Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପୁର ଉପନିର୍ବାଚନ : ୨୮୫ଟି ବୁଥରେ ମତଦାନ ଜାରି, ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

21/10/2019 at 8:06 AM

ବିଜେପୁର ୨୧।୧୦: ବିଜେପୁରରେ ଆରମ୍ଭ ହୋଇଯାଇଛି ଉପ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ବିଜେଡିର ରୀତା ସାହୁ, ବିଜେପିର ସତନ ଗଡ଼ତିଆ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରୁ କାହାକୁ ଭରସା କରିବେ ଲୋକେ ? ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି ଓ କଂଗ୍ରେସ । ୨ଲକ୍ଷରୁ ଅଧିକ ଭୋଟର ନିର୍ଦ୍ଧାରଣ କରୁଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ । ଅପରାହ୍ନ ୫ଟା ଯାଏ ଚାଲିବ ମତଦାନ । ୨୮୫ଟି ବୁଥରେ ୫ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ନିର୍ଦ୍ଧାରଣ ।

ବରପାଲି, ଗାଇସିଲେଟ ଓ ବିଜେପୁରକୁ ନେଇ ଗଠିତ ବିଜେପୁର ନିର୍ବାଚନ ମଣ୍ଡଳୀରେ ମୋଟ୍ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ସେଥି ମଧ୍ୟରୁ ୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର ଥିବା ବେଳେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଏବଂ ୧୫ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି।

୩ ଟି ବ୍ଲକରେ ୬ଟି ମଡେଲ ବୁଥ ରହିଥିବା ବେଳେ ୨୮ଟି ବୁଥରେ ୱେବ କାଷ୍ଟିଂ କରାଯାଉଛି ।  ୧୪ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ବେଳେ ୧୬ଟି ବୁଥର ନିର୍ବାଚନ ପ୍ରକ୍ରିୟାକୁ ଭିଡ଼ିଓଗ୍ରାଫି କରାଯାଉଛି । ୭୭ଟି ବୁଥ ପାଇଁ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଥିବା ବେଳେ ୧୩୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୬ଟି ବୁଥ୍ ନକ୍ସଲ ପ୍ରଭାବିତ ରହିଛି । ଦିବ୍ୟାଙ୍ଗଙ୍କ ପାଇଁ ପ୍ରତି ବୁଥରେ ୨ ଜଣ ସ୍ଵେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ଏହା ସହ ନିର୍ବାଚନ ପରିଚାଳନା ଲାଗି ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହେବା ସହ , ପୋଲିସ ଛାଉଣୀରେ ପରିଣତ ହୋଇଛି ପୁରା ବିଜେପୁର । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବରଗଡ ଏସପିଙ୍କ ତତ୍ତ୍ବାବଧାନରେ ୩୩ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ, ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୭୫ ସବଇନସ୍ପେକ୍ଟର, ୧୧୩ ଏଏସଆଇଙ୍କୁ ନିଯୁକ୍ତ କରାଯାଇଛି ।

   Related Posts