ଚୀନରୁ ଜୀବନ ବଞ୍ଚାଇ ଆମେରିକାରେ ପହଞ୍ଚିଲେ ବୈଜ୍ଞାନିକ, କହିଲେ- କରୋନା ଉପରେ ଦୁନିଆକୁ ସତ ଲୁଚାଇଛି ସି ଜିନପିଙ୍ଗ ସରକାର

Published By : Prameya-News7 Bureau | July 11, 2020 IST

ନୂଆଦିଲ୍ଲୀ ୧୧।୦୭: କରୋନା ଭାଇରସ୍‌ ମହାମାରୀରେ ପୂରା ଦୁନିଆରେ ୧ କୋଟି ୨୦ ଲକ୍ଷ ଲୋକ ସଂକ୍ରମିତ ହୋଇ ସାରିଲେଣି। କରୋନାଜନିତ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଟପି ସାରିଛି। ଏହା ମଧ୍ୟରେ କରୋନା ବିଷୟରେ ଦୁନିଆକୁ ଅନ୍ଧାରରେ ରଖିବା ଏବଂ ସତ ଲୁଚାଇବା ନେଇ ଚୀନ ପୁଣି ଥରେ ଏକ୍ସପୋଜ୍ ହୋଇଛି। ହଂକଂରୁ ଜୀବନ ବଞ୍ଚାଇ ପ୍ରାଣ ବିକଳରେ ଆମେରିକା ପହଞ୍ଚିଥିବା ଜଣେ ମହିଳା ବୈଜ୍ଞାନିକ ଖୁଲାସା କରିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣ ବିଷୟରେ ଚୀନକୁ ବହୁ ପୂର୍ବରୁ ଜଣା ଥିଲା। ସି ଜିନପିଙ୍ଗ ସରକାର ଜାଣିଶୁଣି ଦୁନିଆକୁ ଅନ୍ଧାରରେ ରଖିଥିଲେ ଏବଂ ସତ କଥା ସାମ୍ନାକୁ ଆସିବା ବେଳକୁ କରୋନା କାୟା ମେଲାଇ ସାରିଥିଲା।

ଏହି ବୈଜ୍ଞାନିକ ଜଣକ ହେଉଛନ୍ତି ଡ. ଲି ମେଙ୍ଗ ୟାନ। ସେ କହିଛନ୍ତି, ତାଙ୍କ ଗବେଷଣାକୁ ମଧ୍ୟ ଅଣଦେଖା କରାଗଲା, ଯେଉଁଥିରେ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଥାନ୍ତା। ୨୦୨୦ ଏପ୍ରିଲ ଶେଷ ଆଡକୁ ଲି ମେଙ୍ଗ ହଂକଂରୁ ଖସି ଆମେରିକାରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ। ଲି ମେଙ୍ଗ  ହଂକଂ ସ୍କୁଲ୍ ଅଫ ପବ୍ଲିକ୍‌ ହେଲ୍‌ଥରେ ଭାୟରୋଲୋଜି ଓ ଇମ୍ୟୁନୋଲୋଜିର ବିଶେଷଜ୍ଞ। ଲି କହିଛନ୍ତି, କ୍ୟାମ୍ପସ୍‌ରୁ ବାହାରିବା ସମୟରେ ସେ ବହୁତ ସାବଧାନ ରହିଥିଲେ କାରଣ ସେନସର ଓ କ୍ୟାମେରା ନଜରରୁ ବଞ୍ଚି ପାରିବେ। କାରଣ ତାଙ୍କୁ ଭୟ ଥିଲା ଯେ, ଯଦି ଧରା ପଡନ୍ତି ତେବେ ଜେଲ୍‌ରେ ଭର୍ତ୍ତି କରାଯାଇପାରେ କିମ୍ବା ଗାଏବ କରି ଦିଆଯାଇପାରେ।

ଆମେରିକା ଟିଭି ଚ୍ୟାନେଲ୍‌  ଫକ୍ସ ନ୍ୟୁଜ୍‌ ସହ ଆଲୋଚନା ବେଳେ ଲି  ମେଙ୍ଗ ୟାନ କହିଛନ୍ତି, ଚୀନ ସରକାର ତାଙ୍କ ପ୍ରତିଷ୍ଠାକୁ ସମାପ୍ତ କରିବାକୁ ଚେଷ୍ଟା କରିଛନ୍ତି ଓ ତାଙ୍କୁ ଚୁପ୍‌ କରାଇବାକୁ ସାଇବର ଆଟାକ୍ କରାଯାଉଛି। ସଂପ୍ରତି ସେ ଏକ ଅଜ୍ଞାତ ସ୍ଥାନରେ ଅଛନ୍ତି।

{"id":299076,"width":580,"height":326,"sizeSlug":"large"}

ସେ ଏହା ମଧ୍ୟ କହିଛନ୍ତି କୋଭିଡ୍‌-୧୯ ଉପରେ ଅଧ୍ୟୟନ କରୁଥିବା ଦୁନିଆର କିଛି ପ୍ରଥମ ବୈଜ୍ଞାନିକଙ୍କ ମଧ୍ୟରୁ ସେ ଜଣେ ଥିଲେ। ଚୀନ ସରକାର ବିଦେଶୀ କିମ୍ବା ହଂକଂ ବିଶେଷଜ୍ଞଙ୍କୁ ଗବେଷଣାରେ ସାମିଲ୍‌ କରିବାକୁ ମନା କରି ଦେଇଥିଲା। ସେ ନିଜର ସାଥୀଙ୍କ ସହ ଏହି ଭୂତାଣୁ ବିଷୟରେ ଆଲୋଚନା କରିଥିଲେ ମାତ୍ର ତାଙ୍କୁ ଟିମ୍‌ରେ ପରିବର୍ତ୍ତନ ପାଇଁ ନୋଟିସ୍ ଦିଆଯାଇଥିଲା। ଡାକ୍ତର ଓ ଗବେଷକଙ୍କୁ ଭାଇରସ୍‌ ଉପରେ ମୁହଁ ଖୋଲିବା ନେଇ ଚୁପ୍‌ କରାଇ ଦିଆଯାଇଥିଲା। ଏହା ପରେ ଉହାନର ଡାକ୍ତର ଓ ଗବେଷକ ସରକାରଙ୍କ ଚାପରେ ନିରବ ରହିଲେ ଏବଂ ଅନ୍ୟ ମାନଙ୍କୁ ତଥ୍ୟନ ମାରିବାକୁ ଚେତାବନୀ ଦିଆଯାଇଥିଲା।

ସେ କହିଛନ୍ତି, ଚୀନରେ ଡାକ୍ତରଙ୍କୁ କରୋନା ବିଷୟରେ ଆଲୋଚନା ନକରିବାକୁ ଚେତାବନୀ ଦିଆଯାଇଥିଲା। ଏହା ପରେ ସଂକ୍ରମଣ ମାନବଠୁ ମାନବ ପର୍ଯ୍ୟନ୍ତ ବ୍ୟାପିବା ଆରମ୍ଭ ହୋଇ ଯାଇଥିଲା। ଏହା ପରେ ୟାନ ସେଠାରୁ ଖସି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ କ୍ୟାମେରା ଓ ସେନସରରୁ ନିଜକୁ ବଞ୍ଚାଇ ଏପ୍ରିଲ ୨୮ରେ ଆମେରିକା ପାଇଁ କ୍ୟାଥି ପେସିଫିକ୍‌ ବିମାନରେ ଯାତ୍ରା କରିଥିଲେ।

ଲି ମେଙ୍ଗ ୟାନ କହିଛନ୍ତି, ତାଙ୍କୁ ନିଜ ଜୀବନ ପ୍ରତି ବିପଦ ରହିଛି ଏବଂ ତାଙ୍କ ମନରେ ଏହି ଭୟ ରହିଛି ଯେ, ସେ କେବେ ଆଉ ନିଜ ଘରକୁ ଫେରି ପାରିବେ ନାହିଁ। ଯଦି ସେ କରୋନା ସଂପର୍କିତ ସତ କଥା ଚୀନରେ କହିଥାନ୍ତେ ତେବେ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.