ବିଶାଖାପଟ୍ଟନମ୍ ଗ୍ୟାସ୍ ଲିକ ମାମଲାରେ ଦକ୍ଷିଣ କୋରିଆକୁ ଫେରାଇ ଦିଆଗଲା ୧୩ ହଜାର ଟନ୍ ସ୍ଟିରିନ୍

Published By : Prameya-News7 Bureau | May 12, 2020 IST

ବିଶାଖାପଟ୍ଟନମ ୧୨/୦୫ : ବିଶାଖାପଟ୍ଟନମରେ ଗ୍ୟାସ ଲିକ ଘଟଣା ପରେ ଆନ୍ଧ୍ରପ୍ରଦେଶ ସରକାର ୧୩, ହଜାର ଟନ ତରଳ ସ୍ଟିରିନ ରସାୟନ ଦକ୍ଷିଣ କୋରିଆକୁ ଫେରସ୍ତ କରିଦେଇଛି | ଏଲଜି ପଲିମର୍ସ କାରଖାନାରୁ ଗ୍ୟାସ ଲିକ ହେବା ପରେ ପାଖାପାଖି ୧୩ ହଜାର ଟନ ତରଳ ସ୍ଟିରିନ ରସାୟନ କମ୍ପାନୀ ପୁଣି ଦକ୍ଷିଣ କୋରିଆ ସିୟୋଲ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇ ଦେଇଛି | ଗ୍ୟାସ ଲିକ ମାମଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା | ଆର.ଆର ଭେଙ୍କଟପୂରମ ସ୍ଥିତ ଏଲଜି ପଲିମର୍ସ କାରଖାନାରେ ଏକା ଟ୍ୟାଙ୍କରେ ସ୍ଟିରିନ ରଖାଯାଇଥିଲା | ବିଶାଖାପଟନମ ବନ୍ଦରଗାହରେ ମଧ୍ୟ ୨ଟି ଟ୍ୟାଙ୍କରେ ଏହି ରସାୟନ ରଖାଯାଇଥିଲା | ଏହାକୁ ସିଙ୍ଗାପୁରରୁ ଆମଦାନୀ କରାଯାଇଥିଲା | ଆନ୍ଧ୍ରପ୍ରଦେଶ ସରକାରଙ୍କ କେନ୍ଦ୍ରୀୟ ପୋତ ପରିବହନ ମନ୍ତ୍ରାଳୟ ସହ ଆଲୋଚନା କରି ଏହି ରସାୟନକୁ ପୁଣିଥରେ ପଠାଇ ଦେବା ପାଇଁ ବିଶେଷ ଟ୍ୟାଙ୍କର ଜାହାଜ ବ୍ୟବସ୍ଥା କରାଯାଇଛି |

ବିଶାଖାପଟ୍ଟନମ ଜିଲ୍ଲା ଅଧିକାରୀ ବି.ବିନୟ ଚାନ୍ଦ କହିଛନ୍ତି ଯେ, ୮ ହଜାର ଟନ ସ୍ଟିରିନ କଣ୍ଟେନର ସୋମବାର ଦିନ ପଠାଇବେ | ବାକି ୫ ଟନ ସ୍ଟିରିନ ଆଉ କିଛି ଦିନ ମଧ୍ୟରେ ପଠାଇବା ବ୍ୟବସ୍ଥା କରିବେ | ପଲିଏସ୍ଟର ତିଆରି କରିବା ପାଇଁ ଏହି ରସାୟନ ବ୍ୟବହାର କରାଯାଏ | ମେ ୭ ତାରିଖ ସକାଳୁ ସକାଳୁ ପ୍ଲାଣ୍ଟରୁ ଗ୍ୟାସ ଲିକ ହୋଇଥିଲା | ମାମଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦୦ ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ଶନିବାର ଦିନ ଭେଙ୍କଟପୂରମ ଓ ଆଖପାଖ ଅଞ୍ଚଳରେ ଲୋକମାନେ ପ୍ଲାଣ୍ଟ ନିକଟରେ ମୃତଦେହ ରଖି ଧାରଣା ଦେଇଥିଲେ ଏବଂ ପ୍ଲାଣ୍ଟକୁ ସମ୍ପୂର୍ଣ ଭାବେ ବନ୍ଦ କରିବାକୁ ଦାବି କରିଥିଲେ | ଲୋକଙ୍କ ଦାବି ପରେ ପ୍ଲାଣ୍ଟକୁ ବନ୍ଦ ରଖାଯାଇଛି |

ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଭିଡିଓ କନ୍ଫରେନସିଂ ଜରିଆରେ ଆଲୋଚନା କରି ଘଟଣାର ସମୀକ୍ଷା କରିଛନ୍ତି | ଏହାସହ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିବାକୁ ମନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଥିଲେ | ଏହାସହ ପ୍ରଭାବିତ ଅଞ୍ଚଳରେ ମନ୍ତ୍ରୀମାନଙ୍କୁ ରାତିଯାପନ କରିବାକୁ ନିର୍ଦେଶ ଦେଇଛନ୍ତି ଯେପରିକି ଲୋକଙ୍କ ବିଶ୍ଵାସ ପୁଣି ଫେରିପାଇବେ ଏବଂ ତାଙ୍କୁ ଆଶ୍ୱାସନା ଦେବେ | ଅପରପକ୍ଷରେ ମନ୍ତ୍ରୀ ବୋତ୍ସା ସତ୍ୟ ନାରାୟଣ ଓ କେ.କନ୍ନା ବାବୁ ମୃତକଙ୍କ ପରିବାରକୁ ଏକା କୋଟି ଟଙ୍କା ଆର୍ଥିକ ସାହାଯ୍ୟ ଘୋଷଣା କରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.