ଜାଭେଦ ଅଖତର ମାନହାନି ମାମଲାରେ କଙ୍ଗନାଙ୍କୁ ୱାରେଣ୍ଟ ଜାରି: ଅଭିନେତ୍ରୀଙ୍କ ଟ୍ୱିଟ୍-“ଗଧିଆଙ୍କ ଏକ ଗ୍ରୁପ ଓ ଜଣେ ବାଘୁଣୀ”
1/03/2021 at 3:51 PM

ମୁମ୍ବାଇ ୦୧/୦୩ : ଲେଖକ ତଥା ଗୀତିକାର ଜାଭେଦ ଅଖତର ଦାଏର କରିଥିବା ମାନହାନି ମାମଲାରେ ଅଭିନେତ୍ରୀ କଙ୍ଗନା କଙ୍ଗନା ରଣାୱତ ହାଜର ନ ହେବା ଯୋଗୁଁ ମୁମ୍ବାଇର ଏକ ଅଦାଲତ ପରୱାନା (ୱାରେଣ୍ଟ) ଜାରି କରିଛନ୍ତି। ଏହା ଜାମିନଯୁକ୍ତ ପରୱାନା। କଙ୍ଗନା କୋର୍ଟରେ ହାଜର ନ ହେବାରୁ ତାଙ୍କୁ ୱାରେଣ୍ଟ ଜାରି କରାଯାଇଛି। ଏହି ୱାରେଣ୍ଟକୁ ନେଇ କଙ୍ଗନା ଏକ ଟ୍ୱିଟ କରିଛନ୍ତି। ଟ୍ୱିଟରେ ସେ ଲେଖିଛନ୍ତି, “ଗଧିଆଙ୍କ ଏକ ଗ୍ରୁପ ଓ ଏକ ବାଘୁଣୀ”
ମୁମ୍ବାଇର ଏକ ଅଦାଲତ ଜବେଦ ଅଖତରଙ୍କ ଅଭିଯୋଗ କ୍ରମେ ଅଭିନେତ୍ରୀ କଙ୍ଗନାଙ୍କୁ ସମନ ଜାରି କରିଥିଲେ। ମୁମ୍ବାଇ ପୋଲିସ ଅଦାଲତକୁ କହିଥିଲେ ଯେ କଙ୍ଗନାଙ୍କ ବିରୋଧରେ ଜାଭେଦ ଅଖତର ମାନହାନି ମାମଲା ରୁଜ୍ଜୁ କରିବା ପରେ ଯାଞ୍ଚର ଆବଶ୍ୟକତା ରହିଛି। ଅନ୍ଧେରୀ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ୨୦୨୦ ଡିସେମ୍ବରରେ ଜୁହୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଗତ ବର୍ଷ ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ରୁଜ୍ଜୁ କରିଥିବା ମାନହାନି ମାମଲାର ତଦନ୍ତ କରୁ।
ଅଦାଲତକୁ ଦେଇଥିବା ରିପୋର୍ଟରେ ପୋଲିସ କହିଥିଲା ଯେ ମାମଲାର ଯାଞ୍ଚ ହେଉଛି। ଅଦାଲତ ମାମଲାର ଶୁଣାଣି ମାର୍ଚ୍ଚ ୧ ତାରିଖକୁ ଧାର୍ଯ୍ୟ କରିଥିଲେ। ଅଖତରଙ୍କ ଓକିଲ ଜୟ କୁମାର ଭରଦ୍ୱାଜ ସୋମବାର ଦିନ କହିଛନ୍ତି ଯେ ଗତ ବର୍ଷ ପୋଲିସ କଙ୍ଗନାଙ୍କ ବିରୋଧରେ ସମନ ଜାରି କରି ନିଜ ବୟାନ ରେକର୍ଡ କରିବାକୁ ଥାନାରେ ଉପସ୍ଥିତ ହେବାକୁ କହିଥିଲା। କିନ୍ତୁ ଅଭିନେତ୍ରୀ କିଛି ଜବାବ ରଖିନଥିଲେ।
ଜାଭେଦ ଅଖତର ଅଭିଯୋଗ କରିଥିଲେ ଯେ ଗତ ବର୍ଷ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଏକ ସାକ୍ଷାତକାରରେ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। କଙ୍ଗନାଙ୍କ ଏହି ମନ୍ତବ୍ୟ ଯୋଗୁଁ ତାଙ୍କ ପ୍ରତିଷ୍ଠା ହାନି ହୋଇଛି ବୋଲି ଅଖତର କହିଥିଲେ।