Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୮ ରାଜ୍ୟ ୨ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୯୧ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସରିଲା ଭୋଟ, ଆନ୍ଧ୍ରରେ ବେଶୀ ଅପ୍ରିତୀକର ଘଟଣା

11/04/2019 at 6:01 PM

ଭୁବନେଶ୍ବର୧୧|୪: ଓଡ଼ିଶାର ୪ ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ବିଧାନସଭା ଆସନ ସହିତ ଦେଶର ଅନ୍ୟଭାଗରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ତେବେ କିଛି ସ୍ଥାନରେ ଇଭିଏମ ଖରାପ ହେବାର ଅଭିଯୋଗ ଆସିଥିବା ବେଳେ ଆଉ କିଛି ସ୍ଥାନରେ ଭୋଟରଙ୍କ ନାଁ ତାଲିକାରେ ନଥିବା ଅଭିଯୋଗ ମଧ୍ୟ ହୋଇଛି।

୧୮ ରାଜ୍ୟ ୨ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୯୧ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟିଂ ସରିଛି । ଏଥିମଧ୍ୟରେ ଓଡିଶାର ୪ଟି ଲୋକସଭା ପାଇଁ ଆଜି ଭୋଟିଂ ହୋଇଥିବା ବେଳେ ୨୮ଟି ବିଧାନସଭା ପାଇଁ ମତଦାନ ହୋଇଛି । କାଁ ଭାଁ କେଉଁଠି ଭୋଟିଂ ମେସିନ୍‌ରେ ତ୍ରୁଟି ପାଇଁ ଭୋଟ୍‌ ଡେରିରେ ଆରମ୍ଭ ହୋଇଥିଲା । ସେହିଭଳି କେତେକ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଘଟିଥିଲା । ଓଡିଶାକୁ ଛାଡି ଆନ୍ଧ୍ରପ୍ରଦେଶର ୨୫ଟି , ଅରୁଣାଚଳ ପ୍ରଦେଶର ୨, ଆସାମର ୫, ବିହାର ୪, ଛତିଶଗଡର ଗୋଟିଏ, ଜାମ୍ମୁ ଆଣ୍ଡ କାଶ୍ମୀରର ୨, ମହାରାଷ୍ଟର ୭, ମଣିପୁରର ୧, ମେଘାଳୟର ୨ , ମିଜୋରାମ ସିକ୍କିମର ଗୋଟିଏ, ତେଲେଙ୍ଗାନାର ୧୭ଟି , ତ୍ରିପୁରାର ଗୋଟିଏ, ଉତ୍ତରପ୍ରଦେଶର ୮, ଉତ୍ତରାଖଣ୍ଡର ୫, ପଶ୍ଚିମବଙ୍ଗର ୨, ଆଣ୍ଡାମାନ ଓ ଲକ୍ଷାଦୀପର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ୍‌ ହୋଇଛି ।

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଗୁଟିର ଏକ ବୁଥ। ଏଠାରେ ଜନସେନା ବିଧାୟକ ପ୍ରାର୍ଥୀ ମଧୁସୁଦନ ଗୁପ୍ତା ଇଭିଏମ୍‌କୁ ଟେକି କଚାଡି ଦେଇଛନ୍ତି । ତାଙ୍କର ରାଗ ହେଉଛି ଯେ ଇଭିଏମ୍‌ରେ କୁଆଡେ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କର ଲେଖାଯାଇଥିବା ନାଁ ଠିକ୍ ଭାବେ ଦେଖାଯାଉନଥିଲା । ପରେ ପୋଲିସ ତାଙ୍କୁ ଗିରଫ କରିଛି । 

ସେହିଭଳି ଆନ୍ଧ୍ରପ୍ରଦେଶରେ କେତେକ ସ୍ଥାନରେ ଟି଼ଡିପି ଓ ୱାଇଏସ୍‌ଆର କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମାଡପିଟ ହୋଇଛି । ଏଥିରେ ୱାଇଏସ୍‌ଆର କଂଗ୍ରେସର ଜଣେ ଓ ଟିଡିପିର ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପକ୍ଷର କେତେକ କର୍ମୀ ଆହତ ହୋଇଛନ୍ତି ।ଏପିରିକି ଆନ୍ଧ୍ରପ୍ରଦେଶର ବାଚସ୍ପିତ ମଧ୍ୟ ଆହତ ହୋଇଥିବା ଜଣା ପଡିଛି ।

ସେହିଭଳି କେତେକ ସ୍ଥାନରେ ବୁଥ ରିଗିଂ ଓ ଇଭିଏମ୍‌ରେ ହେରଫେର କରାଯାଇଥିବା ନେଇ ମଧ୍ୟ  ଅଭିଯୋଗ ଉଠିଛି । ହିଂସା ପାଇଁ ଉଭୟ ଦଳ ପରସ୍ପର ମଧ୍ୟରେ ଆରୋପ ଲଗାଇଛନ୍ତି । ବୁଥ୍‌ ରିଗିଂ ଓ ଇଭିଏମ୍‌ରେ ହେରଫେର ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ୩୦ ପ୍ରତିଶତ ସ୍ଥାନରେ ରି ପୋଲିଂ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ ବି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆନ୍ଧ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ।

 ମାଓପ୍ରବଣ ଛତିଶଗଡ ଜଗଦଲପୁର ଅଞ୍ଚଳ । ଏଠାରେ କଡା ସୁରକ୍ଷା ମଧ୍ୟରେ ଭୋଟିଂ ହୋଇଛି । ଲୋକେ ସକାଳୁ ଧାଡିରେ ଆସି ଉତ୍ସାହର ସହ ମତଦାନ କରିଛନ୍ତି ।ସେହିପରି ତେଲେଙ୍ଗାନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ, ଏଆଇଏମ୍ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଅୱେସୀଙ୍କ ଭାଗ୍ୟ ପ୍ରଥମ ପର୍ଯ୍ୟାୟରେ ସ୍ଥିର ହେବ । ଉଭୟ ଆଜି ନିଜନିଜ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖ ରାଓ , ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପ୍ରତିପକ୍ଷ ୱାଇଏସ୍‌ଆର କଂଗ୍ରେସ ନେତା ଜଗନମୋହନ ରେଡି ନିର୍ବାଚନମଣ୍ଡଳୀରେ ପହଞ୍ଚି ମତଦାନ କରିଥିଲେ ।

ସେହିଭଳି ସିକ୍କିମରେ ଆଜି ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ୍‌ ହୋଇଛି ।ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା ପାର୍ଟି ମୁଖ୍ୟ ପିଏସ୍‌ଗୋୟଲ ଏବଂ ତାଙ୍କ ପତ୍ନୀ ସକାଳୁ ଆସି ମତଦାନ କରିଥିଲେ । ଏସ୍‌କେଏମ୍‌ ପିଏସ୍ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

   Related Posts