Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏନଡିଏକୁ ଭୋଟ୍ ଦିଅନ୍ତୁ, ଆଉ ୫ ବର୍ଷ ଭୋ ଭୋ ହୋଇ କାନ୍ଦନ୍ତୁ: ଯଶବନ୍ତ ସିହ୍ନା

16/09/2020 at 4:25 PM

ପାଟନା ୧୬।୦୯: ବିହାର ବିଧାନସଭା ନିର୍ବାଚନରେ ନିଜକୁ ବିକଳ୍ପ ଭାବେ ଉପସ୍ଥାପନ କରୁଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଶବ୍ଦରେ ନିଶାଣ କରିଛନ୍ତି। ଯଶବନ୍ତ ସିହ୍ନା ଟ୍ଵିଟ୍ କରି ତାତ୍ସଲ୍ୟ କରି କହିଛନ୍ତି ଜନତା ଯଦି ଏନଡିଏକୁ ଭୋଟ୍ ତେବେ ଆଉ ପାଞ୍ଚ ବର୍ଷ ଭୋ ଭୋ ହୋଇ କାନ୍ଦିବେ। ଅଟଳ ବିହାରୀ ବାଜପେୟୀ ସରକାରରେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଉପରେ ମଧ୍ୟ କଡା ଟିପ୍ପଣୀ କରିଛନ୍ତି।

ଯଶବନ୍ତ ସିହ୍ନା ଟ୍ଵିଟ୍ କରି କହିଛନ୍ତି, ନରେନ୍ଦ୍ର ମୋଦୀ ଓ ନୀତିଶଙ୍କ ପ୍ରୟାସରେ ବିହାର ଏବେ ସ୍ଵର୍ଗରେ ପରିଣତ ହୋଇଛି। ସେପ୍ଟେମ୍ବର ୨୫ ସୁଦ୍ଧା କରୋନା ବି ସମାପ୍ତ ହୋଇଯିବ। ବାକି ଯେଉଁମାନେ ବଞ୍ଚିଛନ୍ତି ସେମାନେ ଭଗବାନ ଓ ଛଠ ମେୟାଙ୍କ ଆର୍ଶୀବାଦରେ ଛଠ୍ ପର୍ଯ୍ୟନ୍ତ ପୂରା ହୋଇଯିବେ। ଏନଡିଏକୁ ଭୋଟ୍ ଦିଅନ୍ତୁ ଏବଂ ୫ ବର୍ଷ ଭୋ ଭୋ ହୋଇ କାନ୍ଦନ୍ତୁ ବୋଲି ସିହ୍ନା କହିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୋଦୀ ସରକାର ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ ବରଂ ଦେଶ ଓ ରାଜ୍ୟକୁ ଗର୍ତକୁ ଯିବାରୁ ବଞ୍ଚାଇବା ପାଇଁ ସେ ତାଙ୍କର ବିରୋଧ କରୁଛନ୍ତି।

ସେ କହିଛନ୍ତି ଦେଶରେ ବେରୋଜଗାରୀ ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ମାତ୍ର ମୋଦୀ ଓ ନୀତିଶ ସରକାର ଗଭୀର ନିଦ୍ରାରେ ଶୋଇଛନ୍ତି। ଯଶବନ୍ତଙ୍କ ଅନୁଯାୟୀ ସେହି ଦିନ ବେଶୀ ଦୂରରେ ନୁହେଁ ଯେବେ ଦେଶର ଯୁବ ବର୍ଗ ବେରୋଜଗାରକୁ ନେଇ ବିଦ୍ରୋହ ଆରମ୍ଭ କରିବେ ଓ ବର୍ତ୍ତମାନର ସରକାରକୁ ଉଖାଡି ଫିଙ୍ଗିବେ। ରାଜ୍ୟରେ ଚାକିରି ନାମରେ ନୀତିଶ ସରକାର ଯୁବ ବର୍ଗଙ୍କୁ ଭ୍ରମିତ କରୁଥିବା ସିହ୍ନା କହିଛନ୍ତି।

ଉଲ୍ଲେଖନୀୟ ଯଶବନ୍ତ ସିହ୍ନାଙ୍କ ପୁତ୍ର ଜୟନ୍ତ ସିହ୍ନା ବିଜେପି ସାଂସଦ। ଗତ ସରକାରରେ ଜୟନ୍ତ ସିହ୍ନା ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଥିଲେ। କୁହାଯାଉଛି ଯେ ଏଥର ଯଶବନ୍ତ ସିହ୍ନାଙ୍କ ବିଦ୍ରୋହୀ ଆଭିମୁଖ୍ୟ କାରଣରୁ ଜୟନ୍ତଙ୍କୁ ମନ୍ତ୍ରୀ କରାଯାଇ ନାହିଁ।

   Related Posts