୬ ବର୍ଷର ଅପେକ୍ଷା
Published By : Prameya-News7 Bureau | July 30, 2018 IST
୬ ବର୍ଷର ଅପେକ୍ଷା । ବାପା ମାଆ ଭାବିଥିଲେ ପୁଅ ମରିଯାଇଛି ।ହେଲେ ଶେଷରେ ଫେରିଛି ପୁଅ । ଛୋଟ ବେଳେ ହଜିଯାଇଥିବା ପୁଅକୁ ଏତେଦିନ ପରେ ଗରିବ ବାପା ମାଆ ଫେରିପାଇବା ପରେ ଘରେ ନାହିଁ ନଥିବା ଖୁସି । ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଟିଇଲି ଗୁଡା ଗାଁରେ ବଡ ଭାଇର କାଖରେ ବସି ହସୁଛି ସାନ ଭାଇ । କାରଣ ୬ ବର୍ଷ ପରେ ଫେରି ଆସିଛି ନିଖୋଜ ବଡ ଭାଇ । ଘରେ ବି ନାହିଁ ନଥିବା ଆନନ୍ଦ । ଏହିଭଳି ଏକ ସୁଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ମଇଦଲପୁର ଟିଇଲିଗୁଡା ଗାଁରେ । ୨୦୧୨ରେ ଗାଁର ଜଗନ୍ନାଥ ହରିଜନଙ୍କ ବଡ ପୁଅ ତ୍ରିନାଥ ହରିଜନ ୬ ବର୍ଷ ବୟସରେ ମଇଦଳପୁର ଗାଁରୁ କୁଆଡେ ହଜିଯାଇଥିଲା । ବାପା,ମା ଉଭୟ କୁଲି କାମ କରିବାକୁ ଯାଇ ଫେରିବା ପରେ ପୁଅ ତ୍ରିନାଥକୁ ନପାଇ ଖୋଜିବା ଆରମ୍ଭ କରିଥିଲେ ଆଖପାଖ ଗାଁରେ । ହେଲେ ପୁଅର କୌଣସି ସନ୍ଧାନ ମିଳିନଥିଲା । ବର୍ଷେ,ଦୁଇ ବର୍ଷ , ତିନି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାପରେ ପୁଅ ତ୍ରିନାଥ ମରିଯାଇଥିବା ମଧ୍ୟ ସନ୍ଦେହ କରିଥିଲେ ବାପା ମା । ଆଉ ଏବେ ପୁଅକୁ ଜୀବିତ ଦେଖି ବାପା ମାଆଙ୍କ ଆଖିରେ ଆନନ୍ଦର ଅଶ୍ରୁ ।
ତ୍ରିନାଥ ବସରେ ବସି ନବରଙ୍ଗପୁର ଚାଲିଯାଇଥିଲା । ନବରଙ୍ଗପୁର ବସଷ୍ଟାଣ୍ଡରେ ସେ କାନ୍ଦୁଥିବା ଦେଖି ଜଣେ ଲୋକ ନିଜ ଘରକୁ ଡାକିନେଇ କିଛିଦିନ ରଖିବା ପରେ ପୋଲିସକୁ ହସ୍ତାନ୍ତରିତ କରିଥିଲେ । ନିଜ ଘରର ଠିକଣା କହିପାରୁନଥିବା ତ୍ରିନାଥକୁ ନବରଙ୍ଗପୁର ପୋଲିସ ଶିଶୁ ମଙ୍ଗଳ ସମିତି ସହାୟତାରେ ସିନ୍ଧିଗୁଡା ବାଳାଶ୍ରମରେ ଛାଡିଦେଇଥିଲେ । ସେଠାରେ ତ୍ରିନାଥ ରହି ପାଠ ପଢୁଥିଲା । ତେବେ ଗତ ୧୪ ତାରିଖରେ ଆଶ୍ରମର କାହାକୁ ନକହି ବାପା,ମାଙ୍କୁ ଖୋଜିବା ପାଇଁ ମଇଦଲପୁର ଚାଲିଆସିଥିଲା କିନ୍ତୁ ସେଠାରେ ବାପା,ମାଙ୍କୁ ପାଇନଥିଲା । ସେପଟେ ତ୍ରିନାଥକୁ ନପାଇ ଆଶ୍ରମ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ । ଏହାପରେ ଶିଶୁ ମଙ୍ଗଳ ସମିତି, ନବରଙ୍ଗପୁର ଓ ମଇଦଲପୁର ପୋଲିସ ସହାୟତାରେ ତ୍ରିନାଥକୁ ଉଦ୍ଧାର କରିବା ସହ ତ୍ରିନାଥର ବାପା,ମାଙ୍କୁ ମଧ୍ୟ ଖୋଜି ପାଇଥିଲେ ।
ଯିତିକି ଖୁସି ତ୍ରିନାଥର ପରିବାର ସେତିକି ଖୁସି ପୁଅକୁ ପରିବାର ସହ ଏକାଠି କରି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ । ତ୍ରିନାଥ ବାପା,ମାଙ୍କ ନିକଟରେ ରହିବା ପର୍ଯ୍ୟନ୍ତ ପରିବାରକୁ ମାସକୁ ୨ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନକୁ ଆଦେଶ ଦେଇଛନ୍ତି ।