ଆପଣଙ୍କ ବାଇକର ମାଇଲେଜ୍ ବଢାଇବାକୁ ଚାହୁଛନ୍ତି କି ? ତେବେ ମନେରଖନ୍ତୁ ଏସବୁ ଟିପ୍ସ…
7/06/2020 at 1:14 PM

ନୂଆଦିଲ୍ଲୀ ୭।୬: ମଣିଷର ଦୈନଦିନ ଜୀବନରେ ମୋଟରଚାଳିତ ଯାନ ଏକ ଜରୁରି ଆବଶ୍ୟକତା ପାଲଟିଯାଇଛି। ତେବେ ଇନ୍ଧନ ଚିନ୍ତା ଏବେ ଚମତ୍କାର ପାଲଟିଛି। ରାତିକୁ ୨ଗୁଣା ଦିନରେ ୪ଗୁଣା ହେବାରେ ଲାଗିଛି ତୈଳ ଦର। ଏଣୁ ଏବେ ସ୍କୁଟର ହେଉ କି ମୋଟର ସାଇକଲ ଚଳାଉଥିବା ମାଲିକଙ୍କର ଗୋଟିଏ ଚିନ୍ତା ତାହା ହେଉଛି ମାଇଲେଜ୍। ତେବେ କିଛି ଉପାୟ କଲେ ବାହନର ମାଇଲେଜ୍ ନିଶ୍ଚିତ ବଢିବା ସହ ଆପଣଙ୍କ ଖର୍ଚ୍ଚବି ବଞ୍ଚିବ। ତେବେ ବାହନର ମାଇଲେଜ୍ କିପରି ବଢିବ ଏଠାରେ ରହିଛି ସେ ସମ୍ପର୍କିତ କିଛି ଟିପ୍ସ।

ସମାନ ବେଗରେ ବାଇକ୍ କିମ୍ବା ସ୍କୁଟର ଚଳାଇବା ଦ୍ୱାରା ଇନ୍ଧନ ଖର୍ଚ୍ଚ କମିଯାଇଥାଏ ସଙ୍ଗକୁ ପ୍ରଦୂଷଣ ମଧ୍ୟ କମ୍ ହୋଇଥାଏ | ଦ୍ରୁତ ବେଗରେ ଅଥବା ଧୀରେ ଗାଡି ଚଳାଇବା ଦ୍ୱାରା ଇଞ୍ଜିନ ଉପରେ ଅଧିକ ଚାପ ପଡିଥାଏ । ସେହିପରି ବାରମ୍ବାର ବ୍ରେକ୍ ଲଗାଇବା କିମ୍ବା ହଠାତ୍ ବାହନର ଗତି ବଢାଇଲେ ଇନ୍ଧନ ଖର୍ଚ୍ଚ ବଢିଥାଏ। ଏଣୁ ବାହନକୁ ଏକ ନିର୍ଦ୍ଧିଷ୍ଟ ବେଗରେ ନିର୍ଦ୍ଧିଷ୍ଠ ଦୂରତା ପର୍ଯ୍ୟନ୍ତ ଚଳାଇବାର ଅଭ୍ୟାସ କରନ୍ତୁ। ଇନ୍ଧନ ବି ବଞ୍ଚିବ ବାହନ ବି ସୁସ୍ଥ ରହିବ।

ନିୟମିତ ଟାୟାର ଚାପ ଯାଞ୍ଚ କରନ୍ତୁ
ବାଇକ୍ କିମ୍ବା ସ୍କୁଟରର ଟାୟାର ଚାପକୁ ନିୟମିତ ଯାଞ୍ଚ କରନ୍ତୁ । ଟାୟାରରେ କମ୍ ଚାପ ଥିଲେ ଇଞ୍ଜିନ୍ ଉପରେ ପ୍ରଭାବ ପଡିଥାଏ। ଏଣୁ ଆପଣଙ୍କ ଇନ୍ଧନ ଖର୍ଚ୍ଚ ବଢିଥାଏ। ସର୍ବଦା କମ୍ପାନୀ ଦ୍ୱାରା ନିର୍ମିତ ଟାୟାର ଆକାର ବ୍ୟବହାର କରନ୍ତୁ । ସେହିପରି ଟାୟାରକୁ ଅଧିକ ଦିନ ପର୍ଯ୍ୟନ୍ତ ଗାଡିରେ ବ୍ୟବହାର କରନ୍ତୁ ନାହିଁ । ଉପଯୁକ୍ତ ସମୟ ଦେଖି ନୂଆ ଟାୟାର ବଦଳାଇ ଦିଅନ୍ତୁ।

ଟ୍ରାଫିକ ସିଗନାଲରେ ଇଞ୍ଜିନ୍ ବନ୍ଦ କରନ୍ତୁ –

ଯଦି ଆପଣଙ୍କୁ ୩୦ ସେକେଣ୍ଡରୁ ଅଧିକ ସମୟ ପାଇଁ ଟ୍ରାଫିକ୍ ସିଗନାଲରେ ଅଟକିବାକୁ ପଡିବ । ତେବେ ଆପଣ ଦୁଇ ଚକିଆ ଯାନର ଇଞ୍ଜିନକୁ ବନ୍ଦ କରିଦିଅନ୍ତୁ । ଆକଳନ କରାଯାଇଛି ଯେ ଟ୍ରାଫିକ ସିଗନାଲରେ ଗାଡି ଷ୍ଟାଟ କରିବାରୁ ବାର୍ଷିକ ଅନେକ ଲିଟର ଇନ୍ଧନ ନଷ୍ଟ ହୋଇଥାଏ । ପ୍ରଦୂଷଣର ରୋକିବାରେ ଏହା ଏକ ସାଧାରଣ କିନ୍ତୁ ପ୍ରଭାବଶାଳୀ ଉପାୟ ।

ସର୍ବଦା ଦୁଇ ଚକିଆ ଯାନର ଯତ୍ନ ନିଅନ୍ତୁ-
ସମୟ ସମୟରେ ଦୁଇ ଚକିଆ ଯାନର ଯତ୍ନ ନେବା ମଧ୍ୟ ଜରୁରୀ । କିଛି ଦିନ ବ୍ୟବଧାନରେ ଗାଡିକୁ ସର୍ଭିସିଂ କରାନ୍ତୁ । ନିର୍ଦ୍ଦିଷ୍ଟ ସମୟରେ ବାଇକ୍ କିମ୍ବା ସ୍କୁଟରର ଇଞ୍ଜିନ୍ ଅଏଲ୍ର ପରିବର୍ତ୍ତନ କରନ୍ତୁ । ବ୍ରେକ୍ ଫ୍ଲୁଇଡ୍, ଚେନ୍ ଏବଂ ବ୍ରେକ୍ ସହିତ ଅନ୍ୟାନ୍ୟ ଅଂଶର ମଧ୍ୟ ଯତ୍ନ ନେବା ଜରୁରୀ । ଏହା ସହିତ ସର୍ବଦା ଗାଡିରେ ତେଲ ପକାଇବା ସମୟରେ କିଛି ଜରୁରୀ କଥା ମଧ୍ୟ ମନେରଖିବା ଉଚିତ୍ । ଯେପରି ପେଟ୍ରୋଲ ପମ୍ପରେ ତେଲ ପକାଇବା । ପ୍ରତି ଛଅମାସରେ ଥରେ ଗାଡିର ଫିଟ୍ନେସ ଟେଷ୍ଟ, ପଲ୍ୟୁସନ ଟେଷ୍ଟ ମଧ୍ୟ କରିବା ଉଚିତ୍ । ଏହାଦ୍ୱାରା ଗାଡିର ଆମେ ଉପଯୁକ୍ତ ଯତ୍ନ ନେଇପାରିବା । ଯାହାଫଳରେ ଗାଡି ମଧ୍ୟ ଅଧିକ ମାଇଲେଜ୍ ଦେଖାଇପାରିବ ।