ପୂର୍ବତନ କ୍ରିକେଟର ଗୈାତମ ଗମ୍ଭୀରଙ୍କ ବିରୁଦ୍ଧରେ ଓ୍ବାରେଣ୍ଟ ଜାରି
20/12/2018 at 12:34 PM

ନୂଆଦିଲ୍ଲୀ ୨୦/୧୨: ପୂର୍ବତନ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀରଙ୍କୁ ଅଦାଲତର ନିର୍ଦ୍ଦେଶ ନମାନିବା ମହଙ୍ଗା ପଡ଼ିଲା। ଏକ ରିଏଲ ଏଷ୍ଟେଟ୍ କମ୍ପାନୀ ବିରୁଦ୍ଧରେ ଠକେଇ ମାମଲାରେ ଅଭିଯୁକ୍ତ ଗୈାତମ ଗମ୍ଭୀରଙ୍କ ଅଦାଲତ ବୁଧବାର ଓ୍ବାରେଣ୍ଟ ଜାରି କରିଛି। ଏହି ମାମଲାର ଶୁଣାଣି ସମୟରେ ସେ କୋର୍ଟରେ ଅନୁପସ୍ଥିତ ଥିଲେ । ସେଥିପାଇଁ ତାଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରୀ ହୋଇଛି।
ଦିଲ୍ଲୀ ଚିଫ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ମନୀଷ ଖୁରାନା ତାଙ୍କ ବିରୁଦ୍ଧରେ ୧୦,୦୦୦ଟଙ୍କା ଜୋରିମାନା ସହ ଓ୍ବାରେଣ୍ଟ ଜାରି କରିଛନ୍ତି। ଜୋରିମାନା ରାଶି ଆସନ୍ତା ଶୁଣାଣିର ତାରିଖ ଅର୍ଥାତ ଜାନୁୟାରୀ ୨୪ ସୁଦ୍ଧା ଦାଖଲ ଆଦେଶ ଦିଆଯାଇଛି।
ଗତ ଶୁଣାଣି ସମୟରେ ଅଦାଲତ ତାଙ୍କ ହାଜିରା ଛାଡ଼ର ଆବେଦନକୁ ଖାରଜ କରିଥିଲେ।ଏହା ସତ୍ତ୍ବେ ଶୁଣାଣି ସମୟରେ ସେ କୋର୍ଟରେ ହାଜିର ହୋଇନଥିଲେ। କିନ୍ତୁ ଅନ୍ୟ ଅଭିଯୁକ୍ତମାନେ ଅଦାଲତରେ ଉପସ୍ଥିତ ହୋଇଥିଲେ। ପୁର୍ନବାର ଗୈାତମ ଏହି ଭୁଲ୍ ନ ଦୋହରାନ୍ତୁ ସେଥିପାଇଁ କୋର୍ଟ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିବେଶକଙ୍କ ସହ ଠକ କମ୍ପାନୀର ବିବାଦିତ ପ୍ରୋଜେକ୍ଟର ବ୍ରାଣ୍ଡ ଆମ୍ବାସାଡର ହେବା କାରଣରୁ ଗୈାତମ ଅଭିଯୁକ୍ତ ହୋଇଥିଲେ।