ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ପାଇଁ ମତଦାନ ; ଇଭିଏମ୍ ଖରାପ ହେବାକୁ ନେଇ ଆପତ୍ତି ଉଠାଇଲା କଂଗ୍ରେସ

Published By : Prameya-News7 Bureau | November 28, 2018 IST

ନୂଆଦିଲ୍ଲୀ ୨୮|୧୧:   ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ପାଇଁ ମତଦାନ ଜାରି । ମଧ୍ୟାହ୍ନ ସାଢେ ୧ ଟା ସୁଦ୍ଧା ମଧ୍ୟ ପ୍ରଦେଶରେ ୩୧. ୩୩ ପ୍ରତିଶତ ମତଦାନ ହୋଇଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହଣ ୫ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ । ନିଜ ନିଜ ପସନ୍ଦର ପ୍ରାର୍ଥୀ ଙ୍କୁ ଭୋଟ୍ ଦେଉଛନ୍ତି ଭୋଟର୍ । ମଧ୍ୟପ୍ରଦେଶ ବିଧାନସଭାର ୨୩୦ ଆସନ ପାଇଁ ୨,୮୯୯ଜଣ ପ୍ରାର୍ଥୀ ମୈଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଶାସକ ବିଜେପି ପକ୍ଷରୁ ୨୩୦ଜଣ ପ୍ରାର୍ଥୀ  ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସକାଳୁ ପୂଜା ପାଠ କରିବା ପରେ ଭୋଟ୍ ଦେଇଛନ୍ତି । ସେହିଭଳି କଂଗ୍ରେସ ନେତା କମଲ ନାଥ ମଧ୍ୟ ମତଦାନ କରିଛନ୍ତି । ପୂର୍ବ ନିର୍ବାଚନରେ ୧୬୫ଟି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ କଡା ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହେବାକୁ ପଡିବ । ସେପଟେ ବିଭିନ୍ନ ସ୍ଥାନରେ ଇଭିଏମ୍  ଖରାପ ହେବାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି । ଦଳ କହିଛି ଯେଉଁଠି କଂଗ୍ରେସର ଭଲ ସ୍ଥିତି ଅଛି ସେଠାରେ ଇଭିଏମ୍ ଖରାପ ହୋଇଯାଉଛି । ତେଣୁ ଇଭିଏମ୍  ଖରାପ ସ୍ଥାନରେ ରି ପୁଲ କରିବାକୁ ଦଳ ନିର୍ବାଚନ କମିଶନଙ୍କ ପାଖରେ ଦାବି କରିଛି । ପାଖାପାଖି ୨୫୦ଟି ସ୍ଥାନରେ ଇଭିଏମ୍ ଖରାପ ହେବାର ଅଭିଯୋଗ ଆସିଥିଲା । ପରେ ଅନେକ ସ୍ଥାନରେ ଇଭିଏମ୍  ବଦଳା ଯାଇ ପୋଲିଂ କରାଯାଉଛି । ସେପଟେ ମିଜୋରାମର ୪୦ଆସନ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ଚାଲିଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ । ଦିନ ସାଢେ ୧ଟା ସୁଦ୍ଧା ମିଜୋରାମରେ ରେକର୍ଡ ୫୦ ପ୍ରତିଶତ ମତଦାନ ହୋଇଛି । ମିଜୋରାମରେ ମୋଟ୍ ୨୦୯ ଜଣ ପ୍ରାର୍ଥୀ ଦେଇଛନ୍ତି ବିଭିନ୍ନ ଦଳ । ସେମାନଙ୍କ ମଧ୍ୟରୁ କଂଗ୍ରେସ ୪୦, ବିଜେପି ୩୯ ଏବଂ ଏମ୍  ଏନ୍  ଏଫ୍  ୪୦ଜଣ ପ୍ରାର୍ଥୀ ଛିଡା କରାଇଛନ୍ତି ।  ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଉଭୟ ମଧ୍ୟପ୍ରଦେଶ ଓ ମିଜୋରାମରେ ଡିସେମ୍ବର ୧୧ରେ ଭୋଟ୍ ଗଣତି କରାଯିବା ସହ ଫଳାଫଳ ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.