ଦୀପାବଳିରେ ଅଯୋଧ୍ୟାରେ ହେବ ଭର୍ଚ୍ଚୁଆଲ ଦୀପୋତ୍ସବ, ସାମିଲ ହୋଇପାରିବେ ଶ୍ରଦ୍ଧାଳୁ

Published By : Prameya-News7 Bureau | November 08, 2020 IST

ଅଯୋଧ୍ୟା ୦୮/୧୧ : ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଚଳିତ ବର୍ଷ ଦୀପୋତ୍ସବ ଓ ଦୀପାବଳି ଐତିହାସିକ ହେବ। ଶ୍ରୀରାମ ଜନ୍ମଭୂମିରେ ଶ୍ରୀରାମ ମନ୍ଦିର ନିର୍ମାଣ ସ୍ବପ୍ନ ପୁରା ହେବାକୁ ଯାଉଛି। ଏହିଭଳି ସମୟରେ ଅଯୋଧ୍ୟାରେ ଯେପରି କୌଣସି ଶ୍ରଦ୍ଧାଳୁ ରାମଙ୍କ ଦରବାରରେ ଆସ୍ଥା ଦୀପ ଜଳାଇବାରୁ ବଞ୍ଚିତ ନ ରୁହନ୍ତୁ ସେଥିପାଇଁ ଉତ୍ତର ପ୍ରଦେଶ ସରକାର ସମସ୍ତଙ୍କ ସହଭାଗିତା ସୁନିଶ୍ଚିତ କରିବାକୁ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଉଛି। ଏହି ପୋର୍ଟାଲ ମାଧ୍ୟମରେ ଭର୍ଚ୍ଚୁଆଲ ଦୀପ ଲଗାଯାଇପାରିବ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭର୍ଚ୍ଚୁଆଲ ଦୀପୋତ୍ସବରେ ସାମିଲ ହେବେ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଭର୍ଚ୍ଚୁଆଲ ଦୀପୋତ୍ସବ ପ୍ଲାଟଫର୍ମ ସତ ଭଳି ଅନୁଭୂତ ହେବ। ପୋର୍ଟାଲରେ ଶ୍ରୀରାମଙ୍କ ବିରାଜମାନ ଫଟୋ ରହିବ। ଫଟୋ ସମ୍ମୁଖରେ ଭର୍ଚ୍ଚୁଆଲ ଦୀପ ପ୍ରଜ୍ବଳନ କରାଯାଇପାରିବ। ଶ୍ରଦ୍ଧାଳୁ ନିଜ ଭାବନା ଅନୁସାରେ ମାଟି, ପିତ୍ତଳ, ତମ୍ବା କିମ୍ବା ଅନ୍ୟ ଧାତୁରେ ତିଆରି ଦୀପ ଷ୍ଟାଣ୍ଡ ବାଛିପାରିବେ। ଘିଅ, ସୋରିଷ କିମ୍ବା ତେଲର ବିକଳ୍ପ ଉପଲବ୍ଧ ହେବ। ଦୀପ ଜଳାଇବା ପରେ ଶ୍ରଦ୍ଧାଳୁଙ୍କ ବିବରଣୀ ଆଧାରରେ ରାମଙ୍କ ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ପତ୍ର ଜାରି କରାଯିବ। ନଭେମ୍ବର ୧୩ ତାରିଖରେ ପ୍ରସ୍ତାବିତ ମୁଖ୍ୟ ସମାରୋହ ପୂର୍ବରୁ ଏହି ୱେବସାଇଟ୍ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ।

{"id":358227,"sizeSlug":"large"}

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଦୀପୋତ୍ସବର ଭବ୍ୟ - ଦିବ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କୌଣସି ସ୍ଥାନରେ କୋଭିଡ ନିୟମ ଯେପରି ଉଲଙ୍ଘନ ନ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଦିନ ଅଲଗା ଅଲଗା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କାର୍ଯ୍ୟକ୍ରମରେ କୋଭିଡ ଗାଇଡଲାଇନ ପାଳନ କରାଯିବ। ଯୋଗୀ କହିଛନ୍ତି, ଦୀପୋତ୍ସବରେ ସମସ୍ତ ମନ୍ଦିର, ମଠ, ଘରେ ଦୀପ ଲାଗିବ ଯେପରି ରାମଙ୍କ ନଗରୀ ଦୀପ ଆଲୋକରେ ଆଲୋକିତ ହେବ।

ଚଳିତ ବର୍ଷ ଦୀପାବଳିରେ ଅଯୋଧ୍ୟାରେ ପାଖାପାଖି ସାଢେ ୫ ଲକ୍ଷ ଦୀପ ଲଗାଇବା ପାଇଁ ପ୍ରସ୍ତୁତି ହେଉଛି। ଯୋଗୀ ରାମାୟଣ ପ୍ରସଙ୍ଗ ଉପରେ ଆଧାରିତ ଦୃଶ୍ୟ ଅବଲୋକନ କରିବେ। ଏହାସହ ଶ୍ରୀରାମ, ସୀତା, ଲକ୍ଷ୍ମଣଙ୍କ ସ୍ୱରୂପଙ୍କ ଆରତୀ କରି ଶ୍ରୀରାମଙ୍କ ରାଜ୍ୟାଭିଷେକ କରିବେ। ସମସ୍ତ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀଙ୍କ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.