ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ଚେତାବନୀ: ନୋଟ୍ ଫେରସ୍ତ ନାହିଁ ତ ଭୋଟ ନାହିଁ
19/02/2019 at 7:50 PM

ଭୁବନେଶ୍ବର ୧୯/୨: ରାଜଧାନୀରେ ଚିଟଫଣ୍ଡ ଜମାକାରୀଙ୍କ ମେଳି । ମିଳିତ ମଞ୍ଚ ଡାକରାରେ ଏକାଠି ହୋଇଛନ୍ତି ହଜାର ହଜାର ଚିଟଫଣ୍ଡ ଜମାକାରୀ । ସରକାରଙ୍କ ବିଫଳତା ବିରୋଧରେ ଚଳାଇଛନ୍ତି ଆନ୍ଦୋଳନ, ନାରାବାଜି ।

ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ଚେତାବନୀ । ବହୁତ ହେଇଗଲା। ଏଥର ସହିବୁନି। ନୋଟ୍ ଫେରସ୍ତ ନାହିଁ ତ ଭୋଟ ନାହିଁ । ଲୋୟର ପିଏମଜିରେ ଏକାଠି ହେଲେ ହଜାର ହଜାର ଜମାକାରୀ । ଏଭଳି ନାରାବାଜି କରି ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ ଧମକ ଦେଇଛନ୍ତି । ରାଜ୍ୟର ପ୍ରାୟ ୨୦ ଲକ୍ଷ ବ୍ୟକ୍ତି ଚିଟଫଣ୍ଡରେ ଟଙ୍କା ଜମା କରିଥିଲେ । ପାଖାପାଖି ୨୦ ହଜାର କୋଟି ଟଙ୍କା ହରାଇଛନ୍ତି ଜମାକାରୀ । କ୍ଷୁଦ୍ର ଜମାକରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଜଣେବି ଟଙ୍କା ଫେରିନପାଇବା ଅଭିଯୋଗ କରି ମିଳିତ ମଞ୍ଚ ଡାକରାରେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଜମାକାରୀ । ଟଙ୍କା ଫେରସ୍ତ ନହେବା ଯାଏ ରାଜଧାନୀ ଛାଡ଼ିବୁ ନାହିଁ ବୋଲି ମଞ୍ଚ ଚେତାବନୀ ଦେଇଛି । …

୨୦୧୪ ନିର୍ବାଚନ ପୂର୍ବରୁ ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା କରିଥିଲେ ରାଜ୍ୟ ସରକାର । ୨୦୧୩ରୁ ଜମାକାରୀ ଚିହ୍ନଟ ପାଇଁ କମିଶନ ଗଠନ ହୋଇଥିଲେ ବି ଏପର୍ଯ୍ୟନ୍ତ ଚିହ୍ନଟ ପ୍ରକ୍ରିୟା ସରିନି । ଜମାକାରୀ ଚିହ୍ନଟ ପାଇଁ ଆହୁରୀ ୨/୩ ବର୍ଷ ସମୟ ଲାଗିବ ବୋଲି କମିଶନ କହିଛନ୍ତି । କର୍ପସ ଫଣ୍ଡରେ କାହାକୁ କେତେ ଟଙ୍କା ଦିଆଯାଇଛି, ସରକାରଙ୍କୁ ସେ ହିସାବ ମାଗିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କିନ୍ତୁ କହିଛନ୍ତି, ସରକାରଙ୍କ ଉପରେ ଜମାକାରୀଙ୍କ ଆସ୍ଥା ଅତୁଟ ରହିଛି । କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଓ ପ୍ରୟାସ ଆରମ୍ଭ ହୋଇଛି । ପ୍ରକ୍ରିୟାରେ ସ୍ବଚ୍ଛତା ରଖିବାକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଉଥିବାରୁ ବିଳମ୍ବ ହେଉଥିବା କହିଛନ୍ତି ଅର୍ଥ ମନ୍ତ୍ରୀ ।

ଭୁବନେଶ୍ବରରେ ଏକାଠି ହୋଇ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଗୋଟିଏ ଚେତାବନୀ ଶୁଣାଇଛନ୍ତି ଏଥର ନିର୍ବାଚନରେ ସେମାନଙ୍କର ଭୋଟ ହାରଜିତ୍ର ନିର୍ଣ୍ଣାୟକ ହୋଇପାରେ।