ରୁଷ ରାଷ୍ଟ୍ରପତି ପୁଟିନଙ୍କ ଚେତାବନୀ, ନାଟୋ ୟୁକ୍ରେନରେ 'ଲକ୍ଷ୍ମଣ ରେଖା' ପାର କଲେ ରୁଷ ଦେବ ଦୃଢ ଜବାବ

Published By : Prameya-News7 Bureau | December 01, 2021 IST

ମସ୍କୋ ୦୧।୧୨: ଯଦି ୟୁକ୍ରେନରେ ନାଟୋ ଲକ୍ଷ୍ମଣ ରେଖା ପାର କରେ ତେବେ  ବାଧ୍ୟ ହୋଇ ରୁଷକୁ ଜବାବ ଦେବାକୁ ପଡିବ। ମଙ୍ଗଳବାର ଏମିତି ଚେତାବନୀ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏହାର ଜବାବରେ ଆମେରିକା ଓ ବ୍ରିଟେନ୍ ରୁଷକୁ ୟୁକ୍ରେନ ବିରୋଧରେ ସୈନ୍ୟ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି।

ମସ୍କୋରେ ଇନଭେଷ୍ଟମେଣ୍ଟ ଫୋରମକୁ ସମ୍ଵୋଧିତ କରି ପୁଟିନ୍ କହିଛନ୍ତି, ଆଶା କରୁଛି ଏହି ପ୍ରସଙ୍ଗରେ ସମସ୍ତ ପକ୍ଷ ଉତ୍ତମ ବୁଦ୍ଧିମତାର ପରିଚୟ ଦେବେ। ମାତ୍ର ଆମେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ(ନାଟୋ)କୁ ଚେତାଇ ଦେବାକୁ ଚାହୁଁଛୁ ଯେ, ୟୁକ୍ରେନ ସମ୍ବନ୍ଧିତ ସୁରକ୍ଷା ପ୍ରସଙ୍ଗରେ ଆମର ଅଲଗା ଦୃଷ୍ଟିକୋଣ ରହିଛି। ଯଦି ୟୁକ୍ରେନ ସୀମାରେ ଘାତକ ମାରଣାସ୍ତ୍ର ମୁତୟନ କରାଯାଏ ତେବେ ମସ୍କୋ ସାତରୁ ୧୦ ମିନିଟ୍ ଭିତରେ ହାଇପରସୋନିକ ମିସାଇଲ ନିକ୍ଷେପ କରିବ। ଏହା ପରର ସ୍ଥିତି କଣ ହେବ କଳ୍ପନା କରାଯାଇ ପାରେ ବୋଲି ପୁଟିନ୍ କହିଛନ୍ତି।

ରୁଷ ରାଷ୍ଟ୍ରପତି କହିଛନ୍ତି, ତାଙ୍କ ଦେଶ ନିକଟରେ ସମୁଦ୍ର ଆଧାରିତ ହାଇପରସୋନିକ ମିସାଇଲର ପରୀକ୍ଷଣରେ ସଫଳତା ହାସଲ କରିଛି। ଏହା ଆସନ୍ତା ବର୍ଷ ସେନାରେ ନିୟୋଜିତ ହେବ। ରୁଷ ହୃଦବୋଧ କରୁଛି ଯେ, ସୀମା ନିକଟରେ  ବ୍ୟାପକ ମାତ୍ରାରେ ସାମରିକ ଅଭ୍ୟାସ୍ କରାଯାଉଛି। ଏଥିରୁ ଅନେକ ସୁନିୟୋଜିତ  ବୋଲି ଭ୍ଲାଦିମିର ପୁଟିନ୍ କହିଛନ୍ତି।

ଅପର ପକ୍ଷେ ୟୁକ୍ରେନ ସୀମାରେ ସୈନ୍ୟ  ମୁତୟନ ବଢାଇବା ପ୍ରସଙ୍ଗରେ ଓ୍ଵାଶିଂଟନରେ ନାଟୋର ବୈଠକ ସମୟରେ ରୁଷକୁ କୌଣସି ପ୍ରକାରର ଆକ୍ରମଣାତ୍ମକ ପଦକ୍ଷେପ ନଉଠାଇବା ଅଥବା ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି। ବୈଠକ ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ କହିଛନ୍ତି, ରୁଷ ପକ୍ଷରୁ କୌଣସି ଉସୁକାଇବା ପରି ପଦକ୍ଷେପ ନିଆଗଲେ ଆମେରିକା ପାଇଁ ଚିନ୍ତାଜନକ ହେବ। ଏପରିକି ରୁଷକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ବ୍ରିଟେନ୍ ଓ ଜର୍ମାନୀ ମଧ୍ୟ ୟୁକ୍ରେନ ପ୍ରସଙ୍ଗରେ ଆମେରିକା ସମର୍ଥନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.