ଦିଲ୍ଲୀ ଭୋଟର ଦେବେ ରାୟ, ଆପ୍‌-ବିଜେପି-କଂଗ୍ରେସ ଟକ୍କରରେ କିଏ ମାରିବ ବାଜି?

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ୭/୨: ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍‍ ଗ୍ରହଣ କରାଯିବ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ମୋଟ୍‍ ୬୭୨ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ନୂଆଦିଲ୍ଲୀ ଆସନରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ , ପଟେଲନଗର ଆସନରେ ସର୍ବନିମ୍ନ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ତେବେ ଦିଲ୍ଲୀରେ ଆସନ୍ତା କାଲି ଅର୍ଥାତ ଫେବୃଆରୀ ୮ ତାରିଖରେ ଭୋଟ ଗ୍ରହଣ ହେବ। ସୂଚନା ଅନୁସାରେ ଦିନ ୫ଟା ପରେ ବାହୁଡ଼ାମତ ଆସିବ। ନିର୍ବାଚନ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

୧ କୋଟି ୪୭ ଲକ୍ଷ ମତଦାତା ଆସନ୍ତାକାଲି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୭୫୦ଟି ଭୋଟ୍‍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି । ଭୋଟ୍‍ଦାନ ପ୍ରକ୍ରିୟାରେ ଭାଗ ନେବାକୁ ଥିବା ସମସ୍ତ କର୍ମଚାରୀ ଇ.ଭି.ଏମ୍ ସହ ଭୋଟିଂ ବୁଥ୍ ଗୁଡିକରେ ପହଁଞ୍ଚିଛନ୍ତି । ଏଥି ସହ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି ।

ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ପୋଷ୍ଟାଲ୍‍ ବାଲାଟ୍ ବ୍ୟବସ୍ଥା କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ ଦିଲ୍ଲୀ ସୀମାରେ ବ୍ୟାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୧ ତାରିଖ ମଙ୍ଗଳବାର ଦିନ ଭୋଟ୍‍ ଗଣତି ହେବ ।

ମାତ୍ର ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳକୃଷ୍ଣ ମାଧବ ଗିରଫ ହୋଇଛନ୍ତି। ଜିଏସ୍‌ଟି ସମ୍ପର୍କିତ ମାମଲାରେ ଗୋପାଳ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ଅଧିକାରୀମାନେ ତାଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଥିଲେ। ଗୋପାଳ ଗିରଫ ହେବାପରେ ମନୀଷ କହିଛନ୍ତି, ସିବିଆଇ ସମ୍ପୃକ୍ତ ଅଧିକାରୀଙ୍କୁ କଠୋର ଦଣ୍ଡ ଦେବା ଉଚିତ। ସୂଚନାଯୋଗ୍ୟ, ୨୦୧୫ରୁ ସିସୋଡିଆଙ୍କ କାର୍ଯ୍ୟାଳୟରେ ସେ ନିଯୁକ୍ତି ପାଇଥିଲେ। ଗିରଫ ଅଧିକାରୀଙ୍କୁ ପଚରାଉଚରା ଲାଗି ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.