ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍

Published By : Prameya-News7 Bureau | March 02, 2021 IST

ଭୁବନେଶ୍ବର ୨।୩: ଆଣ୍ଟିଜେନ୍‌ କିଟ୍‌ ଖରାପ ଥିବାରୁ ସମ୍ବଲପୁର ଭିସୁଟ୍‌ରେ ୨୫ ଜଣଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏ ନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସମ୍ବଲପୁର ଭିସୁଟ୍‌ରେ ୨୫ ଜଣ ଛାତ୍ରଛାତ୍ରୀଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଆଣ୍ଟିଜେନ୍‌ କିଟ୍‌ ରେ ତ୍ରୁଟି ଥିବା ଯୋଗୁଁ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡିଛି । ତେବେ ଏହାପରେ ସେଠାରୁ ସବୁ ଆଣ୍ଟିଜେନ୍‌ କିଟ୍‌ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ଗତ ୨୬ ଓ ୨୭ ତାରିଖକୁ ମିଶାଇ ମୋଟ୍ ୨୫ ଜଣ କରୋନା ପଜିଟିଭ୍ ହୋଇଥିବା ଖବର ଆସିଥିଲା । ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ଫଳରେ ବୁର୍ଲା ଭିସୁଟ୍ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କୋଭିଡ୍ ଆକ୍ରାନ୍ତ ଚିହ୍ନଟ ପରେ ଏହି ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ । ଇନଚାର୍ଜ ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଥିଲେ । ବୁର୍ଲା ଭିସୁଟର ପୁଲହ, ପୁଲସ୍‌ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା ।

ସେହିପରି ପୁଲହ ହଷ୍ଟେଲକୁ ଲାଗିକି ଥିବା ଅଂଚଳରୁ ବୋଫର ଜୋନ୍ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଏହି ଘୋଷଣା ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଥିଲା । ଏହାସହ କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳିନ ସେବାକୁ ବାଦ ଦେଲେ  କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ ଏବଂ ବାହାରର କୌଣସି ଲୋକ ଭିତରକୁ ଯାଇ ପାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.