Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪୩ ବର୍ଷରେ NASA ଙ୍କ Voyager ମିସନ, ଏବେବି ଅନ୍ତରୀକ୍ଷରୁ ଦେଉଛନ୍ତି ବିଶ୍ୱବ୍ରହ୍ମାଣ୍ଡର ସୂଚନା

20/08/2020 at 7:07 PM

ୱାସିଂଟନ : ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ (ନାସା)ଙ୍କ  ଭୟଜର ମିସନକୁ ୪୩ ବର୍ଷ ପୁରଣ ହୋଇଛି। ଏହି ମିସନରେ ନାସା ୨ଟି ଭୟଜର ଅନ୍ତରୀକ୍ଷକୁ ପ୍ରେରଣ କରିଛନ୍ତି। ଏଥିରୁ ଭୟଜର-୨କୁ  ୨୦ ଅଗଷ୍ଟ ୧୯୭୭ରେ ଅନ୍ତରୀକ୍ଷକୁ ପ୍ରେରଣ କରାଯାଇଥିବା ବେଳେ ଏହାର ୧୬ ଦିନ ପରେ ଅର୍ଥାତ ୫ ସେପ୍ଟେମ୍ବର ୧୯୭୭ରେ ଭୟଜର-୧ ଅନ୍ତରୀକ୍ଷକୁ ପ୍ରକ୍ଷେପିତ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ୪୩ ବର୍ଷ ହେଲା ୨ ମହାକାଶ ଯାନ ଅନ୍ତରୀକ୍ଷରୁ ନାସାଙ୍କୁ ସୂଚନା ପ୍ରେରଣ କରିଆସୁଛନ୍ତି।

ଏହି ସମୟ ମଧ୍ୟରେ ଭୟଜର-୧ ଆମ ସୌରମଣ୍ଡଳରୁ ଅନେକ ଦୂର ଯାଇସାରିଲାଣି। ପୃଥିବୀଠାରୁ ଦୂରର କଥା ଭୟଜର-୧ ଏବେ ସୌରମଣ୍ଡଳଠାରୁ ୨୦ ବିଲିୟନ କିଲୋମିଟରରୁ ବି ଅଧିକ ଦୂରରେ ରହି ତଥ୍ୟ ପ୍ରଦାନ କରିଚାଲିଥିବା ବେଳେ ଭୟଜର-୨ ଅନ୍ୟପଟରେ ୧୭ ବିଲିୟନ କିଲୋମିଟର ଦୂରରେ ଥିବା ନାସା କହିଛନ୍ତି।

ଭୟଜର-୧କୁ ବାର୍ତ୍ତା ଦେବାନେବା ଲାଗି ଏବେ ୩୮ଘଣ୍ଟା ସମୟ ଲାଗୁଛି। ସେହିପରି ଭୟଜର-୨ ସହ ତଥ୍ୟ ଆଦାନପ୍ରଦାନ ନିମନ୍ତେ ଏବେ ୩୦ଘଣ୍ଟା ଲାଗୁଥିବା ବୈଜ୍ଞାନିକ କହିଛନ୍ତି। ହେଲେବି ଦୀର୍ଘ ବର୍ଷରେ ଉଭୟ  ମହାକାଶଯାନ ସଚଳ ରହିବା ସହ ମାନବ ସଭ୍ୟତାକୁ ବିଶ୍ୱ ବ୍ରହ୍ମାଣ୍ଡର ତଥ୍ୟ ଦେଇ ଆସୁଛନ୍ତି। ଏହି ମିସନ ସହ ପ୍ରଥମରୁ ସମ୍ପୃକ୍ତ ବୈଜ୍ଞାନିକଏଡ ଷ୍ଟୋନଙ୍କ ଅନୁସାରେ ୨ ଉପଗ୍ରହ ଏବେ ଏତେ ଦୂରକୁ ଯାଇ ସାରିଛନ୍ତି ଯେ ଯେଉଁଠି କେବଳ ଶୁନ୍ୟତା, ଅନ୍ଧକାର ଓ ଶୀତଳତା ଛଡା ଆଉ କିଛି ନାହିଁ। ୧୯୭୨ ମସିହାରେ ଡିଜାଇନ୍‌ କରାଯାଇଥିବା ମହାକାଶ ଯାନ ୨ଟି ଆମକୁ ବୃହସ୍ପତି, ଶନି, ଅଋଣ ଓ ବଋଣ ଗ୍ରହକଙ୍କୁ ନେଇ ଅନେକ ତଥ୍ୟ ଦେଇଛନ୍ତି।

ଏହି ବଡବଡ ଗ୍ରହଙ୍କ ଚନ୍ଦ୍ରଙ୍କ ସମ୍ପର୍କରେ ବି ଉପଗ୍ରହଙ୍କ ଠାରୁ ଅନେକ ସୂଚନା ସଂଗ୍ରହ କରାଯାଇଛି। ଅତୀତରେ ଏହି ଯାନ ସହ ଗ୍ରାମଫୋନକୁ  ସଂଯୁକ୍ତ କରିବା ଲାଗି ମଧ୍ୟ ଉଦ୍ୟମ ହୋଇଥିଲା। ସ୍ୱର୍ଗତ ବୈଜ୍ଞାନିକ  କାର୍ଲ ସଗନ ଏହି ଉଦ୍ୟମ କରିଥିଲେ। ୨୦୧୩ ମସିହାରେ ଭୟଜର-୧ ଆମ ସୌରମଣ୍ଡଳ ବାହାରକୁ ଚାଲିଯାଇଥିଲା। ଏଥିରୁ ଆଉ ସୂଚନା ମିଳିବନି ବୋଲି ଆଶଙ୍କା କରାଯାଉଥିବା ବେଳେ ତାହା କିନ୍ତୁ ଭୁଲ ପ୍ରମାଣିତ ହୋଇଛି। ଏଥିରୁ ଏବେବି ତଥ୍ୟ ମିଳୁଛି।

ଭୟଜର-୨ ମଧ୍ୟ ସୌରମଣ୍ଡଳ ବାହାରକୁ ଯିବା ଅବସ୍ଥାକୁ ଆସିଗଲାଣି। ଉଭୟ ସ୍ପେସ୍ କ୍ରାଫ୍ଟରେ ଲାଗିଥିବା ଆଣବିକ ବ୍ୟାଟେରୀର ସମୟ ସମାପ୍ତ ହେବା ଉପରେ। ଏଣୁ ବ୍ୟାଟେରୀ ଶେଷ ହେବା ପରେ ଏ ଦୁଇଟି ଅନ୍ତରୀକ୍ଷରେ ଅଚଳ ହୋଇଯିବେ। ଏହି ଦୁଇ ଭୟଜର ଆଉ ୧୦ ବର୍ଷ ପର୍ଯ୍ୟନ୍ତ ହୁଏତ ଆମ ସହ ରହି ପାରନ୍ତି। ତେବେ ଏମାନେ ଯେଉଁଦିନ କାର୍ଯ୍ୟକରିବା ବନ୍ଦ କରିବେ ସେଦିନ ମାନବସଭ୍ୟତା ଲାଗି ସବୁଠୁ ବଡ ଦୁଃଖର ଦିନ ହେବ ବୋଲି ମିସନ ସହ ଜଡିତ ବୈଜ୍ଞାନିକମାନେ କହିଛନ୍ତି। ତେବେ ଏମାନେ ଅଚଳ ହେବା ପରେ ବି ଅନ୍ତରୀକ୍ଷରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରହିବେ।

   Related Posts