Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଜିତିଲା ଗଣତନ୍ତ୍ର : ନକ୍ସଲଙ୍କ ନାଲିଆଖି ପରେ ବି ପଡ଼ିଲା ଭୋଟ୍, ଗତକାଲି ନକ୍ସଲ ରକ୍ତର ହୋଲି ଖେଳିଥିବା ସ୍ଥାନରେ ସୁରୁଖୁରୁରେ ହେଲା ମତଦାନ

18/04/2019 at 7:06 PM

ଭୁବନେଶ୍ବର ୧୮|୩ (ଲକ୍ଷ୍ମୀଧର ମହାପାତ୍ର):  ନକ୍ସଲଙ୍କ ନାଲିଆଖି ପରେ ବି ପଡ଼ିଲା ଭୋଟ୍‌ । ଗତକାଲି ନିର୍ବାଚନକୁ ବିରୋଧ କରୁଥିବା ଲାଲବାହିନୀ କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ବ୍କକ ସୁମେରବନ୍ଧ ଘାଟୀରେ ମାଓବାଦୀମାନେ ପୋଲିଂ କର୍ମଚାରୀଙ୍କୁ ଗାଡ଼ିରୁ ଓହ୍ଲାଇଦେଇ ୨ଟି ବଲେରୋ ଏବଂ ଗୋଟିଏ ମୋଟରସାଇକେଲ ପୋଡ଼ି ଦେଇଥିଲେ । ଏମିତିକି ଫୁଲବାଣୀର ବାନ୍ଦାପଡ଼ାରେ ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଜଣେ ମହିଳା ପୋଲିଂ ସୁପରଭାଇଜର । ତେବେ ଏହି ଘଟଣା ପରେ ପ୍ରଥମେ ସୁମେରବନ୍ଧ ଘାଟୀରେ ପହଞ୍ଚିଥିଲା ନ୍ୟୁଜ୍‌ ସେଭେନ୍‌ ଟିମ୍‌ । ଏତେ ବଡ଼ ଘଟଣା ପରେ ସେଠାରେ ହୋଇଥିଲା ଭୋଟିଂ ପାଇଁ ପ୍ରସ୍ତୁତି ।

ପୁଣି ଜିତିଲା ଗଣତନ୍ତ୍ର । ନକ୍ସଲଙ୍କ ନାଲିଆଖି ପରେ ବି ପଡ଼ିଲା ଭୋଟ୍‌ । ନିର୍ବାଚନକୁ ବିରୋଧ କରି ଗଲାକାଲି ନକ୍ସଲମାନେ ଯେଉଁ ରକ୍ତର ହୋଲି ଖେଳିଥିଲେ ତାର ମୁହଁ ତୋଡ଼  ଜବାବ୍‌ ଦେଇଛନ୍ତି ଆମର ସୁରକ୍ଷାକର୍ମୀ ଓ ପୋଲିଂ କର୍ମଚାରୀ । ଆଉ ନକ୍ସଲଙ୍କ ନାଲିଆଖିକୁ ଖାତିର ନକରି ଦୁର୍ଗମ ଅଂଚଳରେ ଭୋଟିଂ ପାଇଁ ଏମାନଙ୍କ କଷ୍ଟସାଧ୍ୟ ଉଦ୍ୟମକୁ ଏକମାତ୍ର ନ୍ୟୁଜ୍‌ ଚାନେଲ୍‌ ହିସାବରେ କ୍ୟାମେରାରେ କଏଦ୍‌ କରିଥିଲା ନ୍ୟୁଜ୍‌ ସେଭେନ୍‌ ଟିମ୍‌ । କନ୍ଧମାଳ ଜିଲ୍ଲାର ସୁମେରବନ୍ଧ ଘାଟୀ ।

କାଲି ନକ୍ସଲମାନେ ଏଠି ପୋଲିଂ କର୍ମଚାରୀଙ୍କୁ ଗାଡ଼ିରୁ ଓହ୍ଲାଇଦେବା ପରେ ୨ଟି ବୋଲେରୋ ଓ ଗୋଟିଏ ମୋଟରସାଇକେଲକୁ ଜାଳି ଦେଇଥିଲେ । ଏହାପରେ ସୁମେରବନ୍ଧ ପଞ୍ଚାୟତ ମୁଙ୍ଗୁନିପଦର ଗାଁରେ ମତଗ୍ରହଣ ହେବ କି ନାହିଁ ତାକୁ ନେଇ ସୃଷ୍ଟି ହୋଇଥିଲା ସଂଦେହ । ହେଲେ ପାହାଡ଼ିଆ ଘାଟୀ ରାସ୍ତାରେ ପୋଲିଂ କର୍ମଚାରୀଙ୍କୁ ସାଥୀରେ ନେଇ ଏସଓଜି ଯବାନମାନେ ରାତି ୧୨ଟାରୁ ଦୀର୍ଘ ୧୨ କିଲୋମିଟର ଚାଲି ଚାଲି ଚାଲି  ଆଜି ଭୋର୍‌ ୫ଟାରେ ପହଞ୍ଚିଥିଲେ ମୁଙ୍ଗୁନିପଦର ଗାଁରେ ।  ଆଉ ସକାଳ ୮ଟାରେ ଆରମ୍ଭ ହୋଇଥିଲା ଭୋଟିଂ ।

ମାଓ ପ୍ରବଣ ଅଂଚଳରେ ଭୋଟିଂ କରାଇନଦେବାକୁ ପୂର୍ବରୁ ବାରମ୍ବାର ଧମକ ଦେଇଥିବା ଲାଲବାହିନୀ ଗଲାକାଲି ପୋଲିଂ ପାର୍ଟି ଉପରେ ଆକ୍ରମଣ କରି ଭୋଟିଂ ରୋକିବାକୁ ଭରପୁର ଚେଷ୍ଟା କରିଥିଲା । ଏମିତିକି ଫୁଲବାଣୀରୁ ବାନ୍ଦାପଡ଼ା ଯାଉଥିବା ପୋଲିଂ ପାର୍ଟି ଉପରକୁ ଗୁଳି ଚଳାଇଥିଲେ ନକ୍ସଲ । ଯେଉଁଥିରେ ମହିଳା ପୋଲିଂ କର୍ମଚାରୀ ସଂଯୁକ୍ତା ଦିଘାଲଙ୍କ ମୃତ୍ୟୁ ହୋଇଥିଲା । ଏହା ସତ୍ବେ ମଧ୍ୟ ଆମର ବାହାଦୁର ଯବାନ୍‌ ଓ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ନକ୍ସଲ ଇଲାକାରେ ଭୋଟିଂ ସମ୍ଭବ ହୋଇପାରିଛି । ୯୧୮ ଭୋଟର ସଂଖ୍ୟା ବିଶିଷ୍ଟ ମୁଙ୍ଗୁନିପଦର ବୁଥରେ ଦିନ ଗୋଟାଏ ସୁଦ୍ଧା ୪ଶହ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ ।

ନକ୍ସଲଙ୍କ ନାଲି ଆକି ସତ୍ବେ ଲାଲଗଡ଼ରେ ପଡ଼ିଲା ଭୋଟ୍‌ । ଏହାକୁ ଆମେ ଗଣତନ୍ତ୍ର ଜିତ୍‌ ବୋଲି କହିପାରିବା ।

   Related Posts