ଜୀବଜନ୍ତୁଙ୍କ ଠାରୁ ମଣିଷକୁ ଡେଉଁଛି ଭାଇରସ!

Published By : Prameya-News7 Bureau | July 10, 2020 IST

ନ୍ୟୁୟର୍କ,୧୦/୦୭: ଜୀବଜନ୍ତୁଙ୍କ ଠାରୁ ମଣିଷ ଦେହକୁ ଯେପରି ମାରାତ୍ମକ ଭାଇରସ ସବୁ ଆସୁଛି, ତାହାକୁ ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି । ଜାତିସଂଘର ପରିବେଶ ବିଭାଗ(ୟୁଏନଇପି) ଏକ ରିପୋର୍ଟରେ କହିଛି ଯେ ଏବେ ଯେଉଁ ମହାମାରୀ ସାର୍ସ କୋଭିଡ-୨ ଭାଇରସ ସମଗ୍ର ବିଶ୍ୱରେ ବ୍ୟାପୁଛି, ତାହାର ଉତ୍ପତ୍ତି ଏବଂ ବ୍ୟାପିବା କିଛି ଆଶ୍ଚର୍ଯ୍ୟଜନକ ନୁହେଁ । ମାନବର ନିଜ ଆଚରଣ ଯେପରିକି ଅଧିକ ମାତ୍ରାରେ ଜୀବଜନ୍ତୁଙ୍କ ମାଂସକୁ ଖାଦ୍ୟ ଭାବେ ବ୍ୟବହାର କରିବା ଯୋଗୁ ଏଭଳି ଭାଇରସ ବି ଅଧିକ ମାତ୍ରାରେ ବ୍ୟାପୁଛି । ଏହାଦ୍ୱାରା ଯେଉଁ ରୋଗସବୁ ସୃଷ୍ଟି ହେଉଛି ସେଗୁଡିକୁ ଜୁନୋଟିକ୍‌ ଡିଜିଜ୍‌ ବୋଲି କୁହାଯାଉଛି । ସାଧାରଣତଃ ସ୍ତନ୍ୟପାୟୀ ଜୀବ, ସରୀସୃପ, ପକ୍ଷୀ ଏବଂ ମାଛଙ୍କ ଠାରୁ ମଣିଷ ଦେହକୁ ଆସିବାରେ ସକ୍ଷମ ହେଉଥିବା ରୋଗକୁ ଜୁନୋଟିକ୍‌ ଡିଜିଜ୍‌ ବୋଲି କୁହାଯାଏ । ଇବୋଲା ଭାଇରସ ମାଙ୍କଡଙ୍କ ଦେହରୁ ଆସିଥିଲାବେଳେ ସାର୍ସ ଭାଇରସ ଓଟ ଏବଂ କରୋନା ଭାଇରସ ବାଦୁଡିଙ୍କ ଦେହରୁ ମଣିଷ ପାଖକୁ ଆସିଛି ବୋଲି ମନେ କରାଯାଉଛି ।

ଅନେକ ପରିବେଶବିତ୍‌ ମଧ୍ୟ କହିଛନ୍ତି ଯେ ମଣିଷ ଯେପରି ଜଙ୍ଗଲ ସଂପଦର ଅବକ୍ଷୟ କରୁଛି ଓ ବନ୍ୟଜନ୍ତୁଙ୍କ ଶିକାର କରୁଛି ତାହାଯୋଗୁ ଏପରି ଭାଇରସ ବ୍ୟାପିବା ସାଧାରଣ ଘଟଣା ହୋଇଯାଇଛି । ସେହିପରି କୃତ୍ରିମ ଉପାୟରେ ବନ୍ୟ ଜୀନଜନ୍ତୁଙ୍କ ବଂଶ ବୃଦ୍ଧି କରିବା ସହିତ ସେମାନଙ୍କୁ ଖାଦ୍ୟ ଭାବେ ବ୍ୟବହାର କରିବା ବି ବୃଦ୍ଧି ପାଉଛି । ଏହାଯୋଗୁ ମଣିଷର ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହେଉଛି । ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ଲୋକ ଏଭଳି ଜୁନୋଟିକ୍‌ ଡିଜିଜ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । କେବଳ କରୋନା ସଂକ୍ରମଣ ଯୋଗୁ ଗତ ୮ ମାସ ଭିତରେ ସମଗ୍ର ବିଶ୍ୱରେ ପ୍ରାୟ ୫,୪୪,୦୦୦ ଲୋକ ପ୍ରାଣ ହରାଇସାରିଲେଣି । କୋଟିଏରୁ ଉଦ୍ଧ୍ୱର୍ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇସାରିଲେଣି ।

ଯଦିଓ ବିଶ୍ୱରେ ଅନେକ ଲୋକ କରୋନା ଭାଇରସ ସଂକ୍ରମଣକୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରୁଛନ୍ତି, କିନ୍ତୁ ଆମ ଭଳି ବିଶେଷଜ୍ଞ ଯେଉଁମାନେ ଏହି ବିଷୟରେ ଗବେଷଣା କରୁଛୁ ଏହାଦ୍ୱାରା ଆଦୌ ଚକିତ ହୋଇନାହୁଁ । କାରଣ ମଣିଷର କାର୍ଯ୍ୟକଳାପ ଯୋଗୁ ଏଭଳି ବିପଦ ସୃଷ୍ଟି ହେବ ବୋଲି ଆମେ ଜାଣିଥିଲୁ । ଏହି କାରଣରୁ ଆଗାମୀ ଦିନରେ ବି ଆହୁରି ମାରାତ୍ମକ ଭାଇରସ ବ୍ୟାପିବା ଅସମ୍ଭବ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.