ଇଣ୍ଡୋନେସିଆରେ ସୁନାମି ପ୍ରଳୟ ; ମୃତ୍ୟୁ ସଂଖ୍ୟା ୧୬୮କୁ ବୃଦ୍ଧି

Published By : Prameya-News7 Bureau | December 23, 2018 IST

ଜାକର୍ତ୍ତା ୨୩|୧୨: ଇଣ୍ଡୋନେସିଆରେ ସୁନାମି ପ୍ରଳୟ । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୬୮ ଛୁଇଁଛି । ସୁନାମି ମାଡରେ ଶହ ଶହ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ସୁନାମି ପ୍ରଭାବିତ ଅଞ୍ଚଳରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଚ୍ଚ ଏବଂ ଶକ୍ତିଶାଳୀ ଢେଉ ମାଡରେ ଶହ ଶହ କୋଠା କ୍ଷତିଗ୍ରସ୍ତ ହୋଇଛି ।

{"id":66469}

ସୁନାମି ପ୍ରଳୟର ଭିଜୁଆଲ୍ ସୋସିଆଲ ମିଡିଆରେ ଆସିବା ପରେ ଦେଖିବାକୁ ମିଳିଛି ତାର କରାଳ ରୂପ  । ସମୁଦ୍ର ବେଳାଭୂମିରେ ଚାଲିଥିବା ପାର୍ଟି ଉପରେ ଅଚାନକ ସମୁଦ୍ର ଢେଉ ମାଡିଯିବା ସମୟର ଭିଜୁଆଲ୍ ସାମ୍ନାକୁ ଆସିଛି । କାରିଟା ବେଳାଭୂମିରେ ଲୋକ ଉତ୍ସବ ମନାଉଛନ୍ତି, ପାର୍ଟିରେ ମାତିଛନ୍ତି, ବେପରୁୱା ନାଚଗୀତ ଚାଲିଛି । ସମସ୍ତେ ମସଗୁଲ, ଆଉ ଏତିକି ବେଳେ କେହି କିଛି ବୁଝିବା ଆଗରୁ ବିରାଟ ଢେଉ ଆସି ସବୁ କିଛି ଭସାଇ ନେଉଛି । ଅନ୍ଧାରରେ ସମସ୍ତେ ପ୍ରାଣ ବିକଳରେ ଦଉଡିବାରେ ଲାଗିଥିଲେ ।

{"id":66471}

କାଲି ବିଳମ୍ବିତ ରାତିରେ ଜାଭା ଏବଂ ସୁମାତ୍ରା ମଝିରେ ସୁଣ୍ଡ୍ରା ଦ୍ବୀପରେ ସମୁଦ୍ର ଭିତରେ ଥିବା  କ୍ରାକୋଟୋଆ ଆଗ୍ନେୟଗିରି ଉଦଗୀରଣ ହେବା ଫଳରେ ଏହି ସୁନାମି ଆସିଛି । ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଉଚ୍ଚ ଜୁଆର ଆସିଥିବା ବେଳେ ସୁନାମି ଆହୁରି ଭୟଙ୍କର ରୂପ ନେଇଥିଲା । ରାତି ୯ଟା ବେଳକୁ ଅଗ୍ନି ଉଦଗୀରଣ ହୋଇଥିଲା, ତାର ମାତ୍ର ଅଧଘଣ୍ଟା ଭିତରେ ସୁନାମିର ବଡ ବଡ ଢେଉ ସମୁଦ୍ର କୂଳକୁ ମାଡି ଆସିଥିଲା । ସୁନାମି ୱାର୍ଣିଂ ଦିଆଯାଇନଥିବା ବେଳେ ହଠାତ ପାଣି ମାଡି ଆସିଥିଲା । ଫଳରେ ବେଳାଭୂମିରେ ସୁନାମି ଜନିତ କ୍ଷୟକ୍ଷତି ବଢି ଯାଇଛି । ସମୁଦ୍ର ଢେଉ ବେଳାଭୂମିରେ ଥିବା ହୋଟେଲ୍ ରେ ପଶି ଯାଇଥିଲା । ଗାଡିମୋଟର ସହ ବେଳାଭୂମିରେ ଥିବା ଲୋକଙ୍କୁ ମଧ୍ୟ ଭସାଇ ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.