିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଓ୍ୱାଶିଂଟନରେ ଏପରି ସ୍ଥିତି ପରେ ଫେସବୁକ, ଟ୍ୱିଟର୍ ଓ ଇନଷ୍ଟାଗ୍ରାମ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ୍ କରିଦେଇଛି । ବିଶ୍ୱର ଅନେକ ନେତା ଏହି ହିଂସାକାଣ୍ଡକୁ ନିନ୍ଦା କରିବା ସହ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ଏବେ ସହରରେ ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡାଇବା ସହ ସ୍ଥିତି ସାଧାରଣ କରିବାକୁ ପ୍ରୟାସ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.