ସାମ୍ବିଧାନିକ ସଂଶୋଧନକୁ ଜନତାଙ୍କ ଅପାର ସମର୍ଥନ, ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ହେବେ ପୁଟିନ୍

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ ୦୨।୦୭: ରୁଷରେ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ ଭ୍ଲାଦିମିର ପୁଟିନ। ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବା ନେଇ ଏକ ସାମ୍ବିଧାନିକ ସଂଶୋଧନ ବିଧେୟକ ପାରିତ ହୋଇଛି। ବିଧେୟକ ନେଇ ହୋଇଥିବା ଭୋଟ୍‌ରେ ପୁଟିନଙ୍କୁ ଜନତାଙ୍କ ପ୍ରବଳ ଜନାଦେଶ ମିଳିଛି। ରୁଷ ଇତିହାସର ଏହି ଖାସ୍‌ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କରି ପୁଟିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଜୟ ପରେ ପୁଟିନଙ୍କୁ ଫୋନ କରିବାରେ ମୋଦୀ ପ୍ରଥମ ବିଶ୍ଵ ନେତା।

ପୁଟିନ୍ ୨୦୩୬ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ରହିବା ନେଇ ଏକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକତା ଥିଲା। ଏ ନେଇ ଗୃହରେ ବିଧେୟକ ଉପସ୍ଥାପିତ ହୋଇଥିଲା। ଏହାକୁ ନେଇ ମଧ୍ୟ ଅନେକ ବିବାଦ ହୋଇଥିଲା। ଏହି ଗୁରୁତ୍ଵପୂର୍ଣ୍ଣ ସାମ୍ବିଧାନିକ ସଂଶୋଧନ ପାଇଁ ଜନତାଙ୍କ ମତାମତ ଲୋଡା ଯାଇଥିଲା। ଏଥିରେ ୭୭.୯୨ ପ୍ରତିଶତ ସାମ୍ବିଧାନିକ ସଂଶୋଧନ ଉପରେ ମୋହର ମାରିଛନ୍ତି। ମାତ୍ର ୨୧.୨୬ ପ୍ରତିଶତ ବିଧେୟକ ବିରୋଧରେ ମତ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଭ୍ଲାଦିମିର ପୁଟିନ ୨୦୩୬ ପର୍ଯ୍ୟନ୍ତ ପଦରେ ରହିବା ନିମନ୍ତେ ପ୍ରାବଧାନର ସମ୍ବିଧାନ ସଂଶୋଧନ କାନୁନ ଉପରେ ଜନତାଙ୍କ ରାୟ ମଗାଯାଇଥିଲା। ଏହି ଭୋଟିଂରେ ଜନତା ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। ୨୦୨୪ରେ ପୁଟିନଙ୍କ ଚତୁର୍ଥ ତଥା ଶେଷ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା। ହେଲେ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ହେବା ନେଇ ପୁଟିନ୍‌ଙ୍କ ପଥ ପରିଷ୍କାର ହୋଇଛି।

ଭୋଟିଂରେ ରୁଷିଆବାସୀ ସଂଶୋଧନରେ ଏକ ପ୍ୟାକେଜ୍‌କୁ ସମର୍ଥନ କରିବା ପାଇଁ ଚୟନ କରିଛନ୍ତି। ଏଥିରେ ପେନସନ ଓ ସର୍ବନିମ୍ନ ପାରିଶ୍ରାମିକ ବୃଦ୍ଧି ମଧ୍ୟ ରହିଛି। ଏଥିରେ ସରକାରରେ ସାମାନ୍ୟ ପୁନର୍ଗଠନ, ଈଶ୍ଵର ଉପରେ ବିଶ୍ଵାସ ଏକ ସାମ୍ବିଧାନିକ ଉଲ୍ଲେଖ, ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧ ଆଦି ସାମିଲ। ଏହା  ବ୍ୟତୀତ ରୁଷି ଭାଷା ଓ ଇତିହାସ ଓ ଦ୍ଵୈତ ନାଗରିକତା ରଖୁଥିବା ଶୀର୍ଷ ଅଧିକାରୀଙ୍କ ପରେ ପ୍ରତିବନ୍ଧ ଲଗାଇବାକୁ ମଧ୍ୟ ଜନତା ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.