ବ୍ରିଟେନ ୱେଲସରୁ ହଟିପାରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | November 28, 2020 IST

ଲଣ୍ଡନ : ଅହିଂସା ବାର୍ତ୍ତା ଦେବା ସହ ନାଗରିକ ଅଧିକାରର ବାର୍ତ୍ତା ଦେଉଥିବା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ୱେଲସ୍‌ରେ ହଟିପାରେ।  ବ୍ରିଟେନରେ ଔପନିବେଶିକ ଓ ଦାସ କାରବାରର ଇତିହାସ ସମୀକ୍ଷା ପରେ ୱେଲସ୍‌ ସରକାରଙ୍କ ନିଷ୍ପତ୍ତି ଏଠାରେ ଥିବା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି।  ସରକାରଙ୍କ ସମୀକ୍ଷା ପରେ ସ୍ମାରକଙ୍କର ଏକ ସୂଚୀ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ସେଠାରେ ସ୍ଥାପିତ ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ରହିଛି।

ଚଳିତ ସପ୍ତାହରେ ସରକାର ଏ ନେଇ ଏକ ରିପୋର୍ଟ ଜାରି କରିଛନ୍ତି। ଦି ସ୍ଲେଭ ଟ୍ରେଡ ଏଣ୍ଡ ବ୍ରିଟିଶ ଏମ୍ପାୟାର:ଆନ୍ ଅଡିଟ ଅଫ କମିଶନ ଅଫ ୱେଲସ୍‌ ଶୀର୍ଷକ ଏହି ରିପୋର୍ଟରେ ଯୁଦ୍ଧ ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିଂଷ୍ଟନ ଚର୍ଚ୍ଚିଲ ଓ ରବର୍ଟ କ୍ଲାଇଭଙ୍କ ସ୍ମୃତିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଭାରତରେ ବ୍ରିଟିଶ ଉପନିବେଶ ସ୍ଥାପନାରେ କ୍ଲାଇଭଙ୍କ ଭୂମିକା ଲାଗି ତାଙ୍କୁ କ୍ଲାଇଭ ଅଫ ଇଣ୍ଡିଆ ବୋଲି ମଧ୍ୟ କୁହାଯାଏ। ଏଥିରେ ୱେଲସରେ ମହାତ୍ମା ଗାନ୍ଧିଙ୍କର ଏକ କାଂସ୍ୟ ପ୍ରତିମା ମଧ୍ୟ ରହିଛି।

ୱେଲସରେ ଭାରତୀୟ ଜାତୀୟ ଆନ୍ଦୋଳନର ୧୪୮ ବର୍ଷ ପୂର୍ତ୍ତି ଅବସରରେ ଗତ ୨୦୧୭ ମସିହାରେ ମହାତ୍ମା ଗାନ୍ଧିଙ୍କ ଏହି ମୂର୍ତ୍ତିକୁ ଲୋକାର୍ପିତ କରାଯାଇଥିଲା। ସମୀକ୍ଷାରେ ଏହି ମୂର୍ତ୍ତିକୁ ମଧ୍ୟ ସାମିଲ କରାଯାଇଛି ଯେଉଁମାନଙ୍କୁ ନେଇ ଦ୍ୱିତୀୟବାର ବିଚାର କରିବା ଲାଗି ପ୍ରସ୍ତାବ ରହିଛି। ଭାରତରେ ମହାତ୍ମା ଗାନ୍ଧିଙ୍କ ଆନ୍ଦୋଳନ ପରବର୍ତ୍ତି ସମୟରେ ଆଫ୍ରିକାରେ ନେଲସନ ମାଣ୍ଡେଲା ସମେତ ଅନେକ ଆଫ୍ରିକୀୟ ନେତାଙ୍କୁ ବ୍ରିଟିଶ ଶାସନ ବିରୋଧରେ ପ୍ରୋତ୍ସାହିତ କରିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

୧୯୯୩ ମସିହାରେ ଡେସମଣ୍ଡ ଟୁଟୁ ପିଟରମେରିଟଜ୍‌ ବର୍ଗରେ ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମା ଉନ୍ମୋଚନ କରିଥିଲେ। ଲିସେଷ୍ଟର ଓ ମଞ୍ଚେଷ୍ଟରରେ ମଧ୍ୟ ମହାତ୍ମା ଗାନ୍ଧିଙ୍କ ଏହିପରି ମୂର୍ତ୍ତି ସବୁ ରହିଛି। ଯାହା ବିରୋଧରେ ଏବେ ଅନଲାଇନ୍‌ ଅଭିଯାନ ଚାଲିଛି। ତେବେ ବ୍ରିଟେନରେ ଏପରି ଅଭିଯାନର ଜବାବ ମଧ୍ୟ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.