ରାଜନୀତିକୁ ଫେରିବେ ଶଶିକଳା ! ଦଳର ନେତାଙ୍କୁ କହିଲେ- ‘ସବୁ ଠିକ୍‌ ହୋଇଯିବ’

Published By : Prameya-News7 Bureau | May 30, 2021 IST

ଚେନ୍ନାଇ ୩୦/୫: ଏଆଇଏଡିଏମକେରୁ ନିଲମ୍ବିତ ଭି.କେ. ଶଶିକଳା ରାଜନୀତିକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। କିଛି ଦିନ ହେଲା ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ଶଶିକଳା ପୁଣି ଥରେ ମୈଦାନକୁ ଫେରିବେ ବୋଲି ସଙ୍କେତ ଦେଇଛନ୍ତି। ଏହି ସମୟରେ ଶଶିକଳାଙ୍କ ଏକ ଅଡିଓ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ ଅଡିଓରେ ଶଶିକଳା ନିଜ ଦଳର ନେତାଙ୍କ ସହ କଥା ହେବା ସହ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିବାକୁ ଭରସା ଦେଇଛନ୍ତି।

ଭାଇରାଲ ଅଡିଓ ମାଧ୍ୟମରେ ଶଶିକଳା କହିଛନ୍ତି, ‘ଚିନ୍ତା କରନି, ନିଶ୍ଚିତ ଭାବେ ଦଳର ଅସୁବିଧା ସମାଧାନ ହୋଇଯିବ। ସମସ୍ତେ ସାହାସୀ ହୋଇଯାଅ । ଥରେ କରୋନା ମହାମାରୀ ଅପସରି ଯାଉ। ମୁଁ ଫେରିବି।’  ଜବାବରେ ନେତା କହିଛନ୍ତି, ‘ ଆମେ ଆପଣଙ୍କ ପଛରେ ରହିବୁ ଆମ୍ମା।’ ଭାଇରାଲ୍‌ କଲ୍‌ ନେଇ ସୂଚନା ଦେଇଛନ୍ତି ଏଏମଏମକେ ସାଧାରଣ ସମ୍ପାଦକ ଟିଟିଭି ଦିନାକରଣଙ୍କ ବ୍ୟକ୍ତିଗତ ସହାୟକ ଜନାର୍ଥନ  ।  

ଏହା ପୂର୍ବରୁ ଦଳରୁ ନିଲମ୍ବିତ ହୋଇଥିବା ଶଶିକଳା ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କରିଥିଲେ। ସେତେବେଳେ ସେ କହିଥିଲେ, ‘ମୁଁ ନିଜକୁ ରାଜନୀତିରୁ ଅଲଗା କରିଛି ଏବଂ ନିଜର ଦେବୀ ଅକ୍କା (ଜୟଲଳିତା)ଙ୍କ ଶାସନ ପାଇଁ ପ୍ରାର୍ଥନା କରିଛି।’

ସୂଚନାଯୋଗ୍ୟ, ଶଶିକଳା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନିକଟତର ଥିଲେ। ଡିସେମ୍ବର ୨୦୧୬ରେ ଜୟଲଳିତାଙ୍କ ନିଧନ ପରେ ଫେବୃଆରୀ ୨୦୧୭ରେ ରୋଜଗାରଠୁ ଅଧିକ ସମ୍ପତ୍ତି ରଖିବା ମାମଲାରେ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା। ଚଳିତବର୍ଷ ଫେବୃଆରୀରେ ତାଙ୍କୁ ଜେଲ୍‌ରୁ ମୁକ୍ତି ମିଳିଥିଲା। କୁହାଯାଉଥିଲା ଶଶିକଳା ବିଧାନସଭା ନିର୍ବାଚନ ଲଢ଼ିବେ। କିନ୍ତୁ ସେ ରାଜନୀତିରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏବେ ପୁଣି ଥରେ ରାଜନୀତିକୁ ଫେରିବାକୁ ସଙ୍କେତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.