ଏବେ ଦାଦାଗିରି ଉପରେ ଲାଗିବ ଅଙ୍କୁଶ ! ହଙ୍ଗକଙ୍ଗ୍‌ ପ୍ରସଙ୍ଗରେ ଚାଇନାକୁ ଆମେରିକାର କଡ଼ା ଚେତାବନୀ

Published By : Prameya-News7 Bureau | July 01, 2020 IST

ୱାସିଂଟନ୍‌ : ଦୀର୍ଘ ସମୟ ଧରି ବିବାଦୀୟ ହୋଇପଡିଥିବା ଚୀନ୍‌କୁ ଏବେ ସାରା ବିଶ୍ୱ ଘେରିବାରେ ଲାଗିଛି। ଏଥିରେ ହଙ୍ଗକଙ୍ଗ ପ୍ରସଙ୍ଗକୁ ନେଇ ଆମେରିକା ବୁଧବାର ଚୀନ୍‌କୁ କଡା ଚେତାବନୀ ଦେଇଥିବା ଜଣାପଡିଛି। ଯଦି ହଙ୍ଗକଙ୍ଗକୁ ଗିଳିବାକୁ ଡ୍ରାଗନ ଚେଷ୍ଟାକରେ ତେବେ ଆମେରିକା ଚୁପ୍ ବସିବନି ବୋଲି ସଫାସଫା ଶୁଣେଇଦେଇଛି।

ମାତ୍ର ଦିନକ ପୂର୍ବରୁ ହଙ୍ଗକଙ୍ଗରେ ଚୀନ୍‌ ଜାତୀୟ ସୁରକ୍ଷା ଆଇନ ଲାଗୁ କରିଛି। ଯାହାକୁ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍‌ ମାଇକ୍‌ ପମ୍ପେୟୋ ହଙ୍ଗକଙ୍ଗଲାଗି ଏକ ଦୁଃଖଦ ଦିନ ବୋଲି କହିଛନ୍ତି। ଚୀନ୍‌ର ଏହି ଆଇନ୍‌ ମଙ୍ଗଳବାର ଲାଗୁ ହୋଇଥିବା ବେଳେ ଏଥିରେ ଚୀନ ଅଧିକାରୀଙ୍କୁ ଯାଞ୍ଚ, ଗିରଫଦାରୀ ଓ  ସଜା ଦେବାର ଅଧିକାର ମଧ୍ୟ ପ୍ରଦାନ କରାଯାଇଛି।

ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁମୋଦନ ଲାଭ କରିସାରିଥିବା ଏହି ଆଇନରେ ଏବେ ବିଛିନ୍ନତାବାଦ, ଭଙ୍ଗାରୁଜା, ଆତଙ୍କବାଦ ଓ ବିଦେଶୀ ଶକ୍ତିଙ୍କ ସହିତ ସମ୍ପର୍କ ଏକ ଦଣ୍ଡନୀୟ ଅପରାଧରେ ପରିଗଣତ ହେଉଛି। ଏପରି ଅପରାଧ ପ୍ରମାଣିତ ହେଲେ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡାଦେଶ ମଧ୍ୟ ହୋଇପାରେ। ଚୀନ୍‌ର ଏପରି ପଦକ୍ଷେପ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପମ୍ପେୟୋ କହିଛନ୍ତି ଯେ ହଙ୍ଗକଙ୍ଗ ବାହାରକୁ ସ୍ୱାଧୀନ ଦେଖାଯାଉଛି  ହେଲେ ଚୀନ୍‌ ଏହାର ସମସ୍ତ ସ୍ୱାୟତତା ସମାପ୍ତ କରିଦେଇଛି।

ଚୀନ୍‌ ହଙ୍ଗକଙ୍ଗକୁ ୫୦ ବର୍ଷ ସ୍ୱାଧୀନତାର ପ୍ରତିଶ୍ରୁତି ଦେଇଥିଲା। ହେଲେ ୨୩ ବର୍ଷ ବି ବରଦାସ୍ତ କରିପାରିଲାନି। କେବଳ ହଙ୍ଗକଙ୍ଗ ନୁହେଁ ଚୀନ୍‌ ବିଶ୍ୱ ବାଣିଜ୍ୟ ସଙ୍ଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ଅନ୍ତର୍ଜାତୀୟ ସଙ୍ଗଠନଙ୍କ ପ୍ରତିଶ୍ରୁତି ମଧ୍ୟ ପାଳନ କରୁନାହିଁ। ଏଣୁ ଏବେ ଚୀନ୍‌କୁ ଆଉ ଅଧିକ ସମୟ ବରଦାସ୍ତ କରାଯାଇ ନପାରେ ବୋଲି ପମ୍ପେୟୋ କହିଛନ୍ତି। ସେହିପରି ସ୍ୱାଧୀନତା ପସନ୍ଦ କରୁଥିବା ଲୋକଙ୍କ ସହ ଆମେରିକା ଥିଲା ଓ ଅଛି ବୋଲି ମଧ୍ୟ ସ୍ପଷ୍ଟ କହିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.