ଏଲଏସିରେ ଯୁଦ୍ଧ ସ୍ଥିତି ? ଚୀନ ୧୦୦ ରକେଟ୍ ଲଞ୍ଚର ପଠାଇବାରୁ ଭାରତ ମୁତୟନ କଲା ବୋଫର୍ସ

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦।୧୦: କଣ ଚୀନ ଏବଂ ଭାରତ ମଧ୍ୟରେ ଯୁଦ୍ଧ ପରି ସ୍ଥିତି ଉତ୍ପନ ହେଉଛି  ? କଣ ଦୁଇ ଦେଶର ସେନା ପୁଣି ଥରେ ମୁହାଁମୁହିଁ ହେବେ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଗୋଟିଏ ପଟେ ଚୀନ ନିଜର ଆଡଭାନ୍ସ ରେଞ୍ଜ ରକେଟ୍‌  ଭାରତୀୟ ସୀମା ସଂଲଗ୍ନ ଉଚ୍ଚ କ୍ଷେତ୍ରରେ ମୁତୟନ କରିଥିବା ବେଳେ ଜବାବରେ ଭାରତ ବୋଫର୍ସ ତୋପ ମୁତୟନ କରିଛି। ଭାରତ ଅରୁଣାଚଳ ପ୍ରଦେଶରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ନିକଟରେ ବୋଫର୍ସ ତୋପ ମୁତୟନ କରିଛି। ପୂର୍ବ ଲଦାଖରେ ଚୀନ ସହିତ ଗତ ଅନେକ ମାସ ଧରି ଜାରି ଗତିରୋଧ ମଧ୍ୟରେ ଭାରତ ଏହି ପଦକ୍ଷେପ ନେଇଛି। କୁହାଯାଉଛି ଏହି ବୋଫର୍ସ ତୋପ ଅରୁଣାଚଳ ପ୍ରଦେଶରେ ଚୀନ ସହ ଲାଗିଥିବା ଆଗୁଆ ପୋଷ୍ଟରେ ମୁତୟନ କରାଯାଇଛି।

ନ୍ୟୁଜ୍ ଏଜେନ୍ସି ଏଏନଆଇ ନିଜର ଏକ ରିପୋର୍ଟରେ କହିଛି, ଭାରତୀୟ ସେନା ଅରୁଣାଚଳ ପ୍ରଦେଶରେ  ଚୀନ ସଂଲଗ୍ନ ସୀମାରେ ନଜର ଆହୁରି କଡାକଡି କରିଛି। ଚୀନର ଯେ କୌଣସି  ପ୍ରକାର ଦୁଃସାହାସର ମୁହଁତୋଡ ଜବାବ ଦେବା ପାଇଁ ଭାରତୀୟ ସେନା ନିଜର ପ୍ରସ୍ତୁତି ପୂରା କରିଛି। ଏହାରି ଆଧାରରେ ଏଲଏସିର ଆଗୁଆ ସୈନ୍ୟ ଘାଟିରେ  ବୋଫର୍ସ ତୋପକୁ ମୁତୟନ କରାଯାଇଛି। ଏହା ପୂର୍ବରୁ ଚୀନ ଭାରତ ସୀମାରେ ଲାଗିଥିବା ଉଚ୍ଚ ଅଞ୍ଚଳରେ ନିଜର ୧୦୦ ଆଡଭାନ୍ସ ଲଙ୍ଗ ରେଞ୍ଜ ରକେଟ୍ ମୁତୟନ କରିଛି।

ଏ ହେଉଛି ସେହି ବୋଫର୍ସ ତୋପ ଯିଏ କାରଗିଲ୍ ଯୁଦ୍ଧରେ ପାକିସ୍ତାନକୁ ଧୂଳି ଚଟାଇଥିଲା। ବୋଫର୍ସ ୨୭ କିଲୋମିଟର ଦୂର ପର୍ଯ୍ୟନ୍ତ ଗୋଳା ନିକ୍ଷେପ କରି ପାରିବ। ବୋଫର୍ସ ତୋପର ଗଣତି ଦୁନିଆର ସବୁଠୁ ଘାତକ ତୋପ ମଧ୍ୟରେ କରାଯାଏ। ଓଜନ ହାଲୁକା ଥିବାରୁ ଏହାକୁ ଯୁଦ୍ଧ ଭୂମିରେ କେଉଁଠି ବି ମୁତୟନ କରାଯାଇ ପାରିବ। ଏପରିକି ଏହାକୁ ନେବା ଆଣିବା କରିବା ମଧ୍ୟ ସହଜ। ୧୫୫ ଏମଏମ ଲମ୍ବା ବ୍ୟାରେଲ ବିଶିଷ୍ଟ ଏହି ତୋପ ଗୋଟିଏ ମିନିଟ୍‌ରେ ୧୦ ଗୋଳା ଦାଗି ପାରିବ। ତୋପର ବିଶେଷତ୍ଵ ବିଯୁକ୍ତ ୩ ଡିଗ୍ରୀରୁ ନେଇ ୭୦ ଡିଗ୍ରୀର ଉଚ୍ଚ କୋଣ ପର୍ଯ୍ୟନ୍ତ ଫାୟର କରିବାର ସାମର୍ଥ୍ୟ ରହିଛି। ଏହି ବିଶେଷତ୍ଵ ପାଇଁ ତୋପ ପାହାଡିଆ ଅଞ୍ଚଳରେ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପୂର୍ବରୁ ହିଁ  ବୋଫର୍ସ ତୋପର ମୁତୟନ କରିଛି। ଏଠାରେ ଉତ୍ତେଜନା କମ କରିବା ଏବଂ ସୀମାରୁ ସୈନିକଙ୍କ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ସୈନ୍ୟ ଏବଂ କୂଟନୈତିକସ୍ତରରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି। ଏହା ପରେ ବି ଦୁଇ ଦେଶର ସେନା ମଧ୍ୟରେ ଅନେକ ସ୍ଥାନରେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.