ଓ୍ୱାସିମ ରିଜଭି ଗ୍ରହଣ କଲେ ସନାତନ ଧର୍ମ: ଇସଲାମ ଛାଡି ହିନ୍ଦୁ ହେଲେ, ଜାଣନ୍ତୁ କଣ ରଖିଲେ ନାଁ...

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ ୦୬/୧୨: ଧର୍ମ ପରିବର୍ତ୍ତନ କଲେ ଶିଆ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି । ଇସଲାମ ଧର୍ମ ଛାଡି ସେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏହାସହ ନିଜେ ନିଜର ନାଁ ମଧ୍ୟ ବଦାଳାଇଦେଇଛନ୍ତି । ଓ୍ୱାସିମ ଏବେ ତାଙ୍କ ନୂଆ ନାଁ ରଖିଛନ୍ତି ଜିତେନ୍ଦ୍ର ନାରାୟଣ ସିଂହ ତ୍ୟାଗୀ । ଇସଲାମ ଛାଡି ହିନ୍ଦୁ ହେବା ପରେ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀ କହିଛନ୍ତି, "ଏଠାରେ ପରିବର୍ତ୍ତନର କୌଣସି ଆଲୋଚନା ନାହିଁ ।

କାରଣ ଯେତେବେଳେ ମୋତେ ଇସଲାମରୁ ବହିଷ୍କାର କରାଯାଇଥିଲା, ସେତେବେଳେ ମୋର ପସନ୍ଦ ହେଉଛି କେଉଁ ଧର୍ମକୁ ମୁଁ ଗ୍ରହଣ କରିବି ସେ ନିଷ୍ପତ୍ତି ମୋର । ସନାତନ ଧର୍ମ ହେଉଛି ପ୍ରଥମ ଧର୍ମ ଯେଉଁଠି ସବୁ ଭଲ କଥା ଗ୍ରହଣ କରାଯାଏ । ଅନ୍ୟ କୌଣସି ଧର୍ମରେ ଏହି ସୁବିଧା ନାହିଁ । ଉତ୍ତରପ୍ରଦେଶର ଗାଜିଆବାଦର ଦାଶନା ଦେବୀ ମନ୍ଦିର ଶିବ ଶକ୍ତି ଧାମର ମହନ୍ତ ୟତି ନରସିଂହାନନ୍ଦ ଗିରି ମହାରାଜ ୱାସିମ ରିଜଭିଙ୍କୁ ସନାତନ ଧର୍ମ ଗ୍ରହଣ କରାଇଛନ୍ତି ।

ସୂଚନା ଥାଉକି ୱାସିମ ରିଜଭି ଯେତେବେଳେ କୁରାନର ପଦଗୁଡ଼ିକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ଅନେକ ସଂଗଠନ ତାଙ୍କୁ ବିରୋଧ ମଧ୍ୟ କରିଥିଲେ । ଏବେ କିନ୍ତୁ ବହୁ ସଂଖ୍ୟକ ହିନ୍ଦୁ ଧାର୍ମିକ ନେତା ୱାସିମ ରିଜଭିଙ୍କୁ ହିନ୍ଦୁ ହେବାକୁ ସ୍ୱାଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.