ଘରେ ବିନା ମାସ୍କରେ କଥାବାର୍ତ୍ତା କଲେ ଭାଇରସ୍‌ ବ୍ୟାପିବାର ବିପଦ ଅଧିକ, ଗବେଷଣାରୁ ମିଳିଲା ତଥ୍ୟ

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ ୦୯/୦୬ : ଘରେ କିମ୍ବା ବନ୍ଦ କୋଠରୀରେ ମାସ୍କ ନ ଲଗାଇ କଥାବାର୍ତ୍ତା ହେଲେ କରୋନା ଭାଇରସ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ଏକ ଗବେଷଣାରୁ ଏହା ଜଣାପଡିଛି । ଏହି ଗବେଷଣାରେ କୁହାଯାଇଛି ଯେ କଥା କହିବା ସମୟରେ ପାଟିରୁ ଅଲଗା ଅଲଗା ଶ୍ୱାସନ ବୁନ୍ଦା ବାହାରିଥାଏ ଓ ସେଥିରେ ଅଲଗା ଅଲଗା ମାତ୍ରାରେ ଭାଇରସ ଥାଇପାରେ । ବୈଜ୍ଞାନିକଙ୍କ ଅନୁଯାୟୀ, ସବୁଠାରୁ ଚିନ୍ତାଜନକ ବୁନ୍ଦା ହେଲା ଯାହାର ଆକାର ମଧ୍ୟମ ଓ ଯାହା ଅନେକ ମିନିଟ ଯାଏଁ ବାୟୁରେ ରହିଥାଏ । ବାୟୁରେ ଏହି ବୁନ୍ଦା ଜଣକ ଠାରୁ ଆଉ ଜଣକ ପାଖକୁ ପହଞ୍ଚି ଯାଇପାରେ ।

ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇବେଟିସ୍ ଏବଂ ଡାଇଜେଷ୍ଟିଭ ଏବଂ କିଡନୀ ରୋଗର ଆଡ୍ରିଆନ୍ ବେକ୍ସ କହିଛନ୍ତି, 'ଆମେ ସମସ୍ତେ ଦେଖିଛେ ଯେ ଯେତେବେଳେ ଆମେ କଥା ହୋଇଥାଏ ଛେପର ହଜାର ହଜାର ବୁନ୍ଦା ବାୟୁରେ ମିଶିଯାଇଥାଏ । କିନ୍ତୁ ଏହାଛଡା ଆହୁରି ହଜାର ହଜାର ବୁନ୍ଦା ଥାଏ ଯାହା ଖାଲି ଆଖିରେ ଦେଖାଯାଏ ନାହିଁ । କଥା ହେବା ସମୟରେ ବାହାରୁଥିବା ଏହି ଭାଇରସ ଯୁକ୍ତ ବୁନ୍ଦା ବାଷ୍ପରେ ପରିଣତ ହୋଇ ଅନେକ ମିନିଟ ଯାଏଁ ବାୟୁରେ ରହିଯାଇଥାଏ ଯାହା ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।'

ଅନୁସନ୍ଧାନକାରୀ କରୋନା ମହାମାରୀ ଆରମ୍ଭରୁ ଭାଇରସ ବିସ୍ତାରରେ ଏରୋସୋଲ ବୁନ୍ଦାର ଶାରୀରିକ ଏବଂ ଚିକିତ୍ସା ଦିଗ ଉପରେ ହୋଇଥିବା ଅଧ୍ୟୟନର ସମୀକ୍ଷା କରିଛନ୍ତି । ଏଥିରୁ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ SARS-CoV-2 ର ବାୟୁବାହୀ ବିସ୍ତାର କେବଳ କରୋନା ଭାଇରସ ପ୍ରସାରଣର ମୁଖ୍ୟ ମାର୍ଗ ନୁହେଁ ବରଂ ମାସ୍କ ନ ପିନ୍ଧି ସୀମିତ ସ୍ଥାନରେ କଥା ହେବା ଦ୍ୱାରା ମଧ୍ୟ ଅନ୍ୟମାନଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ।

ଗବେଷକ କହିଛନ୍ତି ଯେ, ଘରେ ଖାଇବା-ପିଇବା ସମୟରେ କିମ୍ବା ଅନ୍ୟକୌଣସି ସମୟରେ ସମସ୍ତେ ଜୋର ଜୋରରେ କଥାବାର୍ତ୍ତା କରିଥାନ୍ତି । ସେଥିପାଇଁ ବାର ଓ ରେସ୍ତୋରାଁରେ ସଂକ୍ରମଣ ଅଧିକ ହୋଇଥିବାରୁ ସବୁ ବନ୍ଦ କରାଯାଇଥିଲା । ଏହି ଅଧ୍ୟୟନ ମଙ୍ଗଳବାର ଦିନ ଇଂଟରନାଲ ମେଡ଼ିସିନରେ ପ୍ରକାଶିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.