ମାସ୍କ, ସାନିଟାଇଜର, ପ୍ରାର୍ଥନା : କରୋନା କିଭଳି ଜନଜୀବନ ଉପରେ ପକାଇଛି ପ୍ରଭାବ ଜାଣନ୍ତୁ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୦୩ : ଚୀନର ବୁହାନରୁ ସାରା ବିଶ୍ୱକୁ ବ୍ୟାପିଥିବା ଭୟଙ୍କର କରୋନା ଭାଇରସ ଜନଜୀବନ ଅସ୍ତବ୍ୟସ୍ତ କରିସାରିଲେଣି | ଭାଇରସ ଯୋଗୁଁ ଲୋକଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଇଛି | କରୋନା ସଂକ୍ରମଣ ରୋକିବା ପାଇଁ ପରସ୍ପର ସହ ହାତ ନ ମିଳାଇ ନମସ୍କାର କରିବା ପାଇଁ ଉପଦେଶ ଦିଆଯାଇଛି | କାଲିଫର୍ନିଆ ୟୁନିଭର୍ସିଟିର ଏକ ସର୍ଭେ ଅନୁଯାୟୀ, ଆମେରିକୀୟ ନାଗରିକ କୋଭିଡ-୧୯ ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ତାଙ୍କ ବ୍ୟବହାରରେ ଅନେକ ସଂଶୋଧନ କରିଛନ୍ତି | ୨୦୦୦ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା | ସର୍ଭେ ରିପୋର୍ଟ ଅନୁଯାୟୀ, ୮୫ ପ୍ରତିଶତ ଲୋକ ବାରମ୍ବାର ନିଜ ହାତ ଧୋଇ ସଫା ରଖୁଛନ୍ତି, ବାରମ୍ବାର ସାନିଟାଇଜର ବ୍ୟବହାର କରୁଛନ୍ତି | ୬୧ ପ୍ରତିଶତ ଲୋକ ନିଜକୁ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୁରେଇ ରଖୁଛନ୍ତି | ପାଖାପାଖି ୨୫ ପ୍ରତିଶତ ଲୋକ ବାହାରେ ରେସ୍ତୋରାଁ ଖାଇବା ବାରଣ କରୁଛନ୍ତି | ପାଖାପାଖି ୨୨ ପ୍ରତିଶତ ଲୋକ ଖାଦ୍ୟ ପଦାର୍ଥ ନିଜ ଘରେ ଷ୍ଟକ ରଖିଛନ୍ତି |

ସର୍ଭେରେ ଭାଗ ନେଇଥିବା ପାଖାପାଖି ୫୦ ପ୍ରତିଶତ ଲୋକ କହିଛନ୍ତି ଭାଇରସରୁ ନିଜକୁ ଏବଂ ସାରା ବିଶ୍ୱକୁ ସୁରକ୍ଷିତ ରଖିବା ପାଇଁ  ସେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି | ୭ ପ୍ରତିଶତରୁ କମ ଲୋକ ଭାଇରସରୁ ସୁରକ୍ଷିତ ରହିବା ପାଇଁ ମାସ୍କ ବ୍ୟବହାର କରୁଛନ୍ତି |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ଏକ ଲକ୍ଷ ୮୦ ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି ଏବଂ ପାଖାପାଖି ୬ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି |

ଦେଶରେ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି | ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ବର୍ତ୍ତମାନ ବିଦେଶରୁ ଫେରିଥିବା ଭାରତୀୟଙ୍କୁ ପରୀକ୍ଷା କରାଯାଉଛି | ଯେଉଁମାନଙ୍କ ଭିତରେ କରୋନା ଲକ୍ଷଣ ଦେଖାଦେଉଛି ସେମାନଙ୍କୁ ତୁରନ୍ତ ଆଇସୋଲେସନରେ ରଖାଯାଉଛି | କେବଳ ସରକାରୀ ହସ୍ପିଟାଲରେ କରୋନା ପରୀକ୍ଷା କରାଯାଉଛି |

ମଙ୍ଗଳବାର ଠାରୁ ଘରୋଇ ଲ୍ୟାବ ଏବଂ ହସ୍ପିଟାଲରେ ମଧ୍ୟ କରୋନା ପରୀକ୍ଷା ଆରମ୍ଭ ହୋଇଛି |

ଇଣ୍ଡିଆନ କାଉନ୍ସିଲ ଫର ମେଡିକାଲ ରିସର୍ଚ୍ଚର ମହା ନିର୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, ବର୍ତ୍ତମାନ ୭୨ ଟି ସରକାରୀ ଲ୍ୟାବରେ କରୋନା ପରୀକ୍ଷା କରାଯାଉଛି | ଆହୁରି ୪୯ ଟି ଲ୍ୟାବ ଖୁବ ଶୀଘ୍ର ଉପଲବ୍ଧ କରାଇଦିଆଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.