ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ଭୋଟିଂ ଜାରି : ଦିନ ୧ଟା ସୁଦ୍ଧା ୪୦.୫୧% ମତଦାନ

Published By : Prameya-News7 Bureau | November 03, 2020 IST

ଭୁବନେଶ୍ୱର୦୩।୧୧: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି । କୋଭିଡ଼ କଟକଣା ଭିତରେ ନିର୍ବାଚନ ଚାଲିଛି । ତେବେ ଦିନ ୧ଟା ସୁଦ୍ଧା ବାଲେଶ୍ୱର ସଦରରେ ୪୧.୩୬% ପ୍ରତିଶତ ହୋଇଥିବା ବେଳେ ତିର୍ତ୍ତୋଲରେ ୩୯.୬୮% ପ୍ରତିଶତ ଭୋଟିଂ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏନେଇ ସୂଚନା ଦେଇଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଦିନ ୧ଟା ସୁଦ୍ଧା ଉଭୟ ଆସନରେ ୪୦.୫୧% ମତଦାନ ହୋଇଛି । ଦେଖିବାକୁ ଗଲେ ବାଲେଶ୍ୱର ସଦରରେ ୪୧.୩୬% ପ୍ରତିଶତ ହୋଇଥିବା ବେଳେ ତିର୍ତ୍ତୋଲରେ ୩୯.୬୮% ପ୍ରତିଶତ ଭୋଟିଂ ହୋଇଛି । ଉଭୟ ଆସନରେ ସୁରୁଖୁରୁରେ ନିର୍ବାଚନ ଚାଲିଛି । ସକାଳ ସମୟରେ ଇଭିଏମ୍‌ରେ ଦେଖାଦେଇଥିବା ଅସୁବିଧାକୁ ସୁଧରାଯାଇଛି ।

ଭୋଟରମାନେ ଗ୍ଲୋଭସ ପିନ୍ଧି ଇଭିଏମ ବଟନ୍ ଦବାଇ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଉଛନ୍ତି । ବୁଥ୍  ଭିତରକୁ ଯିବା ପୂର୍ବରୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଯଦି ଭୋଟରଙ୍କ ଦେହର ତାପମାତ୍ରା ଅଧିକ ରୁହେ ତେବେ ତାଙ୍କୁ ଏକ କୁପନ୍ ଦିଆଯିବ। ସେ ମତଦାନର ଶେଷ ଘଣ୍ଟାରେ ଆସି ଭୋଟ ଦେବେ ।

ବାଲେଶ୍ବରରେ ୨ ଲକ୍ଷ ୩୦ ହଜାର ୨୯୭ ଏବଂ ତିର୍ତ୍ତୋଲରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥର ବୁଥ୍ ସଂଖ୍ୟା ବଢାଯାଇଛି । ବାଲେଶ୍ବର ସଦରରେ ୩୪୬ ଏବଂ ତିର୍ତ୍ତୋଲରେ ୩୭୩ ବୁଥ୍ ରେ ମତଦାନ ହେଉଛି । ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ମତଦାତା ଭୋଟ ଦେବେ। ଗୋଲେଇ ଭିତରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରି ଭୋଟର ଠିଆ ହେବେ । ସୁରୁଖୁରୁରେ ମତଦାନ ଲାଗି ୮ଶହ ଆଶା କର୍ମୀ ଏବଂ ୮ଶହ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । କରୋନା କଟକଣା ମଧ୍ୟରେ ରାଜ୍ୟରେ ଏହା ପ୍ରଥମ ନିର୍ବାଚନ ।

ମତଦାନ ପାଇଁ ଭୋଟରମାନେ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ। ୧୧ଟି ପରିଚୟପତ୍ର ମଧ୍ୟରୁ  କୌଣସି ଗୋଟିଏ ନେଇ ପାରିବେ । ବାଲେଶ୍ବରରେ ୮୬ ଟି ଏବଂ ତିର୍ତ୍ତୋଲରେ ୧୫୫ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଅବାଧ ନିର୍ବାଚନ ଲାଗି ୩୫ଶହ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.